Spread the love

### ବଅଁରପାଳ ବ୍ଲକ କଂଗ୍ରେସର ପ୍ରଥମ କାର୍ଯ୍ୟକାରିଣୀ ବୈଠକ: ସଂଗଠନ ସୁଦୃଢ଼ କରିବାକୁ ଗୁରୁତ୍ୱ

ବୁଥ୍‌ସ୍ତରରୁ ଦଳକୁ ମଜଭୁତ କରିବାକୁ ଆହ୍ୱାନ, ନବଗଠିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ବଅଁରପାଳ: ତୃଣମୂଳ ସ୍ତରରୁ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ଏବଂ ଦଳୀୟ କାର୍ଯ୍ୟକ୍ରମକୁ ଗାଁ ଗାଁରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛି ବଅଁରପାଳ ବ୍ଲକ କଂଗ୍ରେସ। ଏହି ଅବସରରେ ନାଲକୋନଗରସ୍ଥିତ ନେସ୍ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବ୍ଲକ କଂଗ୍ରେସର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ସଭା ବ୍ଲକ ସଭାପତି ବିନୋଦ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ରାଜ୍ୟ ଆଇଏନଟିୟୁସି ସଭାପତି ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ବର୍ତ୍ତମାନର ରାଜନୈତିକ ସ୍ଥିତି ଓ ଭୋଟ୍ ଚୋରି ଅଭିଯୋଗକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ନିର୍ବାଚନ ବ୍ୟବସ୍ଥାରେ ଜନସାଧାରଣଙ୍କ ବିଶ୍ୱାସ ଅତୁଟ ରଖିବା ଆବଶ୍ୟକ ବୋଲି ମତ ଦେବା ସହ ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଚାଲିଥିବା ଆନ୍ଦୋଳନ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ।

ଦଳକୁ ଆଗକୁ ନେବା ପାଇଁ ସମସ୍ତ କର୍ମୀ ଏକଜୁଟ୍ ହୋଇ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ସହ ରାହୁଲ ଗାନ୍ଧୀଙ୍କ ସ୍ୱରକୁ ଅଧିକ ଶକ୍ତିଶାଳୀ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ସୁନୀଲ କୁମାର ପ୍ରଧାନ ନିଜ ବକ୍ତବ୍ୟରେ ବୁଥ୍‌ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଂଗଠନକୁ ସକ୍ରିୟ କରିବା ଉପରେ ଜୋର ଦେଇଥିଲେ। କଂଗ୍ରେସର ନୀତି, ଆଦର୍ଶ ଓ ଜନମଙ୍ଗଳକାରୀ ଚିନ୍ତାଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଆବଶ୍ୟକ ସମୟରେ ଦଳୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।

ସେହିପରି ପ୍ରଦେଶ କଂଗ୍ରେସ କମିଟିର ଉପସଭାନେତ୍ରୀ ସସ୍ମିତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କର୍ମୀମାନେ ନିଃସ୍ୱାର୍ଥପର ଭାବେ ଏକ ପରିବାର ଭଳି କାର୍ଯ୍ୟ କଲେ ଦଳର ସାଂଗଠନିକ ଶକ୍ତି ବୃଦ୍ଧି ପାଇବ ବୋଲି କହିଥିଲେ।

ବୈଠକରେ ଅନୁଗୋଳ ଜିଲ୍ଲା ସହପ୍ରଭାରୀ ଆଦିତ୍ୟ ଅନୁଭବ ସିଂହ, ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଜଗଦାନନ୍ଦ ପ୍ରଧାନ, ସମ୍ପାଦକ ସୁଦୀପ ମିଶ୍ର, ରାଜ୍ୟ କୃଷକ କଂଗ୍ରେସ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ସାହୁ, ରାଜ୍ୟ ଆଦିବାସୀ କଂଗ୍ରେସ ସାଧାରଣ ସମ୍ପାଦକ ତପନ ପ୍ରଧାନ, ରାଜ୍ୟ ଏସ୍‌ସି ସେଲ୍‌ର ସାଧାରଣ ସମ୍ପାଦକ ନୀଳକଣ୍ଠ ନାଏକ, ଜିଲ୍ଲା କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ନାଥଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ।

ସଭାର ପ୍ରାରମ୍ଭରେ ବଅଁରପାଳ ବ୍ଲକ କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ଜରଡ଼ା ପଞ୍ଚାୟତର ପାରିପରା ନିବାସୀ ସ୍ୱର୍ଗତ ମଧୁସୂଦନ ବେହେରାଙ୍କ ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ନବଗଠିତ ବ୍ଲକ କଂଗ୍ରେସର ସମସ୍ତ କର୍ମକର୍ତ୍ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଗାମୀ ଦୁଇ ମାସ ଧରି ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ସହ ପଞ୍ଚାୟତ ସଭାପତିମାନଙ୍କୁ ବୁଥ୍‌ସ୍ତରୀୟ କମିଟି ଗଠନ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକସ୍ତରର ବହୁ କଂଗ୍ରେସ ନେତା, ମହିଳା ନେତ୍ରୀ ଏବଂ ଶତାଧିକ କର୍ମୀ ଯୋଗଦେଇ ସଭାକୁ ସଫଳ କରିଥିଲେ।

 

Leave a Reply

Your email address will not be published. Required fields are marked *