### ଭିଜିଲାନ୍ସ ହାଜତରେ ଥିବା ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କ ଲକରରୁ ୬୦୬ ଗ୍ରାମ ସୁନା ଅଳଙ୍କାର ଜବତ
୩ ଦିନିଆ ପୋଲିସ ରିମାଣ୍ଡରେ ଚାଲିଥିଲା ପଚରାଉଚରା, ଆଜି କୋର୍ଟରେ ହେବେ ହାଜର
ଭୁବନେଶ୍ୱର, ୪/୧୧: ଆୟବହିର୍ଭୂତ ସମ୍ପତ୍ତି ଓ ସନ୍ଦିଗ୍ଧ ଅର୍ଥ କାରବାର ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍, ଜଗତପୁର, କଟକର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କ ବ୍ୟାଙ୍କ ଲକରରୁ ପ୍ରାୟ ୬୦୬ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ୩ ଦିନିଆ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଥିବା ବେଳେ ଏହି ସମୟରେ ଲକର ଯାଞ୍ଚ କରାଯାଇଥିଲା।
ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ରୁଜୁ ମାମଲା ନଂ-୨୪/୨୦୨୬ର ତଦନ୍ତ ପରିପ୍ରେକ୍ଷୀରେ ତଦନ୍ତକାରୀ ଅଧିକାରୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍, ଭୁବନେଶ୍ୱରଙ୍କ ଅଦାଲତରେ ପ୍ରସନ୍ନଜିତ ଦାସଙ୍କୁ ପୋଲିସ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ। ଅଦାଲତ ୨ ନଭେମ୍ବରରୁ ୪ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଥିଲେ।
ରିମାଣ୍ଡ ସମୟରେ ଗତକାଲି ତାଙ୍କୁ ବରଗଡ଼ସ୍ଥିତ ଆକ୍ସିସ୍ ବ୍ୟାଙ୍କକୁ ନିଆଯାଇଥିଲା। ସେଠାରେ ତାଙ୍କ ଦ୍ୱାରା ପରିଚାଳିତ ବ୍ୟାଙ୍କ ଲକରର ଯାଞ୍ଚ ଓ ସମ୍ପତ୍ତିର ତାଲିକା ପ୍ରସ୍ତୁତ ପରେ ୬୦୬.୩୦ ଗ୍ରାମ ଓଜନର ସୁନା ଅଳଙ୍କାର ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଗତ ୧୭ ଅକ୍ଟୋବର ୨୦୨୬ରେ ଏକ ଇଣ୍ଟରସେପ୍ସନ ମାମଲାରେ ପ୍ରସନ୍ନଜିତ ଦାସଙ୍କୁ ଭିଜିଲାନ୍ସ ଅଟକାଇ ଯାଞ୍ଚ କରିବା ସମୟରେ ତାଙ୍କ ନିକଟରୁ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କାର ସନ୍ଦିଗ୍ଧ ଅର୍ଥ ଜବତ କରିଥିଲା। ଏହାପରେ ତାଙ୍କର ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଥିଲା।
ଫଳରେ ତାଙ୍କଠାରୁ ଜବତ ମୋଟ ନଗଦ ଟଙ୍କାର ପରିମାଣ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କାରେ ପହଞ୍ଚିଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଥିଲା।
ଆଜି ତିନିଦିନିଆ ପୋଲିସ ରିମାଣ୍ଡ ଅବଧି ଶେଷ ହେବା ପରେ ପ୍ରସନ୍ନଜିତ ଦାସଙ୍କୁ ପୁନର୍ବାର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ। ଘଟଣାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ସୌଜନ୍ୟ: ଓଡ଼ିଶା ଭିଜିଲାନ୍ସ
