ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ତାଳଚେର, ୦୬/୧୦ ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ରେ ଡାକ୍ତରୀ ପାଠପଢ଼ା ସହିତ ଏହାକୁ ଏକ ଟିଚିଂ ହସ୍ପିଟାଲ୍ ରେ ପରିଣତ କରିବା ଓ ଆସନ୍ତା ଡିସେମ୍ବର ପହିଲା ଠାରୁ ରୋଗୀସେବା ଆରମ୍ଭ କରିବା ନେଇ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଅନୁଷ୍ଠାନର ଆବାହକ ପଦ୍ମ ଚରଣ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତାଳଚେର ଠାରେ ଆୟୋଜିତ ଜନଶୁଣାଣୀ ଶିବିରରେ ଏହି ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ତାଳଚେର ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ହାନୀରୁ ରକ୍ଷା ପାଇବା ପାଇଁ ଏମସିଏଲ୍ ତରଫରୁ ସଂପୂର୍ଣ୍ଣ ଖର୍ଚ୍ଚରେ ତାଳଚେର ଠାରେ ମେଡିକାଲ୍ କଲେଜ୍ ତିଆରି ହୋଇ ପାଠପଢ଼ା ଆରମ୍ଭ ହେଲା । ମାତ୍ର ତାଳଚେର ମେଡିକାଲ୍ କଲେଜ୍ କୁ ଟିଚିଂ ହସ୍ପିଟାଲ୍ ରେ ପରିଣତ କରି ପବିତ୍ର ମୋହନ ମେଡିକାଲ୍ କଲେଜ୍ ରେ ନିଯୁକ୍ତି ପାଇଥିବା ସମସ୍ତ ମୁଖ୍ୟ ବିଭାଗର ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସର ଏବଂ ବରିଷ୍ଠ ଡାକ୍ତରଙ୍କୁ ତାଳଚେର ଠାରେ ଅବସ୍ଥାପିତ କରି ଜରୁରୀ ଭିତିରେ ତାଳଚେରବାସୀଙ୍କୁ ରୋଗୀସେବା ଆରମ୍ଭ କରନ୍ତୁ । ତାଳଚେର ମେଡିକାଲ୍ କଲେଜ୍ ନିମିତ ଆବଶ୍ୟକୀୟ ହେଉଥିବା ସମସ୍ତ ଉପକରଣ ଓ ସରଂଜାମ ଯଥା-ଏମ୍.ଆର.ଆଇ. ଓ ଅତ୍ୟାଧୁନିକ ଉପକରଣ ପାଥୋଲୋଜି ନିମିତ ଏବଂ ପ୍ରତ୍ୟେକ ବିଭାଗର ଦରକାର ହେଉଥିବା ଅନ୍ୟାନ୍ୟ ସରଜଂମକୁ ଏମ୍.ସି.ଏଲ୍. ଓ ରାଜ୍ୟ ସରକାରଙ୍କ ଠାରୁ ସଂଗ୍ରହ କରି ମେଡିକାଲ୍ କଲେଜ୍ କୁ ସଂପୂର୍ଣ୍ଣ ଭାବରେ ଆରମ୍ଭ କରି ତାଳଚେରବାସୀଙ୍କୁ ରୋଗୀ ସେବା ଯୋଗାଇ ଦେବା ସହିତ ତାଳଚେରବାସୀଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରନ୍ତୁ । ଚଳିତ ଅକ୍ଟୋବର ମାସ ମଧ୍ୟରେ ଯୁଦ୍ଧକାଳୀନ ଭିତିରେ ସମସ୍ତ ଅସୁବିଧା ଥିବା ଭିତିଭୂମିକୁ ସଂପୂର୍ଣ୍ଣ କରି ଏବଂ ନଭେମ୍ବର ମାସରେ ମେଡିକାଲ୍ କଲେଜ୍ ର ସମସ୍ତ କାର୍ଯ୍ୟକର୍ତା ଓ ପାରା ମେଡିକାଲ୍ ଷ୍ଟାଫଙ୍କୁ ଅବସ୍ଥାପିତ କରି ଡିସେମ୍ବର ପହିଲା ସୁଦ୍ଧା ରୋଗୀ ସେବା ଆରମ୍ଭ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ହରହର ସାହୁ, କନ୍ଦର୍ପ ବେହେରା, ବିଜୟଲକ୍ଷ୍ମୀ ପ୍ରଧାନ, ନରହରି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଳାସ୍ତରୀୟ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ତାଳଚେର, ୦୬/୧୦ ଜିଲ୍ଳାପାଳ ଅଦୂଲ୍ଲ ମହମ୍ମୁଦ ଅଖତାରଙ୍କ ଅଧ୍ୟକ୍ଷତାରେ ତାଳଚେର ପଂଚାୟତ ସମିତି ସଭାଗୃହ ଠାରେ ଜିଲ୍ଳା ସ୍ତରୀୟ ମଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜନଶୁଣାଣୀ ଶିବିରରେ ସମୁଦାୟ ୬୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୪୮ଟି ବ୍ୟକ୍ତିଗତ ଓ ୧୫ଟି ଗ୍ରାମ୍ୟଭିତିକ ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ ସେଥିମଧ୍ୟରୁ ୫ଟିର ତୁରନ୍ତ ଫଇସଲା କରାଯାଇଥିଲା । ୨ଜଣଙ୍କୁ ରେଡ଼କ୍ରସ୍ ପାଣ୍ଠିରୁ ୮ହଜାର ଟଙ୍କା ଚିକିତ୍ସା ସହୟତା ରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ ଉଦୟ ମହାପାତ୍ର ଆଇଏଏସ୍ ପ୍ରବେଶନର ଅଭି ଜୈନ, ଜିଲ୍ଳାପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ଗୌରବମୟ ପ୍ରଧାନ, ତାଳଚେର ଉପଜିଲ୍ଳାପାଳ ପ୍ରଜ୍ଞାନ ନନ୍ଦ ଗିରି, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ରାଜୀବ ଲୋଚନ ପଣ୍ଡା, ବିଡ଼ିଓ ସୁଶାନ୍ତ ବରାଳ, ତହସିଲଦାର ଆଲଫା ଜେନା, ଶିକ୍ଷାଧିକାରିଣୀ ମଧୁସ୍ମିତା ନନ୍ଦ, ମଙ୍ଗଳଅଧିକାରୀ ଦିଲ୍ଳୀପ ମିଶ୍ର, ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, କୃଷି ଅଧିକାରୀ ଦିବ୍ୟ ସ୍ୱରୂପ ପଣ୍ଡା, ସମାଜମଙ୍ଗଳ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ, ପ୍ରାଣୀ ଚିକିତ୍ସିକ ଡ଼.ସତ୍ୟନାରାୟଣ ସାହୁଙ୍କ ସହ ପଦାଧିକାରୀମାନେ ଯୋଗଦେଇଥିଲେ । ଏହି ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ୱାସ୍ଥ୍ୟଗ୍ରାମୀଣ ଆବାସ, ଜମିଜମା ସମ୍ବନ୍ଧୀୟ ସହିତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି ।
