Spread the love

*ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା*

– *ବାତ୍ୟା ଏବଂ ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, କ୍ଷତିପୂରଣ ପ୍ରଦାନ ଏବଂ ଭିତ୍ତିଭୂମି ସୁଦୃଢୀକରଣ ତ୍ୱରାନ୍ୱିତ କରିବା ଦିଗରେ ରାଜସ୍ୱ ମନ୍ତ୍ରୀଙ୍କ ଗୁରୁତ୍ଵାରୋପ*

– *ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ୪ ଜଣ ଆଇଏଏସ୍ ଅଧିକାରୀ ନିୟୋଜିତ ; ଅତିରିକ୍ତ SRC ଭାବେ ସ୍ଵତନ୍ତ୍ର କ୍ଷମତା ପ୍ରାପ୍ତ*

– *ତନ୍ମଧ୍ୟରୁ ଗଞ୍ଜାମରେ ଦୁଇ ଜଣ, ଗଜପତି ଏବଂ କନ୍ଧମାଳରେ ଜଣେ ଲେଖାଏଁ ଆଇଏସଏସ୍ ଅଧିକାରୀ ଅବସ୍ଥାପିତ ହେବେ*

– *ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ*

ଭୁବନେଶ୍ୱର, ନଭେମ୍ବର ୩ :

ବାତ୍ୟା ‘ଅର୍ଣ୍ଣବ’ ଯୋଗୁ ଲଗାଣ ବର୍ଷା ଏବଂ ତା’ କାରଣରୁ ଆସିଥିବା ବନ୍ୟା ପ୍ରଭାବରେ ବିଶେଷ ଭାବେ ପ୍ରଭାବିତ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲା ସହିତ ସମ୍ପ୍ରତି ଲ୍ୟାଣ୍ଡଫଲ୍ କରିସାରିଥିବା ବାତ୍ୟା’ ମୁରାସୁ’ ସଂକ୍ରାନ୍ତରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବିସ୍ତୃତ ସମୀକ୍ଷା କରିଛନ୍ତି।

ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି, ଗତକାଲି ବିଳମ୍ବିତ ରାତିରେ ବାତ୍ୟା ‘ମୁରାସୁ’ ଆନ୍ଧ୍ର ପ୍ରଦେଶରେ ପ୍ରବେଶ କରି ସାରିଛି। ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଜୟୱାଡା ତଳକୁ ଅଛି ଏବଂ ଆଗକୁ ବଢୁଚି। ଏହା କ୍ରମଶଃ ଆଗକୁ ବଢି ତେଲେଙ୍ଗାନା ପଟକୁ ମୁହାଁଇବ l

ଏହାର ପ୍ରଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହୋଇନାହିଁ । ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଚବିଶ ଘଣ୍ଟାରେ ସାରା ରାଜ୍ୟରେ ହାରାହାରି ୨ ମିମି ବର୍ଷା ହୋଇଛି। ପୁରୀରେ ୧୨ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରି, କୋରାପୁଟ, ଗଞ୍ଜାମ ଜିଲ୍ଲାରେ ୧୦ ମିମି କିମ୍ବା ତା’ଠୁଁ କମ୍ ବର୍ଷା ହୋଇଛି ।

ରାଜ୍ୟସରକାର ସମ୍ପୂର୍ଣ୍ଣ ପରିସ୍ଥିତି ନିରୀକ୍ଷଣ କରୁଛନ୍ତି ଏବଂ ସମସ୍ତ ପ୍ରକାର ପରିସ୍ଥିତି ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧,୫୨,୦୧୦ ଜନସାଧାରଣ ସ୍ଥାନାନ୍ତରିତ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ୬୨୦,ମାଲକାନଗିରି ଜିଲ୍ଲାରେ ୫୦୭୩, କୋରାପୁଟ ଜିଲ୍ଲାରେ ୧୧୦୧, କନ୍ଧମାଳ ଜିଲ୍ଲାରେ ୬୨୬୯, ରାୟଗଡ଼ା ଜିଲ୍ଲାରେ ୭୩୬ ; ଏହିପରି ଭାବେ ସର୍ବମୋଟ୍ ପ୍ରାୟ ୧,୬୫,୮୦୯ ଜଣ ସ୍ଥାନାନ୍ତରିତ ହୋଇଛନ୍ତି । ସେହିପରି ବର୍ତ୍ତମାନ ଉପରୋକ୍ତ ଜିଲ୍ଲାଗୁଡିକରେ ସର୍ବମୋଟ ପ୍ରାୟ ୫୯୨ ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି ।

ସେହିପରି ସମ୍ପୃକ୍ତ ଜିଲ୍ଲା ଗୁଡିକରେ ପ୍ରାୟ ୫୪ ODRAF, ୯ NDRF ଏବଂ ୧୦୦ ରୁ ଉର୍ଦ୍ଧ୍ଵ ଅଗ୍ନିଶମ ସେବା ବାହିନୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ କ୍ଷେତ୍ର ସ୍ତରରେ ସମ୍ପୂର୍ଣ୍ଣ ଭାବେ ଉପସ୍ଥିତ ରହି ସହାୟତା କରୁଛନ୍ତି l ପ୍ରଭାବିତ ଜିଲ୍ଲାଗୁଡିକରେ ବିଦ୍ୟାଳୟ ପ୍ରାୟ ବନ୍ଦ ଅଛି ଏବଂ ପରିସ୍ଥିତି ଦେଖି ଜିଲ୍ଲା ପ୍ରଶାସନ ଦ୍ଵାରା ଖୋଲା ଯିବାର ନିଷ୍ପତ୍ତି ନିଆଯିବ ।

ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ଯେ, ଅର୍ଣ୍ଣବ ପାଇଁ ବାସଗୃହ, ଚାଷଜମି, ବ୍ୟବସାୟ ଆଦି କ୍ଷୟକ୍ଷତି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି । ପଞ୍ଚାୟତିରାଜ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଶକ୍ତି ବିଭାଗ, ଜଳସମ୍ପଦ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

ପ୍ରଭାବିତ ଜିଲ୍ଲାରେ କ୍ଷୟକ୍ଷତି ଆକଳନ, ପ୍ରଭାବିତ ହିତାଧିକାରୀଙ୍କ ପାଖେ କ୍ଷତିପୂରଣ ପ୍ୟାକେଜ୍ ପହଞ୍ଚାଇବା ସୁନିଶ୍ଚିତ କରିବା, ଭିତ୍ତିଭୂମି ମରାମତି ତ୍ୱରାନ୍ୱିତ କରିବା ଏବଂ ଜିଲ୍ଲା ପ୍ରଶାସନ ସହ ସମନ୍ଵୟ ରକ୍ଷା କରିବା ନିମନ୍ତେ ୪ ଜଣ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ସ୍ପେଶାଲ୍ ରିଲିଫ୍ କମିଶନର (Additional SRC) ଭାବେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରି ଅବସ୍ଥାପିତ କରାଯାଇଛି।

ଗଜପତି ଜିଲ୍ଲାରେ ୨୦୨୪ ବ୍ୟାଚ୍ ଆଇଏଏସ୍ ଅଫିସର ପୱନ କୁମାର, ଗଞ୍ଜାମ ଜିଲ୍ଲାରେ ୨୦୨୨ ବ୍ୟାଚ୍ ଆଇଏଏସ୍ ଅଫିସର୍ ଅଜିତ କୁମାର, ୨୦୨୩ ବ୍ୟାଚ୍ ଆଇଏଏସ୍ ଅଫିସର୍ ତେଜସ୍ବିନୀ ବେହେରା ଏବଂ କନ୍ଧମାଳ ଜିଲ୍ଲାରେ ୨୦୨୩ ବ୍ୟାଚ୍ ଆଇଏଏସ୍ ଅଫିସର୍ ଶିବ ମାଲବ୍ଯଙ୍କୁ ଅବସ୍ଥାପିତ ହୋଇଛି ।

ସେହିପରି ଆଜି ଅନୁଧ୍ୟାନ ନିମନ୍ତେ ଆସିଥିବା କେନ୍ଦ୍ରୀୟ ଟିମ୍ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରୁଥିବା ବେଳେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ। ଜିଲ୍ଲାମାନଙ୍କରେ ଜିଲ୍ଲାପାଳ ମାନେ କେନ୍ଦ୍ରୀୟ ଟିମର ପରିଦର୍ଶନ ସ୍ଥଳ ସ୍ଥିର କରି ସେମାନଙ୍କୁ ସହାୟତା କରୁଛନ୍ତି ।

ମାନ୍ୟବର ମନ୍ତ୍ରୀ ଆହୁରି ମଧ୍ଯ ସୂଚନା ଦେଇ କହିଛନ୍ତି ଯେ, ଇତିମଧ୍ୟରେ ପ୍ରାଥମିକ କ୍ଷୟକ୍ଷତି ଆକଳନ ରିପୋର୍ଟ କରି ପଠାଇବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରେ ଚୂଡାନ୍ତ ରିପୋର୍ଟ ମଧ୍ଯ ପ୍ରସ୍ତୁତ ହୋଇ କେନ୍ଦ୍ର ନିକଟରେ ଦାଖଲ କରାଯିବ। ପ୍ରଭାବିତ ଜନସାଧାରଣଙ୍କ ସହିତ ରାଜ୍ୟସରକାର ସମ୍ପୂର୍ଣ୍ଣ ଭାବେ ଅଛନ୍ତି ଏବଂ ସେମାନଙ୍କ ପାଖେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରାଇବା ନିମନ୍ତେ ନିରନ୍ତର ଉଦ୍ୟମରତ ଅଛନ୍ତି ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ପେଶାଲ୍ ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡଙ୍ଗୀ ଏବଂ ସମ୍ପୃକ୍ତ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

 

Leave a Reply

Your email address will not be published. Required fields are marked *