Spread the love

### ଶିଳ୍ପ ବିଭାଗର ପ୍ରଥମ ଅତିରିକ୍ତ ବଜେଟ୍‌ରେ ୭୯୨.୧୭ କୋଟିର କାର୍ଯ୍ୟକ୍ରମ ବ୍ୟୟ ପ୍ରସ୍ତାବ, ଜମି ଅଧିଗ୍ରହଣ ଓ ଶିଳ୍ପ ଭିତ୍ତିଭୂମିକୁ ଗୁରୁତ୍ୱ

ଭୁବନେଶ୍ୱର, ୨୮ ନଭେମ୍ବର: ରାଜ୍ୟରେ ଶିଳ୍ପ ବିକାଶ, ପୁଞ୍ଜିନିବେଶକୁ ଆକର୍ଷିତ କରିବା, ଶିଳ୍ପ ଭିତ୍ତିଭୂମିର ଆଧୁନିକୀକରଣ ଓ ଶିଳ୍ପ ପ୍ରକଳ୍ପ ପାଇଁ ଜମି ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ରେ ଶିଳ୍ପ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ପାଇଁ ଅତିରିକ୍ତ ବ୍ୟୟ ବରାଦ ପ୍ରସ୍ତାବ ରଖାଯାଇଛି। ଶିଳ୍ପ ବିଭାଗ ଅଧୀନରେ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୯୨.୧୭୯୧ କୋଟି ଟଙ୍କା ଏବଂ ପ୍ରତିଷ୍ଠାନ, ପରିଚାଳନା ଓ ରକ୍ଷଣାବେକ୍ଷଣ (EOM) ବାବଦକୁ ୨୦.୧୦ ଲକ୍ଷ ଟଙ୍କାର ବଜେଟ୍ ପ୍ରସ୍ତାବ ରହିଛି।

ବିଧାନସଭାରେ ଶିଳ୍ପ ବିଭାଗର ପ୍ରଥମ ଅତିରିକ୍ତ ବଜେଟ୍ ଆକଳନ ଉପସ୍ଥାପନ କରି ବିଭାଗ ପକ୍ଷରୁ ରାଜ୍ୟର ଶିଳ୍ପ ସମ୍ଭାବନାକୁ ଉପଯୋଗ କରିବା, ପୁଞ୍ଜିନିବେଶକୁ ପ୍ରୋତ୍ସାହନ, ଶିଳ୍ପ ପ୍ରକଳ୍ପଗୁଡ଼ିକୁ ସୁଗମ କରିବା ଓ ଶିଳ୍ପ ଅଭିବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି କାର୍ଯ୍ୟକ୍ରମଗୁଡ଼ିକ ଇପିକଲ (IPICOL), ଇଡକୋ (IDCO) ଓ ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମ (OFDC) ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଛି।

### ଶିଳ୍ପ ଭିତ୍ତିଭୂମି ରକ୍ଷଣାବେକ୍ଷଣ ପାଇଁ ୧୯୦ କୋଟି

ରାଜ୍ୟରେ ଇଡକୋ ପକ୍ଷରୁ ୧୫୩ଟି ଶିଳ୍ପାଞ୍ଚଳ ଓ ଶିଳ୍ପ ଇଷ୍ଟେଟ୍ ବିକଶିତ କରାଯାଇଛି। ଏଥିରେ ୧୪,୧୩୩.୩୮୯ ଏକର ଜମି ଓ ୧,୫୪୨ଟି ନିର୍ମିତ ସେଡ୍ ରହିଛି। ସେଥିମଧ୍ୟରୁ ୮,୩୦୩.୯୬୪ ଏକର ଜମି ଓ ୧,୫୦୨ଟି ସେଡ୍ ୬,୭୧୮ଟି ଶିଳ୍ପ ସଂସ୍ଥାକୁ ଆବଣ୍ଟନ କରାଯାଇଛି।

ଅନେକ ଶିଳ୍ପାଞ୍ଚଳ ୩୦ରୁ ୪୦ ବର୍ଷ ପୁରୁଣା ହୋଇଥିବାରୁ ରାସ୍ତା, ଜଳଯୋଗାଣ ଓ ବିଦ୍ୟୁତ୍ ବ୍ୟବସ୍ଥା ଭଳି ଆବଶ୍ୟକୀୟ ଭିତ୍ତିଭୂମିର ଆଧୁନିକୀକରଣ ଓ ରକ୍ଷଣାବେକ୍ଷଣ ପାଇଁ ଶିଳ୍ପ ଭିତ୍ତିଭୂମି ରକ୍ଷଣାବେକ୍ଷଣ ପାଣ୍ଠି (IIMF) ଯୋଜନାରେ ପୂର୍ବରୁ ୧୫୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ରହିଥିଲା। ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌ରେ ଆଉ ୧୯୦ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଛି।

### ରେୟାର ଆର୍ଥ ମିନେରାଲ୍ କରିଡର ପାଇଁ ୧୦ କୋଟି

ଓଡ଼ିଶାର ଖଣିଜ ସମ୍ପଦକୁ ଉପଯୋଗ କରି ଶିଳ୍ପ ବିକାଶକୁ ଆଗେଇ ନେବା ପାଇଁ ‘ଓଡ଼ିଶା ରେୟାର ଆର୍ଥ ମିନେରାଲ୍ କରିଡରର ବିକାଶ’ ନାମକ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ପାଇଁ ୨୦୨୬-୨୭ରେ ପ୍ରାରମ୍ଭିକ ଭାବେ ୧୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ରହିଛି।

କେନ୍ଦ୍ର ବଜେଟ୍‌ରେ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁକୁ ନେଇ ରେୟାର ଆର୍ଥ ମିନେରାଲ୍ କରିଡର ବିକାଶର ଯୋଜନା ରହିଥିବା ପରିପ୍ରେକ୍ଷୀରେ ଓଡ଼ିଶାରେ ଏହି କ୍ଷେତ୍ରରେ ପ୍ରାରମ୍ଭିକ ପଦକ୍ଷେପ ନିଆଯାଇଛି।

### ଗୋପାଳପୁରରେ ୧,୭୧୪ ଏକର ଜମି ଅଧିଗ୍ରହଣ ପାଇଁ ୩୪.୮୧ କୋଟି

ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଉପଲବ୍ଧ ବେଳାଭୂମି ବାଲିର ଖଣିଜ ସମ୍ପଦକୁ ଉପଯୋଗ କରି ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ବିକାଶ କରିବା ଉଦ୍ଦେଶ୍ୟରେ ୧,୭୧୪ ଏକର ସଲ୍ଟ ପ୍ୟାନ୍ ଜମି ଅଧିଗ୍ରହଣ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌ରେ ୩୪.୮୧୦୯ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଛି।

### ଶ୍ରମିକ ହଷ୍ଟେଲ ପ୍ରକଳ୍ପ ପାଇଁ ଅତିରିକ୍ତ ୧୦୦ କୋଟି

ଶିଳ୍ପ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ସୁଲଭ ରହଣି ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟର ୭ଟି ଜିଲ୍ଲାର ୧୨ଟି ଶିଳ୍ପାଞ୍ଚଳରେ ୧୭ଟି ଶ୍ରମିକ ହଷ୍ଟେଲ ବିକଶିତ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ SIDBI କ୍ଲଷ୍ଟର ଉନ୍ନୟନ କାର୍ଯ୍ୟକ୍ରମ ଅଧୀନରେ ଆର୍ଥିକ ସହାୟତାରେ ନିର୍ମାଣ ହେଉଛି।

ଏଥିପାଇଁ ପୂର୍ବରୁ ୨୪୩ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ରହିଥିବାବେଳେ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରଥମ ଅତିରିକ୍ତ ବଜେଟ୍‌ରେ ଆଉ ୧୦୦ କୋଟି ଟଙ୍କା ପ୍ରସ୍ତାବ ରହିଛି।

### ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ପାଇଁ ୨୬୫.୧୮ କୋଟି

ଶିଳ୍ପ ପ୍ରକଳ୍ପ ପାଇଁ ଶୀଘ୍ର ବ୍ୟବହାରଯୋଗ୍ୟ ଜମି ଉପଲବ୍ଧ କରାଇବା ଏବଂ ଜମି ଆବଣ୍ଟନ ପ୍ରକ୍ରିୟାକୁ ସୁଗମ କରିବା ଲକ୍ଷ୍ୟରେ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନାର Category-A ଅଧୀନରେ ୨୦୨୬-୨୭ରେ ୧,୦୦୦ ଏକର ଜମି ଅଧିଗ୍ରହଣ କିମ୍ବା ହସ୍ତାନ୍ତର କରିବାର ଲକ୍ଷ୍ୟ ରହିଛି।

ଏହି ଯୋଜନା ପାଇଁ ପୂର୍ବରୁ ୧୦୧.୭୧ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ଥିବାବେଳେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ବଜେଟ୍‌ରେ ୨୬୫.୧୮ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଛି।

### ଟେକ୍ସଟାଇଲ୍ ପାର୍କ ବିକାଶ ପାଇଁ ୧୨ କୋଟି

ବୟନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକର୍ଷିତ କରିବା ପାଇଁ କଳିଙ୍ଗନଗର, ଭୁବନେଶ୍ୱର ଓ ଆଠଗଡ଼ରେ ଟେକ୍ସଟାଇଲ୍ ପାର୍କ ବିକାଶ କରାଯାଉଛି। ଏହି ପାର୍କଗୁଡ଼ିକରେ ଆପ୍ରୋଚ୍ ରୋଡ୍, ଆଭ୍ୟନ୍ତରୀଣ ରାସ୍ତା, ଜଳଯୋଗାଣ, CETP ଓ ବିଦ୍ୟୁତ୍ ଯୋଗାଣ ଭଳି ଭିତ୍ତିଭୂମିର ବିକାଶ କାର୍ଯ୍ୟ ଜାରି ରହିଛି।

ଆଠଗଡ଼ରେ ୨ଟି, ଭୁବନେଶ୍ୱରରେ ୧ଟି ଓ କଳିଙ୍ଗନଗରରେ ୧୦ଟି ଶିଳ୍ପ ୟୁନିଟ୍ ପାଇଁ ଜମି ଆବଣ୍ଟନ କରାଯାଇଛି। ଟେକ୍ସଟାଇଲ୍ ପାର୍କ ବିକାଶ ପାଇଁ ପୂର୍ବରୁ ୨୨ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ରହିଥିବାବେଳେ ଅରଙ୍ଗଠାରେ ଟେକ୍ସଟାଇଲ୍ ପାର୍କର ଭିତ୍ତିଭୂମି ବିକାଶ ଓ ସରଳା ସ୍ପିନିଂ ମିଲ୍‌ର ଜମି ଏବଂ କୋଠା ଅଧିଗ୍ରହଣ ପାଇଁ ଅତିରିକ୍ତ ୧୨ କୋଟି ଟଙ୍କା ପ୍ରସ୍ତାବ ରହିଛି।

### ୬ଟି ଜମି ଅଧିଗ୍ରହଣ ସେଲ୍ ପାଇଁ ୧୭.୯୧ ଲକ୍ଷ

ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ସମ୍ବଲପୁର, ଝାରସୁଗୁଡ଼ା, ରାୟଗଡ଼ା, ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ୬ଟି ଜମି ଅଧିଗ୍ରହଣ ସେଲ୍ ପ୍ରତିଷ୍ଠା କରାଯାଇଛି। ଏହି ସେଲ୍‌ଗୁଡ଼ିକର ପ୍ରତିଷ୍ଠାନ, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଅତିରିକ୍ତ ବଜେଟ୍‌ରେ ୧୭.୯୧ ଲକ୍ଷ ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଛି।

ଶିଳ୍ପ ବିକାଶ ଓ ପୁଞ୍ଜିନିବେଶକୁ ଅଧିକ ଗତିଶୀଳ କରିବା ପାଇଁ ଶିଳ୍ପ-ଅନୁକୂଳ ନୀତି ଓ ନିୟାମକ ବ୍ୟବସ୍ଥା ପ୍ରଣୟନ ଉପରେ ସରକାର ଗୁରୁତ୍ୱ ଦେଇଥିବା ବଜେଟ୍ ଅଭିଭାଷଣରେ ଉଲ୍ଲେଖ କରାଯାଇଛି। ଏହି ପ୍ରସ୍ତାବିତ ବଜେଟ୍‌କୁ ଅନୁମୋଦନ କରିବା ପାଇଁ ବିଧାନସଭାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *