Spread the love

### ଅକ୍ଷୟ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୧୮ଟି MOU ସ୍ୱାକ୍ଷର, ୧.୧୭ ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ

ଭୁବନେଶ୍ୱର/ନୂଆଦିଲ୍ଲୀ: ନବୀକରଣୀୟ ଶକ୍ତି କ୍ଷେତ୍ରରେ ଓଡ଼ିଶା ପାଇଁ ଖୋଲିଛି ନିବେଶର ନୂଆ ଦ୍ୱାର। ଦିଲ୍ଲୀର ଭାରତ ମଣ୍ଡପମଠାରେ ଆରମ୍ଭ ହୋଇଥିବା ଅକ୍ଷୟ ଶକ୍ତି ମହାସମ୍ମିଳନୀରେ ଓଡ଼ିଶା ୧୮ଟି ସଂସ୍ଥା ସହ ବୁଝାମଣାପତ୍ର (MoU) ସ୍ୱାକ୍ଷର କରି ନିଜର ଶକ୍ତି କ୍ଷେତ୍ରରେ ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇଛି।

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ଏହି ୧୮ଟି ବୁଝାମଣା ଅନୁସାରେ ରାଜ୍ୟରେ ମୋଟ ୧୧,୭୪୨ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ହେବାର ଯୋଜନା ରହିଛି। ଏହାଦ୍ୱାରା ପ୍ରାୟ ୧,୧୭,୫୫୭ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରକୁ ନୂଆ ଗତି ମିଳିବାର ଆଶା ରହିଛି।

ଏହି ମହାସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶା ସମେତ ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏଥିରେ ଅଂଶଗ୍ରହଣ କରି ନିଜ ନିଜର ଅକ୍ଷୟ ଶକ୍ତି କ୍ଷମତା, ନିବେଶ ସୁଯୋଗ ଓ ଭବିଷ୍ୟତ ଯୋଜନା ଉପସ୍ଥାପନ କରିଛନ୍ତି।

ଚଳିତ ବର୍ଷର ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ୧୩୦ରୁ ଅଧିକ ଦେଶର ପ୍ରତିନିଧି ଯୋଗଦେଇଛନ୍ତି। ୪୦ରୁ ଅଧିକ ଦେଶର ଶକ୍ତି ମନ୍ତ୍ରୀଙ୍କ ଉପସ୍ଥିତି ଏହାର ଗୁରୁତ୍ୱକୁ ଆହୁରି ବଢ଼ାଇଛି। ଅଷ୍ଟ୍ରେଲିଆ, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ନରୱେ, ସ୍ୱିଡେନ, ବ୍ରିଟେନ ଓ ୟୁରୋପୀୟ ସଂଘ ଭଳି ୯ଟି ପ୍ରମୁଖ ଦେଶ ଏହି ସମ୍ମିଳନୀର ଅଫିସିଆଲ୍ ପାର୍ଟନର ରହିଛନ୍ତି।

ଅକ୍ଷୟ ଶକ୍ତି କ୍ଷେତ୍ରରେ ଏହି ବଡ଼ ପୁଞ୍ଜିନିବେଶ ପ୍ରସ୍ତାବ ଓଡ଼ିଶାକୁ ସ୍ୱଚ୍ଛ ଶକ୍ତି ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏଥିସହ ନୂଆ ଶିଳ୍ପ ସ୍ଥାପନ, ରୋଜଗାର ସୃଷ୍ଟି ଓ ରାଜ୍ୟର ନିବେଶ ପରିବେଶକୁ ସୁଦୃଢ଼ କରିବାରେ ଏହି ଚୁକ୍ତିଗୁଡ଼ିକ ଗୁରୁତ୍ୱ ବହନ କରିବ।

Leave a Reply

Your email address will not be published. Required fields are marked *