Spread the love

### ଓଡ଼ିଶାର ୬୦୧ କଲେଜକୁ ମିଳିବ ମାଗଣା ହାଇସ୍ପିଡ୍ ୱାଇ-ଫାଇ; ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ହେବେ ଉପକୃତ

୩୯୩.୬୨ କୋଟି ଟଙ୍କାର ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ, ପ୍ରତିଦିନ ମିଳିବ ୧ ଜିବି ମାଗଣା ଡାଟା

ଭୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରକୁ ଡିଜିଟାଲ୍ ରୂପେ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ରାଜ୍ୟର ୬୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ହାଇସ୍ପିଡ୍ ୱାଇ-ଫାଇ ଇଣ୍ଟରନେଟ୍ ସୁବିଧା। ଏଥିପାଇଁ ୩୯୩.୬୨ କୋଟି ଟଙ୍କା ବ୍ୟୟ ଅଟକଳ ବିଶିଷ୍ଟ ‘ଓଡ଼ିଶା ଶିକ୍ଷାନେଟ୍’ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି।

୨୦୨୬-୨୭ ଆର୍ଥିକ ବର୍ଷରୁ ୨୦୨୮-୨୯ ପର୍ଯ୍ୟନ୍ତ ତିନି ବର୍ଷ ଧରି ଏହି ଯୋଜନା କାର୍ଯ୍ୟକାରୀ ହେବ। ପୂର୍ବରୁ ୧୩୦ଟି କଲେଜରେ ଏହାର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଲାଗୁ ହୋଇଥିବା ବେଳେ ଏବେ ଏହାକୁ ଅଧିକ ୬୦୧ଟି କଲେଜକୁ ସମ୍ପ୍ରସାରଣ କରାଯିବ।

ଏହି ବ୍ୟବସ୍ଥାରେ ପ୍ରତ୍ୟେକ ପ୍ରମାଣିତ ଛାତ୍ରଛାତ୍ରୀ କଲେଜ କ୍ୟାମ୍ପସ୍ ଭିତରେ ପ୍ରତିଦିନ ୧ ଜିବି ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ୍ ଡାଟା ପାଇପାରିବେ। ଏହାଦ୍ୱାରା ପାଠପଢ଼ା, ଅନଲାଇନ୍ ଗବେଷଣା, ଡିଜିଟାଲ୍ ଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧିକ ସହଜ ହେବ।

ଯୋଜନା ଅଧୀନରେ କଲେଜଗୁଡ଼ିକରେ ଆଧୁନିକ ୱାଇ-ଫାଇ ଭିତ୍ତିଭୂମି, ଉଚ୍ଚ ବ୍ୟାଣ୍ଡୱିଡ୍‌ଥ୍, ନେଟୱର୍କ ପରିଚାଳନା ଓ ସାଇବର ସୁରକ୍ଷା ବ୍ୟବସ୍ଥା କରାଯିବ। ଏଥିସହ ନେଟୱର୍କର କାର୍ଯ୍ୟକ୍ଷମତା ଓ ସେବାର ଗୁଣବତ୍ତା ଉପରେ ନଜର ରଖିବାକୁ କେନ୍ଦ୍ରୀଭୂତ ମନିଟରିଂ ଡ୍ୟାସବୋର୍ଡ ବ୍ୟବସ୍ଥା ମଧ୍ୟ ରହିବ।

ମାଗଣା ଇଣ୍ଟରନେଟ୍ ସୁବିଧା ମାଧ୍ୟମରେ ଛାତ୍ରଛାତ୍ରୀ ଇ-ବୁକ୍, ଡିଜିଟାଲ୍ ଲାଇବ୍ରେରୀ, ଭର୍ଚୁଆଲ୍ କ୍ଲାସରୁମ୍, SWAYAM ଓ ଅନ୍ୟାନ୍ୟ ଅନଲାଇନ୍ ପାଠ୍ୟକ୍ରମ, ଗବେଷଣା ଡାଟାବେସ୍ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆବଶ୍ୟକ ଶିକ୍ଷା ସାମଗ୍ରୀ ସହଜରେ ପାଇପାରିବେ। ଏଥିସହ SAMS, HIMS ଓ ଛାତ୍ରବୃତ୍ତି ପୋର୍ଟାଲ୍ ଭଳି ବିଭିନ୍ନ ଇ-ପ୍ରଶାସନିକ ସେବାର ଉପଯୋଗ ମଧ୍ୟ ସୁବିଧାଜନକ ହେବ।

ସରକାରଙ୍କ ଆକଳନ ଅନୁଯାୟୀ, ଏହି ଯୋଜନା ଦ୍ୱାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଉପକୃତ ହେବେ। ବିଶେଷକରି ଗ୍ରାମାଞ୍ଚଳ, ଦୁର୍ଗମ ଅଞ୍ଚଳ ଓ ଆର୍ଥିକ ଅନଗ୍ରସର ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଡିଜିଟାଲ୍ ଶିକ୍ଷାର ନୂଆ ସୁଯୋଗ ସୃଷ୍ଟି କରିବ। ଇଣ୍ଟରନେଟ୍ ଅଭାବରୁ ଉଚ୍ଚଶିକ୍ଷା ଓ ଡିଜିଟାଲ୍ ଶିକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀଙ୍କ ସମସ୍ୟା ମଧ୍ୟ ଅନେକାଂଶରେ ଦୂର ହୋଇପାରିବ।

ଜାତୀୟ ଶିକ୍ଷା ନୀତି-୨୦୨୦, ଡିଜିଟାଲ୍ ଇଣ୍ଡିଆ ଓ ଓଡ଼ିଶା ଭିଜନ୍-୨୦୩୬ ସହିତ ସମନ୍ୱୟ ରଖି ପ୍ରସ୍ତୁତ ଏହି ଯୋଜନା ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆଧୁନିକ ଓ ପ୍ରଯୁକ୍ତିନିର୍ଭର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *