Spread the love

*ଓଡ଼ିଶା-ଜାପାନ ସମ୍ପର୍କରେ ଯୋଡ଼ିହେବ ନୂଆ ଅଧ୍ୟାୟ*
*ନଭେମ୍ବର ୧୦ରୁ ୧୨ ପର୍ଯ୍ୟନ୍ତ ଟୋଟୋରୀ ପ୍ରିଫେକ୍ଚରର ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ଓଡ଼ିଶା ଗସ୍ତ*
*ଶିଳ୍ପ, ବାଣିଜ୍ୟ, ଉଦ୍ୟୋଗ, ଦକ୍ଷତା ବିକାଶ, ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ସହଯୋଗର ନୂଆ ସମ୍ଭାବନା*

ଭୁବନେଶ୍ୱର, ୫ ନଭେମ୍ବର ୨୦୨୬: ଜାପାନର ଟୋଟୋରୀ ପ୍ରିଫେକ୍ଚରର ମାନ୍ୟବର ରାଜ୍ୟପାଳ ଶ୍ରୀ ଶିଞ୍ଜି ହିରାଇଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସନ୍ତା ନଭେମ୍ବର ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଥିବା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି।

ଏହି ଗସ୍ତ ଅବସରରେ ଓଡ଼ିଶା ଓ ଟୋଟୋରୀ ମଧ୍ୟରେ ଶିଳ୍ପ ଓ ବାଣିଜ୍ୟିକ ସହଭାଗିତା, ପୁଞ୍ଜିନିବେଶ, ଉଦ୍ୟୋଗିତା, ନବସୃଜନ, ଦକ୍ଷତା ବିକାଶ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଆଦାନପ୍ରଦାନକୁ ନୂଆ ଦିଗ ମିଳିବ। ଏହି ଗସ୍ତ ଦୁଇ ଅଞ୍ଚଳ ମଧ୍ୟରେ ଦୀର୍ଘସ୍ଥାୟୀ ସହଯୋଗର ଏକ ମଜଭୁତ ଭିତ୍ତିଭୂମି ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଏହି ପ୍ରତିନିଧିମଣ୍ଡଳୀରେ ଟୋଟୋରୀ ପ୍ରିଫେକ୍ଚରର ମୁଖ୍ୟ ଶାସନ ସଚିବ ଶ୍ରୀ ତୋଶିକି ଏଣ୍ଡୋ, ବାଣିଜ୍ୟ ବିଭାଗର ମହାନିର୍ଦ୍ଦେଶକ ଶ୍ରୀ ସାସାକି, ସାନ୍-ଇନ୍ ଗୋଡୋ ବ୍ୟାଙ୍କର ନିର୍ଦ୍ଦେଶିକା ଶ୍ରୀମତୀ ୟୋଶିଓକା, ଟୋଟୋରୀ ପ୍ରିଫେକ୍ଚରାଲ୍ ଆସେମ୍ବଲିର ସଦସ୍ୟ, ବ୍ୟବସାୟିକ ପ୍ରତିନିଧି ଓ ଛାତ୍ର ପ୍ରତିନିଧିମାନେ ସାମିଲ ହେବେ। ଓଡ଼ିଶା ସରକାରଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସରକାରୀ ସଂସ୍ଥାର ପ୍ରତିନିଧିମାନେ ଏହି ଗସ୍ତର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ଗସ୍ତର ପ୍ରଥମ ଦିନରେ ଭୁବନେଶ୍ୱରସ୍ଥିତ ଓ-ହବ୍‌ଠାରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଏକ ବ୍ୟବସାୟିକ ଆଲୋଚନା ଆୟୋଜନ କରାଯିବ। ଏହାସହ ଜାପାନୀ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (CTTC) ପରିଦର୍ଶନ କରିବେ। ଏଠାରେ ସେମାନେ ଓଡ଼ିଶାର ବୈଷୟିକ ପ୍ରଶିକ୍ଷଣ ବ୍ୟବସ୍ଥା, ଉତ୍ପାଦନ କ୍ଷମତା ଓ ଶିଳ୍ପ ସହାୟକ ଭିତ୍ତିଭୂମି ସମ୍ପର୍କରେ ଅବଗତ ହେବେ। ଏହି ଅବସରରେ ଭୁବନେଶ୍ୱରରେ ବ୍ୟବସାୟିକ ରାଉଣ୍ଡ ଟେବୁଲ୍ ବୈଠକ ମଧ୍ୟ ଆୟୋଜିତ ହେବ। ଏଥିରେ ଜାପାନୀ ବ୍ୟବସାୟିକ ପ୍ରତିନିଧି, ଓଡ଼ିଶା ସରକାରଙ୍କ ବିଭିନ୍ନ ସଂସ୍ଥା ଓ ଶିଳ୍ପ ଜଗତର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। IPICOL ଓ ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶାରେ ପୁଞ୍ଜିନିବେଶର ସୁଯୋଗ, ଶିଳ୍ପ ପରିବେଶ ଓ ବ୍ୟବସାୟ ପାଇଁ ଉପଲବ୍ଧ ସୁବିଧା ସମ୍ପର୍କରେ ଉପସ୍ଥାପନା କରାଯିବ। ଓଡ଼ିଶାରେ କାର୍ଯ୍ୟରତ ଜାପାନୀ କମ୍ପାନୀଗୁଡ଼ିକ ସହ IPICOL, IDCO, APICOL, CTTC, OSIC ଓ ଅନ୍ୟାନ୍ୟ ସରକାରୀ ସଂସ୍ଥାର ପ୍ରତିନିଧିମାନେ ଆଲୋଚନାରେ ଭାଗ ନେବେ।

ଗସ୍ତର ଦ୍ୱିତୀୟ ଦିନରେ ଜାପାନୀ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ଖୋର୍ଦ୍ଧାସ୍ଥିତ ଫୁଡ୍ ପ୍ରୋସେସିଂ ପାର୍କରେ ଥିବା ଇଣ୍ଡୋ-ନିସିନ୍ (Indo-Nissin) କାରଖାନା ପରିଦର୍ଶନ କରିବେ। ଏହି ପରିଦର୍ଶନ ମାଧ୍ୟମରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଓ ଉତ୍ପାଦନ କ୍ଷେତ୍ରରେ ଥିବା ସମ୍ଭାବନା ଓ ସାମର୍ଥ୍ୟକୁ ପ୍ରଦର୍ଶିତ କରାଯିବ। ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ଟୋଟୋରୀ ପ୍ରିଫେକ୍ଚରର ମାନ୍ୟବର ରାଜ୍ୟପାଳ ଶ୍ରୀ ଶିଞ୍ଜି ହିରାଇଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଏହାପରେ ଭୁବନେଶ୍ୱରସ୍ଥିତ ରାଜ୍ୟ କନଭେନସନ୍ ସେଣ୍ଟରଠାରେ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଓଡ଼ିଶା ସରକାର ଓ ଟୋଟୋରୀ ପ୍ରିଫେକ୍ଚରାଲ୍ ସରକାରଙ୍କ ମଧ୍ୟରେ ଏକ ବନ୍ଧୁତା ଓ ସହଯୋଗ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଯୋଜନା ରହିଛି। ଏହି ଚୁକ୍ତିନାମା ମାଧ୍ୟମରେ ଅର୍ଥନୈତିକ ଆଦାନପ୍ରଦାନ, ପର୍ଯ୍ୟଟନ, ସଂସ୍କୃତି, ପରିବେଶ, ଅଧିକାରୀ ଓ କର୍ମଚାରୀଙ୍କ ଆଦାନପ୍ରଦାନ ଏବଂ ଯୁବ ବିନିମୟ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଏକ ସୁଦୃଢ଼ ଢାଞ୍ଚା ସୃଷ୍ଟି ହେବ।

ଏଥିସହ ଦୁଇଟି ଅନୁଷ୍ଠାନିକ ବୁଝାମଣାପତ୍ର (MoU) ମଧ୍ୟ ଆଦାନପ୍ରଦାନ ହେବ। ପ୍ରଥମ ବୁଝାମଣାପତ୍ର ଷ୍ଟାର୍ଟଅପ୍ ଓଡ଼ିଶା ଓ ଟୋଟୋରୀ ପ୍ରିଫେକ୍ଚରର ଶିଳ୍ପ ନିର୍ଦ୍ଦେଶକଙ୍କ ମଧ୍ୟରେ ଏବଂ ଦ୍ୱିତୀୟଟି ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଓ ଟୋଟୋରୀ ମଧ୍ୟରେ ହେବାକୁ ସ୍ଥିର ହୋଇଛି। ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଓଡ଼ିଶା ଓ ଟୋଟୋରୀର ଛାତ୍ର ପ୍ରତିନିଧିମାନେ ମଧ୍ୟ ଯୋଗଦେବେ। ଏହା ଦୁଇ ଅଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ ଶିକ୍ଷାଗତ ଆଦାନପ୍ରଦାନ, ପାରସ୍ପରିକ ବୁଝାମଣା ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାରେ ସହାୟକ ହେବ।

ଆନୁଷ୍ଠାନିକ କାର୍ଯ୍ୟକ୍ରମ ପରେ ଟୋଟୋରୀର ମାନ୍ୟବର ରାଜ୍ୟପାଳ ଓ ପ୍ରତିନିଧିମଣ୍ଡଳୀ ମଞ୍ଚେଶ୍ୱରସ୍ଥିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବେ। ସେହିଦିନ ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରସ୍ଥିତ କଳାଭୂମିଠାରେ ଜାପାନୀ ପ୍ରତିନିଧିମଣ୍ଡଳୀଙ୍କ ସମ୍ମାନାର୍ଥେ ଏକ ରାତ୍ରିଭୋଜନର ଆୟୋଜନ କରିବେ। ଏହି ଅବସରରେ ଓଡ଼ିଶା ଓ ଟୋଟୋରୀର କଳାକାରମାନେ ନିଜ ନିଜ ଅଞ୍ଚଳର ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଗସ୍ତର ଶେଷ ଦିନରେ ପ୍ରତିନିଧିମଣ୍ଡଳୀ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବେ।

ଏହି ଗସ୍ତ ଓଡ଼ିଶା ଓ ଟୋଟୋରୀ ମଧ୍ୟରେ କେବଳ ସରକାରୀ ସମ୍ପର୍କକୁ ନୁହେଁ, ବରଂ ବ୍ୟବସାୟିକ ସମୁଦାୟ, ଉଦ୍ୟୋଗୀ, ଦକ୍ଷତା ବିକାଶ ଅନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟ ସହଯୋଗର ନୂଆ ସୁଯୋଗ ସୃଷ୍ଟି କରିବ। ଏହା ଦୁଇ ଅଞ୍ଚଳ ମଧ୍ୟରେ ଅର୍ଥନୈତିକ, ଅନୁଷ୍ଠାନିକ ଓ ସାଂସ୍କୃତିକ ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବା ସହ ଭବିଷ୍ୟତରେ ପାରସ୍ପରିକ ବିକାଶ ଓ ସମୃଦ୍ଧିର ନୂଆ ଦ୍ୱାର ଖୋଲିବ।

Leave a Reply

Your email address will not be published. Required fields are marked *

You missed