କଳିଙ୍ଗ ଷ୍ଟୁଡିଓରେ ‘ଦେବକନ୍ୟା’ର ସ୍ୱତନ୍ତ୍ର ପ୍ରଦର୍ଶନ, ନଭେମ୍ବର ୨୦ରୁ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର
ଭୁବନେଶ୍ୱର: ଓଡ଼ିଆ ଲୋକକଳା, ସଂସ୍କୃତି ଓ ପରମ୍ପରାର ଝଲକ ନେଇ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଦେବକନ୍ୟା’କୁ ନେଇ ଚଳଚ୍ଚିତ୍ର ଜଗତରେ ଉତ୍ସାହ ଦେଖାଦେଇଛି। ସୁପ୍ରିମ୍ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ଏହି ସିନେମାର ଏକ ସ୍ୱତନ୍ତ୍ର ପ୍ରଦର୍ଶନ ଗୁରୁବାର କଳିଙ୍ଗ ଷ୍ଟୁଡିଓଠାରେ ଅନୁଷ୍ଠିତ ହୋଇଛି। ଚଳଚ୍ଚିତ୍ରଟି ନଭେମ୍ବର ୨୦ ତାରିଖରୁ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆରମ୍ଭ ହୋଇଥିବା ଏହି ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନରେ ବହୁ ବିଶିଷ୍ଟ ଅତିଥି, ବୁଦ୍ଧିଜୀବୀ, କଳାକାର, ପ୍ରଯୋଜକ, ନିର୍ଦ୍ଦେଶକ, ବୈଷୟିକ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ। ସିନେମା ଦେଖିବା ପରେ ଦର୍ଶକଙ୍କ କରତାଳି ଓ ଶୁଭେଚ୍ଛା ‘ଦେବକନ୍ୟା’ ଟିମ୍ର ମନୋବଳ ବଢ଼ାଇବା ସହ ଆଗାମୀ ଦିନ ପାଇଁ ନୂଆ ଆଶା ସଞ୍ଚାର କରିଛି।
ଏହି ଅବସରରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ପୂର୍ବତନ ବିଧାୟକ ତଥା ବରିଷ୍ଠ ସମାଜସେବୀ ସୁରେଶ ରାଉତରାୟ, ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଡ. ରୋଜାଲିନ୍ ପଟ୍ଟଶାଣି ଉପସ୍ଥିତ ରହିଥିଲେ। ମଞ୍ଚରେ କଲଚରାଲ ଆଡଭାଇଜର ଆଶୁତୋଷ ତ୍ରିପାଠୀ, ପ୍ରଯୋଜକ ସୁରେଶ ସାହୁ, କୁନା ତ୍ରିପାଠୀ, ଚଳଚ୍ଚିତ୍ରର ନାୟକ ଶୁଭାଶିଷ ଶର୍ମା (ମଣ୍ଟୁ) ଓ କେଦାର ମିଶ୍ରଙ୍କ ସମେତ ଅନ୍ୟ କଳାକାର ଉପସ୍ଥିତ ଥିଲେ।
ପ୍ରସିଦ୍ଧ ନାଟ୍ୟକାର ଶଙ୍କର ତ୍ରିପାଠୀ ଏହି ସିନେମାର କାହାଣୀ ରଚନା କରିଥିବା ବେଳେ ସୁରେଶ ସାହୁ ଓ ଭାର୍ଗବୀ ତ୍ରିପାଠୀ ପ୍ରଯୋଜନା କରିଛନ୍ତି। ରାଶେଷ ମହାନ୍ତି ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନାରେ ବିକାଶ ଦାସ, ନୃତ୍ୟ ନିର୍ଦ୍ଦେଶନାରେ ଲୁବୁନ୍-ଟୁବୁନ୍ ଓ ବିଦୁ, ଚିତ୍ରତ୍ତୋଳନରେ ସୁଦର୍ଶନ ସେନାପତି ଏବଂ ସମ୍ପାଦନାରେ ଚନ୍ଦ୍ରଶେଖର ମିଶ୍ର ଦାୟିତ୍ୱ ତୁଲାଇଛନ୍ତି।
ମହେଶ ବାରିକ କାର୍ଯ୍ୟକାରୀ ପ୍ରଯୋଜକ ଏବଂ ଭରତ ସେଠୀ ପ୍ରଡକ୍ସନ ଡିଜାଇନର ଭାବେ କାର୍ଯ୍ୟ କରିଛନ୍ତି। ଆଶୁତୋଷ ତ୍ରିପାଠୀଙ୍କ କଲଚରାଲ ଆଡଭାଇଜରିରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବା ବେଳେ ପ୍ରଚାର ଓ ପ୍ରସାର ଦାୟିତ୍ୱ ପ୍ରଣୟ ଜେଠୀ ଓ ତାଙ୍କ ଟିମ୍ ସମ୍ଭାଳିଛନ୍ତି।
ଚଳଚ୍ଚିତ୍ରରେ କୁନା ତ୍ରିପାଠୀ, ଅଶ୍ରୁମୋଚନ ମହାନ୍ତି, କେଦାର ମିଶ୍ର, ରବି ମିଶ୍ର, ଦେବ, ରବୀନ୍ଦ୍ରନାଥ ସିଂ, ନୂତନ, ଲୋପା, ଧରିତ୍ରୀ, ଶମ୍ଭୁନାଥ ଖୁଣ୍ଟିଆ, ବିପିନ ଗୋଛିକାର ଓ ଶିଶୁ କଳାକାର କିରନଜିତ୍ ପ୍ରମୁଖ ଅଭିନୟ କରିଛନ୍ତି। ନାୟକ ଶୁଭାଶିଷ ଶର୍ମା ଶୀର୍ଷକ ଭୂମିକାରେ ନଜର ଆସିବାକୁ ଥିବାବେଳେ ନବାଗତା ନାୟିକା ସୁଶ୍ରୀଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କ ପାଇଁ ଆକର୍ଷଣ ରହିବ।
କାର୍ଯ୍ୟକ୍ରମରେ ‘ଦେବକନ୍ୟା’ ଚଳଚ୍ଚିତ୍ର ପରିବାରର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଣୟ ଜେଠୀ ଓ ଅଭିନେତା କୁନା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ଏବେ ନଭେମ୍ବର ୨୦ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାକୁ ଥିବାରୁ ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସୁକତା ବଢ଼ିଛି।
