Spread the love

​ *କୃଷକଙ୍କ ତାଲିମ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା କୃଷି ବିଭାଗ ଏବଂ ପାରାଦୀପ ଫସଫେଟସ୍ ଲିମିଟେଡ୍ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ*

ଭୁବନେଶ୍ୱର, ୬ ନଭେମ୍ବର ୨୦୨୬:

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ପାରାଦୀପ ଫସଫେଟସ୍ ଲିମିଟେଡ୍ ମଧ୍ୟରେ ଏକ ଯୁଗାନ୍ତକାରୀ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ରାଜ୍ୟ କୃଷି ତାଲିମ ଓ ସମ୍ପ୍ରସାରଣ ସଂସ୍ଥାନ ଅଧୀନରେ କୃଷକ ତାଲିମ ବିଦ୍ୟାଳୟର ପରିଚାଳନା ଏବଂ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ଏହି ବୁଝାମଣାପତ୍ର ସ୍ଵାକ୍ଷର କରାଯାଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦିଗଦର୍ଶନରେ ଆରମ୍ଭ ହୋଇଥିବା ଏହି ସହଭାଗିତା ବେସରକାରୀ କ୍ଷେତ୍ରର ଦକ୍ଷତାକୁ ବ୍ୟବହାର କରି ଏବଂ ତାଲିମ ଭିତ୍ତିଭୂମିର ବିକାଶ କରି ଏହି ପ୍ରମୁଖ ସଂସ୍ଥାନକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖିଛି।
ଏହି ବୁଝାମଣା ଅନୁଯାୟୀ, ପାରାଦୀପ ଫସଫେଟସ୍ ଲିମିଟେଡ୍ କୃଷକ ଏବଂ କୃଷି କର୍ମଚାରୀଙ୍କ ପାଇଁ ବର୍ଷସାରା ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସଂସ୍ଥାନ ପରିସରର ରକ୍ଷଣାବେକ୍ଷଣ, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଉଦ୍ୟାନର ସୌନ୍ଦର୍ଯ୍ୟକରଣ ଏବଂ ମାସିକ ବିଦ୍ୟୁତ୍ ଦେୟର ୪୦ ପ୍ରତିଶତ ବହନ କରିବ। ଏହାସହିତ ରିଅଲ ଟାଇମ କୃଷି ପରାମର୍ଶ ସେବା ଯୋଗାଇଦେବା ପାଇଁ ରାଜ୍ୟ କୃଷି ତାଲିମ ଓ ସମ୍ପ୍ରସାରଣ ସଂସ୍ଥାନ ଠାରେ ଜଣେ ସ୍ୱତନ୍ତ୍ର ବୈଷୟିକ ବିଶେଷଜ୍ଞ ମଧ୍ୟ ନିୟୋଜିତ ହେବେ।
ଏହି ମିଳିତ ଉଦ୍ୟମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଧୁନିକ କୃଷି ପ୍ରଯୁକ୍ତିବିଦ୍ୟାର ପ୍ରସାର, ବୈଷୟିକ ଜ୍ଞାନକୌଶଳର ବୃଦ୍ଧି, କୃଷି ଉଦ୍ୟମିତାକୁ ଉତ୍ସାହିତ କରିବା ଏବଂ ବିଶେଷ କରି ‘ଆଗ୍ରୋ-ସର୍ଭିସ୍ ସେଣ୍ଟର’ ମାଧ୍ୟମରେ ଗ୍ରାମାଞ୍ଚଳର ଯୁବକଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା। ଏହି ବୁଝାମଣାପତ୍ର ସ୍ଵାକ୍ଷର ସମାରୋହରେ କୃଷି ବିଭାଗ କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ୍ ରାମଚନ୍ଦ୍ର ଜାଧବ, କୃଷି ନିର୍ଦ୍ଦେଶକ ଡଃ ପୋମା ଟୁଡୁ, ଆପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ମିଶ୍ର, ପାରାଦୀପ ଫସଫେଟସ୍ ଲିମିଟେଡ୍ ର ଜୋନାଲ ମ୍ୟାନେଜର ଡଃ ବି. କେ. ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଓଡ଼ିଶାରେ କୃଷି ବିକାଶ ପାଇଁ ଏକ ସ୍ଥାୟୀ ପିପିପି ମଡେଲ ପ୍ରତିଷ୍ଠା କରିବା ସହ ରାଜ୍ୟ କୃଷି ତାଲିମ ଓ ସମ୍ପ୍ରସାରଣ ସଂସ୍ଥାନକୁ କୃଷି ତାଲିମ, ଜ୍ଞାନକୌଶଳ ହସ୍ତାନ୍ତର ଏବଂ ସମ୍ପ୍ରସାରଣ ସେବାର ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ।

 

Leave a Reply

Your email address will not be published. Required fields are marked *