### ଗ୍ରାମୀଣ ଯୁବକଯୁବତୀଙ୍କୁ ଦକ୍ଷତାଭିତ୍ତିକ ନିଯୁକ୍ତି ସୁଯୋଗ ଦେବାକୁ ଓରମାସ୍ର ପ୍ରୟାସ
### ଡିଡିୟୁ-ଜିକେୱାଇ ୨.୦ର ସଫଳ ରୂପାୟଣ ଉପରେ ଗୁରୁତ୍ୱ; ୨୦୨୮ ସୁଦ୍ଧା ୬୨ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଲକ୍ଷ୍ୟ
ଭୁବନେଶ୍ୱର: ରାଜ୍ୟର ଗ୍ରାମୀଣ ଯୁବକଯୁବତୀଙ୍କୁ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣ ଦେବା ସହ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଦିଗରେ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମାଜ (ଓରମାସ୍) ପକ୍ଷରୁ ଉଦ୍ୟମ ଜୋରଦାର କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା (ଡିଡିୟୁ-ଜିକେୱାଇ) ୨.୦ର ସଫଳ କାର୍ଯ୍ୟକାରିତା ଲକ୍ଷ୍ୟରେ ଦୁଇଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି।

ଏହି ପ୍ରଶିକ୍ଷଣ ଶିବିରକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଡିଡିୟୁ-ଜିକେୱାଇ ଯୋଜନାର କାର୍ଯ୍ୟକାରିତାକୁ ଅଧିକ ସୁଦୃଢ଼ କରିବା, ପ୍ରଶିକ୍ଷଣର ଗୁଣବତ୍ତା ବୃଦ୍ଧି ଏବଂ ଯୁବବର୍ଗଙ୍କୁ ନିଯୁକ୍ତି ଉପଯୋଗୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ସୂଚନା ଅନୁଯାୟୀ, ଡିଡିୟୁ-ଜିକେୱାଇ ଯୋଜନା ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାୟ ୨ ଲକ୍ଷ ୧୦ ହଜାର ଗ୍ରାମୀଣ ଯୁବକଯୁବତୀଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୧ ଲକ୍ଷ ୨୩ ହଜାରରୁ ଅଧିକ ଯୁବକଯୁବତୀ ନିଯୁକ୍ତି ପାଇ ସାରିଛନ୍ତି। ଏହା ଗ୍ରାମୀଣ ଅଞ୍ଚଳରେ ଯୁବବର୍ଗଙ୍କ ଆର୍ଥିକ ସ୍ୱାବଲମ୍ବନ ଦିଗରେ ଏକ ଉଲ୍ଲେଖନୀୟ ସଫଳତା।

ଅନ୍ୟପକ୍ଷରେ, ୨୦୨୫ରୁ ୨୦୨୮ ମସିହା ପର୍ଯ୍ୟନ୍ତ ଚାଲିବାକୁ ଥିବା ଯୋଜନାରେ ରାଜ୍ୟର ୬୨ ହଜାର ୫୦ ଜଣ ଗ୍ରାମୀଣ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ପ୍ରାୟ ୭୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ଯୋଜନାର ନୂତନ ପର୍ଯ୍ୟାୟ ମାଧ୍ୟମରେ ଗ୍ରାମୀଣ ଯୁବକଯୁବତୀଙ୍କୁ ଶିଳ୍ପ ଓ ବଜାରର ଆବଶ୍ୟକତା ଅନୁଯାୟୀ ଦକ୍ଷତା ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ପାଇଁ ନିଯୁକ୍ତିର ସ୍ଥାୟୀ ସୁଯୋଗ ସୃଷ୍ଟି କରିବା ଓରମାସ୍ର ପ୍ରମୁଖ ଲକ୍ଷ୍ୟ ରହିଛି। ଏହାଦ୍ୱାରା ଗ୍ରାମାଞ୍ଚଳର ଯୁବଶକ୍ତି ଆତ୍ମନିର୍ଭରଶୀଳ ହେବା ସହ ରାଜ୍ୟର ଆର୍ଥିକ ଓ ସାମାଜିକ ବିକାଶକୁ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି।
