### ଛେଣ୍ଡିପଦାରେ ବିଜେଡିକୁ ଝଟକା! ବିଜେପିରେ ସାମିଲ ହେଲେ ଅନେକ କାର୍ଯ୍ୟକର୍ତ୍ତା
ବିଧାୟକ ଅଗସ୍ତି ବେହେରାଙ୍କ ଉପସ୍ଥିତିରେ ଦଳୀୟ ମିଶ୍ରଣ ପର୍ବ
ଛେଣ୍ଡିପଦା: ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ରାଜନୀତିରେ ନୂଆ ସମୀକରଣ। ଟାଙ୍ଗିରି ପଞ୍ଚାୟତର ବିଜୁ ଜନତା ଦଳ (ବିଜେଡି)ର ଅନେକ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଇଛନ୍ତି। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଉପସ୍ଥିତିରେ ଆୟୋଜିତ ଦଳୀୟ ମିଶ୍ରଣ ପର୍ବରେ ସେମାନେ ବିଜେପିରେ ସାମିଲ ହୋଇଥିଲେ।
ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଡବଲ୍ ଇଞ୍ଜିନ ସରକାରଙ୍କ ବିକାଶମୂଳକ ଓ ଜନକଲ୍ୟାଣକାରୀ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଏହି କାର୍ଯ୍ୟକର୍ତ୍ତାମାନେ ପଦ୍ମ ଶିବିରରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି।
ନୂତନ ଭାବେ ଦଳରେ ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ ଜଣାଇ ବିଧାୟକ ଅଗସ୍ତି ବେହେରା କହିଥିଲେ ଯେ, ସେମାନଙ୍କ ଯୋଗଦାନ ଦଳୀୟ ସଂଗଠନକୁ ଅଧିକ ମଜଭୁତ କରିବ। ଏହାସହ ଟାଙ୍ଗିରି ପଞ୍ଚାୟତ ସମେତ ସମଗ୍ର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ଜନସେବା ଓ ବିକାଶମୂଳକ କାର୍ଯ୍ୟକୁ ଆଗକୁ ବଢ଼ାଇବାରେ ସେମାନଙ୍କ ସହଯୋଗ ମିଳିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଏହି ମିଶ୍ରଣ ପର୍ବକୁ ଛେଣ୍ଡିପଦାରେ ବିଜେପିର ସାଂଗଠନିକ ସମ୍ପ୍ରସାରଣ ଦିଗରେ ଏକ ପଦକ୍ଷେପ ଭାବେ ଦଳୀୟ ମହଲରେ ଦେଖାଯାଉଛି।
