*ଜିଲ୍ଲାସ୍ତରୀୟ ‘ମାଣ୍ଡିଆ ଦିବସ’ ପାଳିତ*
– ଦୈନନ୍ଦିନ ଖାଦ୍ୟ ସରଣୀରେ ମାଣ୍ଡିଆ ଓ କ୍ଷୁଦ୍ର ଶସ୍ୟର ବ୍ୟବହାର ବୃଦ୍ଧି ପାଇଁ ଆହ୍ୱାନ
ଅନୁଗୋଳ, ୦୫.୧୧ : ଜିଲ୍ଲା କୃଷି ବିଭାଗ ତରଫରୁ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ସଭାଗୃହଠାରେ ଜିଲ୍ଲାସ୍ତରୀୟ ‘ମାଣ୍ଡିଆ ଦିବସ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଣ୍ଡିଆର ଉପକାରିତା ସମ୍ପର୍କରେ ବର୍ଣ୍ଣନା କରିବା ସହ ସାର୍ବଜନୀନ ସ୍ଥାନରେ ଏହାର ବ୍ୟାପକ ପ୍ରସାର କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନରେ ମାଣ୍ଡିଆ ଲଡ଼ୁର ଅନ୍ତର୍ଭୁକ୍ତୀକରଣକୁ ଉଚ୍ଚ ପ୍ରଶଂସା କରିବା ସହ ବିଦ୍ୟାଳୟ ପରିଦର୍ଶନ ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ସକାରାତ୍ମକ ପ୍ରଭାବ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ଯୋଗ ଦେଇ ମାଣ୍ଡିଆ ଚାଷ ପାଇଁ କମ୍ ପାଣି ଓ କମ୍ ସାରର ଦରକାର ହେଉଥିବାରୁ ଏହା ଚାଷୀଙ୍କ ପାଇଁ ବେଶ୍ ଲାଭଦାୟକ ବୋଲି ମତ ଦେଇ ଏହି ଚାଷ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।

ପରିବର୍ତ୍ତିତ ଜଳବାୟୁ ପରିସ୍ଥିତିରେ ଚାଷୀଙ୍କ ବିକାଶ, ଜନସ୍ୱାସ୍ଥ୍ୟରେ ପୁଷ୍ଟିକର ମାଣ୍ଡିଆର ଭୂମିକା ଏବଂ ଶସ୍ୟ ପର୍ଯ୍ୟାୟରେ କ୍ଷୁଦ୍ର ଶସ୍ୟର ସମ୍ପ୍ରସାରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ଜିଲ୍ଲାରେ ‘ଶ୍ରୀଅନ୍ନ ଅଭିଯାନ’ର ସଫଳତା ଉପରେ ପ୍ରସ୍ତୁତ ଏକ ପ୍ରାମାଣିକ ଚିତ୍ର (ଡକ୍ୟୁମେଣ୍ଟାରୀ) ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଏହା ସହ ମାଣ୍ଡିଆ ଓ କ୍ଷୁଦ୍ର ଶସ୍ୟର ମୂଲ୍ୟଯୁକ୍ତ ଉତ୍ପାଦକୁ ଗୁରୁତ୍ୱ ଦେବା ଏବଂ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ” ମାଣ୍ଡିଆ ଖାଦ୍ୟ ମେଳା”ର ଆୟୋଜନ କରାଯାଇ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦୀପ ଗଡ଼ନାୟକ, ମାନ୍ୟବର ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ ପ୍ରଧାନ ଏବଂ ମାନ୍ୟବର ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଶ୍ରୀ ଚୌଧୁରୀ ପ୍ରଧାନଙ୍କ ସମେତ ବିଭାଗୀୟ ଅଧିକାରୀ, ଜିଲ୍ଲାର ୫ଟି ମିଲେଟ ବ୍ଲକର କୃଷକ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଦିବ୍ୟ ସ୍ୱରୂପ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ କୃଷି ସହକାରୀ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଭାତୀ ରାମ ଧନ୍ୟବାଦ ଅର୍ପଣ କରିଥିଲେ।

