ଜୟକିଷାନ ଆନ୍ଦୋଳନ ତରଫରୁ ଛଅ ଦଫା ଦାବି ନେଇ ବିଧାୟକ ଙ୍କୁ ଦେଲେ ଦାବିପତ୍ର
ଭଟଲି (ଅଭିମନ୍ୟୁ ପଧାନ):- ଆଜି ଜୟ କିସାନ ଆନ୍ଦୋଳନ ତରଫରୁ ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ର ଭଟଲି, ସୋହେଲା ଏବଂ ଅମ୍ବାଭୋନା ବ୍ଲକ ର ଦୁଇଶହ ରୁ ଅଧିକ ଚାଷୀ ଧାନ ବିକ୍ରି ସମସ୍ୟା କୁ ନେଇ ଛଅ ଦଫା ଦାବୀ ସମ୍ବଳିତ ଏକ ଦାବି ପତ୍ର ବିଧାୟକ ଇରାଶିଷ ଆଚାର୍ଯ୍ୟ ଙ୍କୁ ପ୍ରଦାନ କରିଛନ୍ତି। ଭଟଲି ସ୍ଥିତ ବିଧାୟକ ଙ୍କ କାର୍ଯ୍ୟଲୟ ରେ ଏହି ଦାବି ପତ୍ର ପ୍ରଦାନ କରାଯାଇଥିଲା। ଧାନ ବିକ୍ରି ରେ ଏଗ୍ରୀଷ୍ଟେକ କୁ ବାଦ ଦେବା , ପଞ୍ଜିକୃତ ହୋଇଥିବା ସମସ୍ତ ଚାଷୀଙ୍କୁ ସମସ୍ତ ଜମି ର ଟୋକନ ପ୍ରଦାନ କରିବା , ଗତ ବର୍ଷ ଭଲି ଚଳିତ ରୁତୁ ରେ କୌଣସି ଚାଷୀର ଟୋକନ କାଟିବାର ଚେଷ୍ଟା କରାନଯାଉ , ଏକଡ ପ୍ରତି ଅନ୍ତତଃ ୨୦ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଉ, ମିଲ ମାଲିକମାନଙ୍କ ଉପରେ ନିର୍ଭର ନ କରି ସରକାର ନିଜ ଦାୟିତ୍ୱ ରେ କେପ ଷ୍ଟୋରେଜ୍ ଜରିଆରେ ୟାଡ ରେ ଧାନ ଗଚ୍ଛିତ ରଖିବାର ବ୍ଯବସ୍ଥା କରନ୍ତୁ ଏବଂ ଜିଲ୍ଲା ସ୍ତରୀୟ କ୍ରୟ ସମିତି କୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ଏହି ସବୁ ଦାବି କୁ ନେଇ ବିଧାୟକ ଙ୍କ ସହିତ ଚାଷୀମାନେ ଆଲୋଚନା କରିଥିଲେ। ଜୟ କିସାନ ଆନ୍ଦୋଳନ ତରଫରୁ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ ଯେ ସରକାର ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ଚାଷୀମାନଙ୍କୁ ଧାନ କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଇନ୍ପୁଟ ସହାୟତା ଦେଉଛନ୍ତି ସତ କିନ୍ତୁ କଟଣି ଛଟଣି , ଦଲାଲ୍ ରାଜ୍ ଏବଂ ମିଲ ମିଲିକମାନଙ୍କ ଦୌରାତ୍ମ୍ୟ ଓ ଶୋଷଣ ପୂର୍ବରୁ ଆହୁରି ବୃଦ୍ଧି ପାଇଛି । ସରକାର ଚାଷୀମାନଙ୍କ ଠାରୁ କିପରି କମ ଧାନ କିଣିବେ ତା’ ପାଇଁ ବିଭିନ୍ନ ଷଡଯନ୍ତ୍ର କରୁଛନ୍ତି ଏବଂ ଧାନ ସଂଗ୍ରହ ବ୍ଯବସ୍ଥା କୁ ଆହୁରି ଜଟିଳ କରୁଛନ୍ତି। କେତେବେଳେ ବଂଶାବଳି ତ ଆଉ କେତେବେଳେ ଏଗ୍ରୀଷ୍ଟେକ ଭଲି ଚାଷୀ ମାରଣ ନୀତି ଲାଗୁ କରିବା ପାଇଁ ଚେଷ୍ଟା କରୁଛନ୍ତି ଅନ୍ଯ ପକ୍ଷରେ ହଜାର ହଜାର ଚାଷୀଙ୍କ ଟୋକନ କାଟି ଦେଉଛନ୍ତି । ଟୋକନ ପାଉ ନଥିବା ଚାଷୀ ତାର ଧାନ କୁ ସହାୟକ ମୂଲ୍ୟ ଠାରୁ କ୍ବିଣ୍ଟାଲ ପ୍ରତି ୧୦୦୦ ଟଙ୍କା କମ ରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ପଡୋଶୀ ଛତିଶଗଡ ରାଜ୍ୟ ସରକାର ତାଙ୍କ ଚାଷୀମାନଙ୍କ ଠାରୁ ଏକଡ ପ୍ରତି ୨୧ କ୍ବିଣ୍ଟାଲ ଧାନ ସଂଗ୍ରହ କରୁଛନ୍ତି। ଗତ ବର୍ଷ ୧୪୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରି କେପ୍ ଷ୍ଟୋରେଜ୍ ଜରିଆରେ ଖୋଲା ପଡିଆ ଗଚ୍ଛିତ ରଖିଥିବା ବେଳେ ଚଳିତ ବର୍ଷ ୧୬୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେହିପରି ହରିୟାଣା ସରକାର ଏକଡ ପ୍ରତି ୨୮•୩୧ କ୍ବିଣ୍ଟାଲ ଧାନ ସଂଗ୍ରହ କରୁଛନ୍ତି। ଚଳିତ ବର୍ଷ ହରିୟାଣା ର କୃଷକମାନେ ଏହା ଠାରୁ ଅଧିକ ଉତ୍ପାଦନ ହେଉଥିବା ଦାବି କଲାପରେ ସରକାର ବଳକା ଧାନ କୁ ମଧ୍ୟ କିଣିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଓଡିଶା ସରକାର ଏକଡ ପ୍ରତି ମାତ୍ର ୧୩ କ୍ବିଣ୍ଟାଲ କିଣି ଟୋକନ କାଟି ଦେଉଛନ୍ତି। ଏହା ଦୁର୍ଭାଗ୍ୟ ଜନକ ବୋଲି ବିଧାୟକ ଙ୍କୁ ଜଣାଇଥିଲା। ଚାଷୀମାନେ ଆହୁରି କହିଥିଲେ ଯେ ଜିଲ୍ଲା ରେ ୧,୮୬,୬୩୩ ଗୋଟି ପ୍ଲଟ କୁ ସନ୍ଦିଗ୍ଧ ଘୋଷଣା କରିଥିବା ବେଳେ ଭଟଲି ନିର୍ବାଚନ ମଣ୍ଡଳୀ ର ତିନୋଟି ଯାକ ବ୍ଲକ ର ମୋଟ ୫୬,୫୬୫ ଗୋଟି ପ୍ଲଟ କୁ ସନ୍ଦିଗ୍ଧ ଘୋଷଣା କରିଛନ୍ତି। ଚାଷ ହୋଇଥିବା ପ୍ଲଟ କୁ ମଧ୍ଯ ସେଟଲାଇଟ୍ ରେ ଚାଷ ହୋଇ ନଥିବା ଦର୍ଶାଉଛି ଏବଂ ଟୋକନ କାଟି ଦିଆଯାଇଛି।ଏହି ନିର୍ବାଚନ ମଣ୍ଡଳୀ ର (ସୋହେଲା ବ୍ଲକ ୧୮,୩୨୦ ଭଟଲି ବ୍ଲକ ୧୨,୫୪୨ ଏବଂ ଅମ୍ବାଭୋନା ବ୍ଲକ ୭,୭୪୫ ) ମୋଟ ୩୮,୬୦୭ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଟୋକନ ଦେବା ସମୟରେ ଯେପରି କୌଣସି ଚାଷୀର ଟୋକନ କଟା ନ ଯିବ ସେ ଦିଗରେ ସରକାର ଙ୍କ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରନ୍ତୁ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ ଏବଂ ଆସନ୍ତା ବିଧାନସଭା ଅଧିବେଶନର ଚାଷୀମାନଙ୍କ ଏହି ସବୁ ସମସ୍ୟା କୁ ଉପସ୍ଥାପନ କରିବା ପାଇଁ କହିଥିଲେ। ଏହି ଆଲୋଚନା ରେ ଜୟ କିସାନ ଆନ୍ଦୋଳନ ର ଜିଲ୍ଲା ସଂପାଦକ ହର ବଣିଆଁ , ଅରୁଣ କୁମାର ସାହୁ, କିଶୋର ସାହୁ, ଭଟଲି ବ୍ଲକ ସଭାପତି ଅକ୍ଷୟ ପ୍ରଧାନ, ସୋହେଲା ବ୍ଲକ ସଭାପତି ସୁରେନ୍ଦ୍ର, ବିଜୟ ପ୍ରଧାନ, ମାନଭଂଜନ ପ୍ରଧାନ, ଭାରତ ଚନ୍ଦ୍ର ନାୟକ, ଆଶିଷ ମାଝୀ, ନିତ୍ଯାନନ୍ଦ ବେହେରା, ଲକ୍ଷ୍ମଣ ପ୍ରଧାନ, ଚୈତନ୍ଯ ସହୁ, ମୋତିରାମ ସାହୁ ଅଂଶଗ୍ରହଣ କରିଥିଲେ।
