ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୌଳିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ଦକ୍ଷତା ପ୍ରଶିକ୍ଷଣର ପ୍ରମାଣପତ୍ର ବଣ୍ଟନ।
ଜୁନାଗଡ଼. (ବାଲେଶ୍ୱର ସୁନାନୀ, ଜାଗ୍ରତ ଭାରତ ). ଶିକ୍ଷା ସହିତ ସ୍ୱାସ୍ଥ୍ୟ ସଚେତନତା ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇ ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡି ନିର୍ଦ୍ଦେଶକ ଶ୍ରୀ ସୁବ୍ରତ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନାନ୍ଦୋଲଠାରେ ମୌଳିକ ସ୍ୱାସ୍ଥ୍ୟ ଓ ସୁସ୍ଥତା ସମ୍ବନ୍ଧୀୟ ଦକ୍ଷତା ପ୍ରଶିକ୍ଷଣର ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଚମ୍ରୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଯୁବ ସାମ୍ବାଦିକ ଶ୍ରୀ ଧୀରେନ୍ଦ୍ର ସୁନାନି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ସେହିପରି ଜନ ଶିକ୍ଷଣ ସଂସ୍ଥାନର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଖିରମଣି କୁମ୍ଭାର, ଅତିରିକ୍ତ ପ୍ରୋଗ୍ରାମ ଅଫିସର ଶ୍ରୀ ଗଙ୍ଗାଧର ନାଏକ ଏବଂ ସ୍ୱାସ୍ଥ୍ୟ ଶିକ୍ଷୟିତ୍ରୀ ଶ୍ରୀମତୀ ଝିଲି ବାଗ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲେ।
ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା, ବ୍ୟକ୍ତିଗତ ସ୍ୱଚ୍ଛତା, ପୁଷ୍ଟିକର ଖାଦ୍ୟ, ରୋଗ ପ୍ରତିରୋଧ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଆବଶ୍ୟକୀୟ ଜ୍ଞାନ ଓ ବ୍ୟବହାରିକ ଦକ୍ଷତା ପ୍ରଦାନ କରିବା।
କାର୍ଯ୍ୟକ୍ରମରେ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ଦୈନନ୍ଦିନ ଜୀବନରେ ସ୍ୱାସ୍ଥ୍ୟ ସଚେତନତାର ଗୁରୁତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ। ଏଥିସହ ଏଭଳି ଦକ୍ଷତାଭିତ୍ତିକ ପ୍ରଶିକ୍ଷଣ ଯୁବପିଢ଼ିଙ୍କୁ ଆତ୍ମନିର୍ଭର ଓ ସଚେତନ କରିବାରେ ସହାୟକ ହେବ ବୋଲି ମତ ଦେଇଥିଲେ।
ଶେଷରେ ପ୍ରଶିକ୍ଷଣ ସମାପ୍ତ କରିଥିବା ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡିର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଓ ଦକ୍ଷତା ବିକାଶର ନୂତନ ଦିଗ ଉନ୍ମୋଚନ କରିବା ସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବ।
