ଟାଇଗର ଶ୍ରଫ୍ଙ୍କୁ ହତ୍ୟା ଷଡ଼ଯନ୍ତ୍ର! ଟ୍ରେନ୍ରେ କେଶ କାଟି ବେଶ ବଦଳାଇଲେ, କୋଟାରେ ଧରାପଡ଼ିଲେ ୩ ଶୁଟର୍
ନୂଆଦିଲ୍ଲୀ, ୨୦ ଅକ୍ଟୋବର: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ହତ୍ୟା କରିବା ପାଇଁ ଯୋଜନା ହୋଇଥିବା ଘଟଣାକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଆକ୍ରମଣ ପରେ ପୁଲିସର ନଜରରୁ ବର୍ତ୍ତିବା ପାଇଁ ତିନି ଜଣ ଶୁଟର୍ ଟ୍ରେନ୍ରେ କେଶ କାଟିବା ସହ ପୋଷାକ ବଦଳାଇଥିଲେ। ହେଲେ ସେମାନଙ୍କର ସବୁ ଯୋଜନା ଫସର ଫାଟିଥିଲା ରାଜସ୍ଥାନର କୋଟା ରେଳଷ୍ଟେସନରେ। ରେଳ ସୁରକ୍ଷା ବାହିନୀ (ଆରପିଏଫ୍)ର ସତର୍କତା ଯୋଗୁଁ ତିନି ଜଣଙ୍କୁ କାବୁ କରାଯାଇଥିଲା।
ଭୁଜିଆ କିଣିବାକୁ ଯାଇ ଧରାପଡ଼ିଲା ନାବାଳକ
ଆକ୍ରମଣ ପରେ ଫେରାର ହେବା ପାଇଁ ତିନି ଜଣ ଟ୍ରେନ୍ରେ ଯାତ୍ରା କରୁଥିଲେ। ପୁଲିସର ନଜରରୁ ବର୍ତ୍ତିବା ଲାଗି ସେମାନଙ୍କ ମଧ୍ୟରୁ ଦୁଇଜଣ ଟ୍ରେନ୍ ଭିତରେ ହିଁ କେଶ କାଟିବା ସହ ପୋଷାକ ବଦଳାଇ ଦେଇଥିଲେ।
କିନ୍ତୁ କୋଟା ରେଳଷ୍ଟେସନରେ ଟ୍ରେନ୍ ଅଟକିଥିବା ସମୟରେ ଜଣେ ନାବାଳକ ଅଭିଯୁକ୍ତଙ୍କୁ ଭୋକ ଲାଗିବାରୁ ସେ ଝରକା ଦେଇ ଜଣେ ବିକ୍ରେତାଙ୍କଠାରୁ ଭୁଜିଆ କିଣିବାକୁ ଲାଗିଥିଲା। ଠିକ୍ ଏହି ସମୟରେ ସାଧା ପୋଷାକରେ ମୁତୟନ ଥିବା ଆରପିଏଫ୍ ଯବାନମାନେ ତାକୁ ଚିହ୍ନି ପାରିଥିଲେ।
ମୁମ୍ବାଇ ପୁଲିସ ପଠାଇଥିବା ଫଟୋ ଆଧାରରେ ଯବାନମାନେ ସନ୍ଦେହ କରି ଟ୍ରେନ୍ ଭିତରକୁ ଯାଇ ପଚରାଉଚରା କରିଥିଲେ। ଭୟଭୀତ ନାବାଳକ ଅନ୍ୟ ଦୁଇ ସାଥୀ ସେହି ବଗିରେ ଶୋଇଥିବା କଥା କହିଦେଇଥିଲା। ଏହାପରେ ଆରପିଏଫ୍ ଯବାନମାନେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ କାବୁ କରିଥିଲେ।
କାଲିଫର୍ନିଆରୁ ଚାଲିଥିଲା ଯୋଜନା!
ତଦନ୍ତରେ ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଘଟଣାର କଥିତ ମାଷ୍ଟରମାଇଣ୍ଡ ଭାବେ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ସେ ରିହାନ ନାମକ ଜଣେ ଯୁବକଙ୍କୁ ଟାଇଗର ଶ୍ରଫ୍ଙ୍କୁ ହତ୍ୟା କରିବା ପାଇଁ ଦାୟିତ୍ୱ ଦେଇଥିବା ତଦନ୍ତରେ ସାମ୍ନାକୁ ଆସିଛି। ଏଥିସହ ତାଙ୍କୁ ବିଦେଶ ପଠାଇବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା।
ଅନିଲ ପଣ୍ଡିତ କାଲିଫର୍ନିଆରୁ ଅନଲାଇନ୍ ମାଧ୍ୟମରେ ଅଭିଯୁକ୍ତମାନଙ୍କ ସହ ଯୋଡ଼ି ହୋଇ ରହୁଥିଲା। ଆକ୍ରମଣ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ଅଗ୍ରିମ ଭାବେ ଅଢ଼େଇ ଲକ୍ଷ ଟଙ୍କା ଦେଇଥିବା ତଥ୍ୟ ତଦନ୍ତରୁ ମିଳିଛି।
ଅନ୍ୟ ଜଣେ ଅଭିଯୁକ୍ତ ଋଷିକାନ୍ତଙ୍କୁ ଟାଇଗର ଶ୍ରଫ୍ଙ୍କ ଗତିବିଧି ଓ ଅବସ୍ଥିତି ଉପରେ ନଜର ରଖିବାର ଦାୟିତ୍ୱ ଦିଆଯାଇଥିଲା। ତିନି ଜଣ ପ୍ରାୟ ଏକ ମାସ ଧରି ମୁମ୍ବାଇର ଏକ ହୋଟେଲରେ ରହୁଥିଲେ। ସେମାନଙ୍କ ଦୈନନ୍ଦିନ ଖର୍ଚ୍ଚ ପାଇଁ ପ୍ରତିଦିନ ୫ରୁ ୧୦ ହଜାର ଟଙ୍କା ଅନଲାଇନ୍ରେ ପଠାଯାଉଥିଲା। ‘ଜଙ୍ଗୀ’ ଆପ୍ ମାଧ୍ୟମରେ ମଧ୍ୟ ସେମାନଙ୍କ ମଧ୍ୟରେ ଯୋଗାଯୋଗ ଚାଲିଥିଲା।
ଦିଲ୍ଲୀ ଦେଇ ନେପାଳ ପଳାଇବାକୁ ଥିଲା ଯୋଜନା
ଆକ୍ରମଣ ପରେ ତିନି ଜଣ ପ୍ରଥମେ ଦିଲ୍ଲୀ ଏବଂ ପରେ ନେପାଳ ପଳାଇବାକୁ ଯୋଜନା କରିଥିଲେ। ନିଜର ପରିଚୟ ଲୁଚାଇବା ପାଇଁ ରିହାନ ଓ ନାବାଳକ ଅଭିଯୁକ୍ତ ଟ୍ରେନ୍ ଭିତରେ କେଶ କାଟିବା ସହ ପୋଷାକ ବଦଳାଇଥିଲେ। ସେମାନେ ଗୋଟିଏ ବଗିରେ ଭିନ୍ନ ଭିନ୍ନ ସିଟ୍ରେ ବସି ଯାତ୍ରା କରୁଥିଲେ।
କିନ୍ତୁ କୋଟା ଷ୍ଟେସନରେ ଭୁଜିଆ କିଣିବା ଘଟଣା ସେମାନଙ୍କ ପାଇଁ କାଳ ହୋଇଥିଲା। ଆରପିଏଫ୍ ଯବାନଙ୍କ ସତର୍କତା ଓ କୋଟା ପୁଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ତିନି ଜଣଙ୍କ ଫେରାର ଯୋଜନା ବିଫଳ ହୋଇଥିଲା।
ଏହି ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତରେ ତଥ୍ୟ ସାମ୍ନାକୁ ଆସିଛି। ଟାଇଗର ଶ୍ରଫ୍ଙ୍କ ଉପରେ ଆକ୍ରମଣର ଯୋଜନା, ଅର୍ଥ ଯୋଗାଣ ଓ ଅଭିଯୁକ୍ତଙ୍କ ଫେରାର ଯୋଜନା ସମ୍ପର୍କରେ ପୁଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି।
