Spread the love

ନୂଆଦିଲ୍ଲୀ: ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇବେ ପ୍ରଧାନମନ୍ତ୍ରୀ ମୋଦୀ l ଡୋମିନିକା ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର’ ପାଇବେ ମୋଦୀ l ଗୁଆନାରେ ହେବାକୁ ଥିବା ଭାରତ-କାରିକୋମ୍ ସମିଟ୍‌ରେ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ l କୋଭିଡ ବେଳେ ଭାରତର ସହଯୋଗ ପାଇଁ ମୋଦୀଙ୍କୁ ଏହି ସମ୍ମାନ ମିଳିବ l

କୋଭିଡ -୧୯ ମହାମାରୀ ସମୟରେ ନିଜ ଦେଶକୁ ସାହାଯ୍ୟ କରିବା ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବାର ନିଷ୍ପତି ନେଇଛନ୍ତି ଡୋମିନିକା ସରକାର l ଏଥିପାଇଁ ଡୋମିନିକାର ସର୍ବୋଚ୍ଚ ଜାତୀୟ ପୁରସ୍କାର ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର’ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଯିବ। ଏବେଇ ଡୋମିନିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ବିବୃତ୍ତି ପ୍ରକାଶ ପାଇଛି l ସେଥିରେ ଉଲ୍ଲେଖ ଅଛି ଯେ, କୋଭିଡ ମହାମାରୀ ସମୟରେ ଭାରତରୁ ଡୋମିନିକାକୁ ମିଳିଥିବା ସମର୍ଥନ ପାଇଁ ଏବଂ ଏହି ଦୁଇ ଦେଶ ମଧ୍ୟରେ ବଢୁଥିବା ସହଭାଗୀତାର ପ୍ରତୀକ ଭାବରେ ଏହି ପୁରସ୍କାର ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଗତ ଫେବୃଆରୀ 2021 ରେ କୋଭିଡ ମହାମାରୀ ସମୟରେ ଡୋମିନିକାକୁ 70,000 ଡୋଜ ଟିକା ପ୍ରଦାନ କରିଥିଲେ। ଏହି ଟିକା ଯୋଗାଣ ଭାରତର ‘ଟିକା ମୈତ୍ରୀ’ ନୀତି ଅନୁଯାୟୀ କରାଯାଇଥିଲା, ଯାହା ଉଦ୍ଦେଶ୍ୟ ବିକାଶଶୀଳ ଦେଶମାନଙ୍କୁ ମହାମାରୀ ସହ ମୁକାବିଲା କରିବାରେ ସାହାଯ୍ୟ କରିବା ଥିଲା। ଡୋମିନିକାନ୍ ରାଷ୍ଟ୍ରପତି ସିଲବେନ ସିଲଭାନି ବର୍ଟନ୍ ଗୁଆନାରେ ହେବାକୁ ଥିବା ଭାରତ-କାରିକୋମ୍ ସମିଟ୍‌ରେ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ l ଏହି ଅବସରରେ ଭାରତ-କାରିକୋମ୍ ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜବୁତ ହେବ ବୋଲି କୁହାଯାଉଛି l

Leave a Reply

Your email address will not be published. Required fields are marked *

You missed