ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଆଶଙ୍କା! ଗଞ୍ଜାମରୁ ଶ୍ରୀକାକୁଲମ୍ ଯାଏଁ ସମ୍ଭାବ୍ୟ ବିପଦ, ୧୯ ଓ ୨୦ରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର, ୧୫/୧୧: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଓ ଘନୀଭୂତ ହେଉଥିବା ପାଣିପାଗୀୟ ସିଷ୍ଟମକୁ ନେଇ ଓଡ଼ିଶାରେ ବଢ଼ିଛି ଚିନ୍ତା। ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତାକୁ ନେଇ ବିଭିନ୍ନ ପାଣିପାଗ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଥିବା ବେଳେ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ବିଶେଷ ନଜର ରହିଛି। ଗଞ୍ଜାମରୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ପର୍ଯ୍ୟନ୍ତ ଅଞ୍ଚଳ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଭାବେ ଆଲୋଚନାକୁ ଆସିଛି।
ପ୍ରାରମ୍ଭିକ ଆକଳନ ଅନୁଯାୟୀ, ନଭେମ୍ବର ୧୬ ତାରିଖ ବେଳକୁ ସମୁଦ୍ରରେ ସିଷ୍ଟମ୍ଟି ବାତ୍ୟାର ରୂପ ନେଇପାରେ। ଏହା ପରବର୍ତ୍ତୀ ସମୟରେ ଅଧିକ ଶକ୍ତିଶାଳୀ ହୋଇ ନଭେମ୍ବର ୧୮ ତାରିଖ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ଆକଳନ କରାଯାଉଛି। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୫ରୁ ୯୫ କିଲୋମିଟର ଏବଂ ଝଟକା ପବନର ବେଗ ୧୦୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି କିଛି ମଡେଲ୍ ସୂଚାଉଛି।
ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ସମ୍ଭାବ୍ୟ ବାତ୍ୟାର ଗତିପଥ। NCMRWF, ECMWF ଏବଂ NCEP GFS ଭଳି ଅନ୍ତର୍ଜାତୀୟ ପାଣିପାଗ ମଡେଲ୍ଗୁଡ଼ିକ ସିଷ୍ଟମ୍ଟି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିପାରେ ବୋଲି ଆକଳନ କରିଛନ୍ତି। ଉପକୂଳ ନିକଟରେ ପହଞ୍ଚିବା ସମୟରେ ଏହାର କେନ୍ଦ୍ରୀୟ ବାୟୁଚାପ ୯୮୫ରୁ ୯୯୧ ହେକ୍ଟୋପାସ୍କାଲ୍ ମଧ୍ୟରେ ରହିପାରେ।
ୟୁରୋପୀୟ ପାଣିପାଗ ମଡେଲ୍ ECMWFର ଆକଳନ ଅନୁଯାୟୀ, ବାତ୍ୟା ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ। ଅନ୍ୟପକ୍ଷରେ GFS ମଡେଲ୍ ପଲସା ଓ ଗଞ୍ଜାମ ମଧ୍ୟବର୍ତ୍ତୀ ଅଞ୍ଚଳକୁ ସମ୍ଭାବ୍ୟ ଲ୍ୟାଣ୍ଡଫଲ୍ ଅଞ୍ଚଳ ଭାବେ ଦର୍ଶାଉଛି। ତେବେ ICON ମଡେଲ୍ର ଆକଳନ ଭିନ୍ନ। ଏହା ଅନୁଯାୟୀ, ସିଷ୍ଟମ୍ଟି ଓଡ଼ିଶା ଉପକୂଳ ନିକଟ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଗତି କରିପାରେ।
ଅର୍ଥାତ୍ ବାତ୍ୟାର ପ୍ରକୃତ ଗତିପଥ ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ମଡେଲ୍ର ଆକଳନ ମଧ୍ୟରେ ପାର୍ଥକ୍ୟ ରହିଥିବାରୁ ଆଗାମୀ ବୁଲେଟିନ୍ ଉପରେ ନଜର ରହିଛି।
ପ୍ରବଳ ବର୍ଷା ନେଇ ଦକ୍ଷିଣ ଓଡ଼ିଶାକୁ ଆଶଙ୍କା
ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ନଭେମ୍ବର ୧୯ ଓ ୨୦ ତାରିଖକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସମୟ ଭାବେ ଦେଖାଯାଉଛି।
ପ୍ରାରମ୍ଭିକ ବର୍ଷା ଆକଳନ ଅନୁଯାୟୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୧୬ରୁ ୩୨ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୮ରୁ ୧୬ ସେଣ୍ଟିମିଟର ଏବଂ ଖୋର୍ଦ୍ଧା, କଟକ ଓ ନୟାଗଡ଼ରେ ୪ରୁ ୮ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।
ଯଦି ସ୍ଥଳଭାଗ ଅତିକ୍ରମ ପରେ ସିଷ୍ଟମ୍ ଉତ୍ତର-ପୂର୍ବ ଦିଗକୁ ଗତି କରେ, ତେବେ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷାର ପ୍ରଭାବ ବଢ଼ିପାରେ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ୮ରୁ ୧୬ ସେଣ୍ଟିମିଟର ବର୍ଷାର ଆକଳନ କରାଯାଇଛି। ନଭେମ୍ବର ୨୧ରେ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବାର ଆଶଙ୍କା ଥିବାବେଳେ ୨୨ ତାରିଖରୁ ପାଗରେ ସୁଧାର ଆସିପାରେ।
ଧାନ ଅମଳ ସମୟରେ ବାତ୍ୟା ଆଶଙ୍କା, ଚିନ୍ତାରେ ଚାଷୀ
ସମ୍ଭାବ୍ୟ ବାତ୍ୟା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ବର୍ତ୍ତମାନ ରାଜ୍ୟର ଅନେକ ଅଞ୍ଚଳରେ ଧାନ ଅମଳ ଋତୁ ଚାଲିଛି। କେଉଁଠି ପାଚିଲା ଧାନ କ୍ଷେତରେ ଠିଆ ହୋଇଛି ତ ଆଉ କେଉଁଠି ଅମଳ କାର୍ଯ୍ୟ ଆରମ୍ଭ ହୋଇଛି। ଏଭଳି ସମୟରେ ପ୍ରବଳ ବର୍ଷା ଓ ପବନ ହେଲେ ଧାନ ଫସଲ ନଷ୍ଟ ହେବା ସହ ଅମଳ ହୋଇଥିବା ଧାନ ଭିଜିଯିବାର ଆଶଙ୍କା ରହିଛି।
ତେଣୁ ଚାଷୀମାନେ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ଓ ଶୁଖିଲା ସ୍ଥାନରେ ରଖିବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବା ଜରୁରୀ। ଆଗାମୀ ଦିନରେ ବାତ୍ୟାର ଗତିପଥ, ତୀବ୍ରତା ଓ ବର୍ଷାର ପରିମାଣ ସମ୍ପର୍କରେ ପାଣିପାଗ ବିଭାଗର ନିୟମିତ ସୂଚନା ଉପରେ ସମସ୍ତଙ୍କ ନଜର ରହିଛି।
ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଅତିକ୍ରମ କରିବ, ତାହା ଏବେ ମଧ୍ୟ ଅନିଶ୍ଚିତ। ବିଭିନ୍ନ ପାଣିପାଗ ମଡେଲ୍ର ଆକଳନକୁ ଚୂଡ଼ାନ୍ତ ସୂଚନା ଭାବେ ଗ୍ରହଣ ନକରି ଭାରତୀୟ ପାଣିପାଗ ବିଭାଗ (IMD)ର ସରକାରୀ ବୁଲେଟିନ୍ ଓ ପରାମର୍ଶକୁ ଅନୁସରଣ କରିବା ଆବଶ୍ୟକ।
