ପବିତ୍ରମୋହନ ମେଡ଼ିକାଲ କଲେଜରେ ରୋଗୀସେବା କେବେ?
ଏହାକୁ ନେଇ ତାଳଚେରରେ ଆନ୍ଦୋଳନର ଦାନାବାନ୍ଧୁଛି
ତାଳଚେର, ୨୬/୧୦ ତାଳଚେର ମେଡ଼ିକାଲ କଲେଜରେ ରୋଗୀସେବା ଆରମ୍ଭ କରିବା ନେଇ ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନ, ଘଂଟପଡ଼ା ଗ୍ରାମବାସୀ ତଥା ତାଳଚେର ଅଂଚଳବାସୀ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ରୋଗୀସେବା ଆରମ୍ଭ କରାଯାଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଗତବର୍ଷରେ ଅଂଚଳବାସୀ ବାରମ୍ବାର ବିଶ୍ୱାସକରି ତାଳଚେରର ବିକାଶ ପାଇଁ ବିଭିନ୍ନ ନେତାଙ୍କୁ ନିଦ୍ୱର୍ନ୍ଦରେ ଭୋଟ ଦେଇ ଆସୁଥିଲେ ମଧ୍ୟ ନେତାମାନେ ସବୁକ୍ଷେତ୍ରରେ ଚୁପ୍ ରହିବା ଏହା ସେମାନଙ୍କର ଅପାରଗତା ନା ବ୍ୟବସାୟୀକ ବ୍ୟବସ୍ଥା ଯୋଗୁଁ ନୀରବ ରହୁଥିବା ସାଧାରଣାରେ ଚର୍ଚ୍ଚା ହେଉଛି । ରୋଗୀସେବା ଆରମ୍ଭ ଦାବିରେ ବିଭିନ୍ନ କମିଟି ପକ୍ଷରୁ ଦୀର୍ଘବର୍ଷ ଧରି ଦାବି କରି ଆସୁଥିଲେ ମଧ୍ୟ ଫଳଶୂନ । ଘଟଣାରୁ ପ୍ରକାଶ, ତାଳଚେର ଅଂଚଳରେ ଖଣି ଖାଦାନ ଓ ଶିଳ୍ପ ବୃଦ୍ଧିକୁ ସହିତ ପ୍ରଚୁର ଧୂଳିଧୂଆଁ ଯୋଗୁଁ ଜଳ, ସ୍ଥଳ, ଆକାଶ ଆଜି ପ୍ରଦ୍ୟୁଷିତ ଏବଂ ଅଂଚଳବାସୀ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାନେଇ କଂଗ୍ରେସ୍ ସରକାର ଅମଳରେ ଏଠାରେ ମେଡ଼ିକାଲ କଲେଜ ନିର୍ମାଣ କରିବାକୁ ତାଳଚେର ବ୍ଲକ ଅନ୍ତର୍ଗତ ଘଂଟପଡ଼ା ଠାରେ ଜମି ଚିହ୍ନଟ କରାଯାଇଥିଲା । ଏହାପରେ ସରକାର ପରିବର୍ତନ ପରେ ବହୁ ଦାବି ହେବାପରେ ଏମସିଏଲ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରାଗଲା । ଏହାପରେ ମଧ୍ୟ ଟାଳଟୂଳି ନୀତି ଅବଲମ୍ବନ କରିବାରୁ ବୁଦ୍ଧିଜିବୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ବାରମ୍ବାର ଆନ୍ଦୋଳନ ପରେ ମେଡ଼ିକାଲ କଲେଜର ଶୁଭଉଦଘାଟନ କରାଗଲା । ସେହି ସମୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଢ଼େଙ୍କାନାଳ ସାଂସଦ ତଥାଗତ ଶତପଥୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଓ ରାଜ୍ୟର ବହୁନେତା ଏହାର ଶୁଭଉଦଘାଟନ କରିଥିଲେ । ଉଦଘାଟନ ପରେ ତାଳଚେରବାସୀଙ୍କ ମନରେ ମେଡ଼ିକାଲ କଲେଜକୁ ନେଇ ଖୁସିର ଲହରୀ ଖେଳାଇ ଦେଇଥିଲା । ପୁନଶ୍ଚ ତାଳଚେର ଅଂଚଳରେ ଆନ୍ଦୋଳନପରେ ସରକାର ଏମସିଏଲର ସମସ୍ତ ଅର୍ଥରେ ମେଡ଼ିକାଲ କଲେଜ ଚାଲିବା ।ନେଇ ନିର୍ଭର ପ୍ରତିଶ୍ରୁତିପରେ କେବଳ ଏଠାରେ ଡ଼ାକ୍ତରୀ ପାଠ୍ୟକ୍ରମ ପାଇଁ ବ୍ୟବସ୍ଥା କରାଗଲା । କିନ୍ତୁ ମେଡ଼ିକାଲରେ ରୋଗୀସେବା ଏପର୍ଯ୍ୟନ୍ତ ହୋଇନପାରିବରୁ ଆଗାମୀ ଦିନରେ ଏହାକୁ ନେଇ ଏକ ବୃହତ ଜନଆନ୍ଦୋଳନର ମୁଣ୍ଡ ଟେକିପାରେ ବୋଲି ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।
