Spread the love

### ପୁଣି ଅଶାନ୍ତ କଟକ! ପୁରୀଘାଟରେ ଦୁଇ ସାହି ମଧ୍ୟରେ ଭୟଙ୍କର ସଂଘର୍ଷ, ଜଣେ ମୃତ ଓ ଏକାଧିକ ଆହତ

କଟକ, ୨୮ ନଭେମ୍ବର ୨୦୨୬

କଟକ ସହରରେ ପୁଣି ହିଂସାକାଣ୍ଡ ଘଟିଛି। ପୁରୀଘାଟ ଥାନା ଅନ୍ତର୍ଗତ ସନସାଇନ୍ ଗ୍ରାଉଣ୍ଡ ଛକରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ଦୁଇ ସାହିର ଯୁବକଙ୍କ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଉଗ୍ର ରୂପ ନେଇଥିବା ବେଳେ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଓ ଏକାଧିକ ଲୋକ ଆହତ ହୋଇଛନ୍ତି। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ପୁରୀଘାଟ ବୁରୁଜ ସାହି ଓ ଗଣେଶ ଘାଟ ସାମଲ ସାହିର ଯୁବକମାନଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିଲା। ଶୁକ୍ରବାର ସନ୍ଧ୍ୟାରେ ଏହି ବିବାଦକୁ ନେଇ ପ୍ରଥମେ ଠେଲାପେଲା ଆରମ୍ଭ ହୋଇଥିଲା। ପରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ତୀବ୍ର ହୋଇ ଖଣ୍ଡାରେ ଆକ୍ରମଣ, ଢେଲାପଥର ଓ କାଚ ବୋତଲ ମାଡ଼ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହି ଗଣ୍ଡଗୋଳରେ ଦୋକାନ ଘର ଓ ଗାଡ଼ି ମଧ୍ୟ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।

ଏହି ସଂଘର୍ଷରେ ଗଣେଶ ଘାଟ ସାମଲ ସାହିର ୫୦ ବର୍ଷୀୟ ଅମରେନ୍ଦ୍ର ସାମଲ, ଯିଏକି ବୁଲୁ ନାମରେ ପରିଚିତ, ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ନିରଞ୍ଜନ ସାମଲ ଓରଫ ନିଲୁଆ ଗୁରୁତର ଆହତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହାସହ ଉଭୟ ପକ୍ଷର ୫ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବା ସମୟରେ ଜଣେ ପୋଲିସ କନଷ୍ଟେବଳଙ୍କ ମୁଣ୍ଡ ମଧ୍ୟ ଫାଟିଛି।

ଘଟଣା ସମ୍ପର୍କରେ ଖବର ପାଇ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ହସ୍ତକ୍ଷେପରେ ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିବା ବେଳେ ଗଣ୍ଡଗୋଳର କାରଣ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।

ଏହି ଘଟଣାରେ ପୋଲିସ ଆଜି ସକାଳେ ୨୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ ନିରୀହ ଯୁବକଙ୍କୁ ପୋଲିସ ଅଟକ ରଖିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଏହାକୁ ନେଇ ଅଞ୍ଚଳରେ ପୁଣି ଉତ୍ତେଜନା ଦେଖାଦେଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗଣେଶ ପୂଜା ପରଠାରୁ ଦୁଇ ସାହି ମଧ୍ୟରେ ବିବାଦ ଓ ତିକ୍ତତା ଲାଗି ରହିଥିଲା। ଏହି ପୁରୁଣା ବିବାଦ ଶୁକ୍ରବାର ସନ୍ଧ୍ୟାରେ ଭୟଙ୍କର ସଂଘର୍ଷର ରୂପ ନେଇଥିବା କୁହାଯାଉଛି।

କଟକ ସହରରେ ଏଭଳି ହିଂସାକାଣ୍ଡ ପୁଣି ଆଇନଶୃଙ୍ଖଳା ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସଂଘର୍ଷର ପ୍ରକୃତ କାରଣ ଓ ଦୋଷୀଙ୍କ ବିରୋଧରେ ପୋଲିସ କି ପଦକ୍ଷେପ ନେବ, ତାହା ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *

You missed