Spread the love

*ପୂର୍ତ୍ତମନ୍ତ୍ରୀଙ୍କ ଅଧକ୍ଷତାରେ ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ନୂତନ ପ୍ରସ୍ତାବ ଉପରେ ଆଲୋଚନା*

– ବାରଙ୍ଗ- ପିତାପଲ୍ଲୀ, ରଘୁନାଥପୁର- ତ୍ରିସୁଳିଆ ସଡ଼କ ପ୍ରକଳ୍ପର ନୂତନ ଡିଜାଇନ୍ ଓ ରୂପରେଖ ନେଇ ଆଲୋଚନା

– ସୋନାପୁର- ଗୋପାଳପୁରକୁ ସଂଯୋଗ ନେଇ ବିଭିନ୍ନ ପ୍ରସ୍ତାବର ସମୀକ୍ଷା

– ରାଜ୍ୟର ଜୀବନ ରେଖା ପାଲଟିବ ୬ ଲେନ ବିଶିଷ୍ଟ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ ୱେ

ଭୁବନେଶ୍ୱର, ୨୫. ୧୧. ୨୦୨୬: ରାଜ୍ୟରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସୁଗମ ଓ ନିରାପଦ କରିବା ସହ ପର୍ଯ୍ୟଟନର ବିକାଶ ଲକ୍ଷ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ନୂତନ ପ୍ରସ୍ତାବ ଓ ଡିଜାଇନ୍ ଉପରେ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏହି ରାସ୍ତା ପ୍ରକଳ୍ପ ଗୁଡିକୁ ଅନୁଧ୍ୟାନ କରିବା ସହ ସର୍ବଶ୍ରେଷ୍ଠ ପ୍ରସ୍ତାବ ଉପରେ ଅଧିକ କାର୍ଯ୍ୟ କରିବା ନେଇ ସୁଚିନ୍ତିତ ପରାମର୍ଶ ଦେଇଥଲେ I ଏଥି ସହିତ ପ୍ରକଳ୍ପର ଲ୍ୟାଣ୍ଡ ସର୍ଭେ, ଜମି ଅଧିଗ୍ରହଣ, ଜଙ୍ଗଲ ଜମିର ଅବସ୍ଥିତିକୁ ସଠିକ ଆକଳନ କରି ଚୂଡାନ୍ତ ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦେଶ ଦେଇଛନ୍ତି I

ବୈଠକରେ ବାରଙ୍ଗ–ପିତାପଲ୍ଲୀ ରାସ୍ତାର ଉନ୍ନତୀକରଣ ସହ ନୂତନ ଭାବେ ୪ ଲେନ୍ ବିଶିଷ୍ଟ ରାସ୍ତା ସହ ସର୍ଭିସ୍ ରୋଡ୍ ନିର୍ମାଣର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ସେହିପରି ଜୟଦେବବିହାର–ତ୍ରିଶୂଳିଆ ରାସ୍ତାରେ ଯାତାୟାତ ଭିଡ଼ ହ୍ରାସ ଓ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଫ୍ଲାଏଓଭର ନିର୍ମାଣର ନୂତନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।

ପର୍ଯ୍ୟଟନର ବିକାଶ ଓ ଆଞ୍ଚଳିକ ଯୋଗାଯୋଗକୁ ଗୁରୁତ୍ୱ ଦେଇ ସୋନାପୁର–ଗୋପାଳପୁର ରାସ୍ତାର ଏକ ନୂତନ ବିକଳ୍ପ ମାର୍ଗ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି। ଏହି ରାସ୍ତା ଦ୍ୱାରା ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଉନ୍ନତ ଯୋଗାଯୋଗ ସୁବିଧା ଯୋଗାଇବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ଅଧିକ ପ୍ରୋତ୍ସାହନ ମିଳିପାରିବ।

ସେହିପରି ପ୍ରାୟ ୨୮୬ କିଲୋମିଟର ଦୀର୍ଘ ବ୍ରହ୍ମପୁର–ଜୟପୁର ଏକ୍ସପ୍ରେସ୍‌ୱେ ନିର୍ମାଣ ପାଇଁ ୬ ଲେନ୍ ବିଶିଷ୍ଟ ନୂତନ ପ୍ରସ୍ତାବ ରଖାଯାଇଛି। ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଡ଼କ ଯାତାୟାତକୁ ଅଧିକ ନିରାପଦ ଓ ଦ୍ରୁତ କରିବା। ଏଥିରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗକୁ ଦୃଷ୍ଟିରେ ରଖି ଏକ ନିରାପଦ ରାସ୍ତାର ରୂପରେଖ ପ୍ରସ୍ତୁତି ନେଇ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହାବ୍ୟତୀତ ରଘୁନାଥପୁର–ତ୍ରିଶୂଳିଆ ରାସ୍ତାର ନୂତନ ଡିଜାଇନ୍ ଓ ନିର୍ମାଣ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ବୈଠକରେ ଚଳିତ ବର୍ଷ ବିଭିନ୍ନ ପ୍ରକଳ୍ପରେ ଆଜିସୁଦ୍ଧା ହୋଇଥିବା ଖର୍ଚ୍ଚ ସମ୍ପର୍କରେ ସମୀକ୍ଷା କରିବା ସହ ପ୍ରକଳ୍ପଗୁଡ଼ିକର ଆର୍ଥିକ ଶୃଙ୍ଖଳା ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ମନ୍ତ୍ରୀ ନିୟମିତ ବ୍ୟବଧାନରେ ଖର୍ଚ୍ଚ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବୃହତ୍ ସଡ଼କ ପ୍ରକଳ୍ପଗୁଡ଼ିକର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ରାଜ୍ୟର ସଡ଼କ ଭିତ୍ତିଭୂମିର ବିକାଶ, ନିର୍ମାଣ କାର୍ଯ୍ୟର ଗୁଣବତ୍ତା, ସମୟାନୁବର୍ତ୍ତିତା ଓ ଜନସାଧାରଣଙ୍କ ପାଇଁ ନିରାପଦ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବା ନେଇ ରାଜ୍ୟସରକାରଙ୍କ ଥିବା ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ I

ଅନ୍ୟମାନଙ୍କ ମଧ୍ୟରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ସମୀର ହୋତା, ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍‌ ଓ ରୋଡ୍ସ ) ଇଂ ସତ୍ୟବ୍ରତ ବେହେରା, ଅର୍ଥ ପରାମର୍ଶ ଦାତା ରତିକାନ୍ତ ମହାପାତ୍ର, ଓଏସଡ଼ି ଏଲ. କେ. ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗ ମୁଖ୍ୟଯନ୍ତ୍ରୀ ଏବଂ ସହକାରୀ ମୁଖ୍ୟ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *