Spread the love

ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରାଙ୍କ ପରଲୋକ

ଜିଲ୍ଲା ବ୍ୟାପି ଶୋକର ଛାୟା
ଭବାନୀପାଟଣା,( ଜାଗ୍ରତ ଭାରତ )-ଓଡ଼ିଶା ରାଜନୀତିର ଜଣେ ବରିଷ୍ଠ ତଥା ବିଶିଷ୍ଟ ରାଜନେତା, ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରାଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଖେଳିଯାଇଛି ଶୋକର ଛାୟା। ୧୨ ଏପ୍ରିଲ ୧୯୩୮ରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ବେହେରା ୧୯୭୭ ଓ ୧୯୮୫ରେ କୋକସରା ବିଧାନସଭା ଆସନରୁ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇ ତତ୍କାଳୀନ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ କୃଷି , ସମବାୟ ଓ ଆଦିବାସୀ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ।୧୯୮୦ରେ ଜାତୀୟ ରାଜନୀତିରେ ପାଦ ଥାପିବା ସହ କଳାହାଣ୍ଡି ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଜଣେ ଦକ୍ଷ ସଂଗଠକ, ଅଭିଜ୍ଞ ରାଜନେତା ଓ ଜନପ୍ରିୟ ନେତା ଭାବେ ସମାଜ ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ସେ କେବଳ ଜଣେ ରାଜନେତା ଥିଲେ ତାହା ନୁହେଁ ଜଣେ ଲେଖକ, ଔପନ୍ୟାସିକ ଭାବରେ ମଧ୍ୟ ଉପନ୍ୟାସ ‘ବିଜୟୀ’ ଓ ‘ଅନନ୍ୟ ସୃଷ୍ଚି କାନାଡା’ ଭଳି ବହି ରଚନା କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ନିଜର ସାମଗ୍ରିକ ସାହିତ୍ୟ କୃତୀ ପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, କଳାହାଣ୍ଡି ବରପୁତ୍ର ସମ୍ମାନ, ମହାବୀର ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କ ପରିକଳ୍ପନାରେ କଳାହାଣ୍ଡି ଲେଖକ କଳା ପରିଷଦ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭଳି ଅନେକ ଅନୁଷ୍ଠାନର ସୃଷ୍ଟି ହୋଇଥିଲା।କଳାହାଣ୍ଡିର କଳା ସଂସ୍କୃତି ଓ ପରମ୍ପରାକୁ ଆଗକୁ ବଢ଼ାଇବାରେ ତାଙ୍କର ଥିଲା ସ୍ୱତନ୍ତ୍ର ଅବଦାନ। ତାଙ୍କ ବିୟୋଗରେ କଳାହାଣ୍ଡି ସମେତ ସମଗ୍ର ରାଜ୍ୟରେ ଶୋକର ଲହରୀ ଖେଳିଯାଇଛି। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବାବେଳେ ଆଜି ତାଙ୍କ ଭବାନୀପାଟଣାସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ପିସିସି ସଭାପତି ଭକ୍ତଚରଣ ଦାସ, ପୂର୍ବତନ ମନ୍ତ୍ରୀ ଭୁପିନ୍ଦର ସିଂହ, ଜଗନ୍ନାଥ ପଟ୍ଟନାୟକ, ସାଂସଦ ସୁଜିତ କୁମାର, ବିଧାୟକ ଦିବ୍ୟଶଙ୍କର ମିଶ୍ର, ସାଗର ଚରଣ ଦାସ, ବର୍ଷୀୟାନ ସଂସ୍କୃତି ସଂଗଠକ ଜୟନ୍ତ ବେହେରା, ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶାନ୍ତନୁ ବେହେରା, ଉପସଭାପତି ସଞ୍ଜୟ କୁମାର, ସାଧାରଣ ସଂପାଦକ ସତ୍ୟନାରାୟଣ ସିଂହଙ୍କ ସମେତ ଜିଲ୍ଲାର ବିଭିନ୍ନ ସାହିତ୍ୟ, ସଂସ୍କୃତି ସଂଗଠନ ଓ ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *