Spread the love

### ପ୍ରଶାନ୍ତି କୁଟୀରମ୍‌ର ସୁବର୍ଣ୍ଣ ଜୟନ୍ତୀରେ ମୋଦୀ: ପାରମ୍ପରିକ ଚିକିତ୍ସା ଓ ଯୋଗର ବିଶ୍ୱବ୍ୟାପୀ ପ୍ରଚାର ଉପରେ ଗୁରୁତ୍ୱ

ବେଙ୍ଗାଲୁରୁ, ୧୪/୧୧: କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ପ୍ରଶାନ୍ତି କୁଟୀରମ୍‌ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ଯୋଗ, ପାରମ୍ପରିକ ଚିକିତ୍ସା ଓ ସ୍ୱାସ୍ଥ୍ୟ ସଚେତନତାର ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଅଧିକ ଲୋକପ୍ରିୟ କରିବା ସହ ଏହି କ୍ଷେତ୍ରରେ ଗବେଷଣା ଏବଂ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧିରେ ପ୍ରଶାନ୍ତି କୁଟୀରମ୍‌ର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଯୋଗ ମାଧ୍ୟମରେ ପରିବାରଗୁଡ଼ିକ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାର ସୁଯୋଗ ପାଉଥିବା ସେ କହିଥିଲେ।

ଏହି ଅବସରରେ ଦେଶର ଆର୍ଥିକ ଓ ସାମାଜିକ ପ୍ରଗତି ସମ୍ପର୍କରେ ମଧ୍ୟ ମତ ରଖିଥିଲେ ମୋଦୀ। ବିଶ୍ୱ ବ୍ୟାଙ୍କର ସଦ୍ୟତମ ରିପୋର୍ଟକୁ ଉଦ୍ଧୃତ କରି ସେ କହିଥିଲେ ଯେ, ଗତ ୧୨ରୁ ୧୩ ବର୍ଷ ମଧ୍ୟରେ ଭାରତର ପ୍ରାୟ ୫୦ କୋଟି ଲୋକ ଚରମ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ଏହା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ଆଗେଇ ଚାଲିଥିବା ୧୪୦ କୋଟି ଦେଶବାସୀଙ୍କ ପାଇଁ ଏକ ବଡ଼ ପ୍ରେରଣା ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଶାନ୍ତି କୁଟୀରମ୍‌କୁ ଭବିଷ୍ୟତରେ ଆହୁରି ବଡ଼ ଲକ୍ଷ୍ୟ ହାସଲ କରିବା ପାଇଁ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ଯୁବଶକ୍ତିକୁ ସଠିକ୍ ଭାବେ ଉପଯୋଗ କରାଗଲେ ଏହାର ଲାଭ କେବଳ ଅନୁଷ୍ଠାନ ମଧ୍ୟରେ ସୀମିତ ରହିବ ନାହିଁ, ବରଂ ସମଗ୍ର ଦେଶ ଉପକୃତ ହେବ ବୋଲି ମୋଦୀ ଆଶା ପ୍ରକାଶ କରିଥିଲେ।

ଯୋଗ ଓ ପାରମ୍ପରିକ ଚିକିତ୍ସାକୁ ଆଧାର କରି ସୁସ୍ଥ ସମାଜ ଗଠନ ସହ ବିକଶିତ ଭାରତର ସ୍ୱପ୍ନ ସାକାର କରିବା ଦିଗରେ ପ୍ରଶାନ୍ତି କୁଟୀରମ୍‌ର ଅବଦାନକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *