Spread the love

ବଲାଙ୍ଗୀରରେ ୧୦୦ କୋଟିର ଜଳ ସଂରକ୍ଷଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି, ୧୨ ଗାଁକୁ ମିଳିବ ନିରବଚ୍ଛିନ୍ନ ପାଣି

ଭୁବନେଶ୍ୱର : ବର୍ଷା ଜଳର ସଂରକ୍ଷଣ ସହ ଗ୍ରୀଷ୍ମ ଋତୁରେ ଜଳାଭାବ ଦୂର କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ପଥର୍ଲା ଗ୍ରାମ ନିକଟରେ ଇନ୍ଦ୍ର/ସୁନ୍ଦର ନଦୀ ଉପରେ ଏକ ଅନ୍ତଃନଦୀ ଜଳାଶୟ (In-stream Storage Structure) ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛି।

ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ପ୍ରେସ୍ ବିବୃତି ଅନୁଯାୟୀ, ଓଡ଼ିଶାରେ ବାର୍ଷିକ ହେଉଥିବା ମୋଟ ବୃଷ୍ଟିପାତର ପ୍ରାୟ ୯୦ ପ୍ରତିଶତ ଜୁନ୍‌ରୁ ଅକ୍ଟୋବର ମାସ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ହୋଇଥାଏ। ଏହି ସମୟରେ ନଦୀ ଦେଇ ବହୁ ପରିମାଣର ଜଳ ସମୁଦ୍ରକୁ ଚାଲିଯାଉଥିବାରୁ ତାହାର ସଂରକ୍ଷଣ ଓ ଉପଯୋଗ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

ଏହି ଯୋଜନାରେ ତେଲ ନଦୀର ଉପନଦୀ ଇନ୍ଦ୍ର/ସୁନ୍ଦର ନଦୀର ପଥର୍ଲା ନିକଟରେ ନଦୀ ଶଯ୍ୟା ମଧ୍ୟରେ ଜଳ ସଂରକ୍ଷଣ ବ୍ୟବସ୍ଥା ନିର୍ମାଣ କରାଯିବ। ବର୍ଷା ଋତୁରେ ସଂଗୃହୀତ ଜଳକୁ ସଂରକ୍ଷଣ କରି ଜଳାଭାବ ସମୟରେ ବ୍ୟବହାର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ପ୍ରକଳ୍ପ ନିର୍ମାଣ ପାଇଁ ୯୯ କୋଟି ୯୯ ଲକ୍ଷ ୯୯ ହଜାର ୯୯୯ ଟଙ୍କା (ଜିଏସ୍‌ଟି ବ୍ୟତୀତ) ବ୍ୟୟ ଅଟକଳ ରଖାଯାଇଛି। ରାଜ୍ୟ କ୍ୟାବିନେଟ୍ ଏହି ମୂଲ୍ୟର ଟେଣ୍ଡରକୁ ଅନୁମୋଦନ କରିଛି। ଆସନ୍ତା ୩୦ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଛି।

ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଓ ବଙ୍ଗୋମୁଣ୍ଡା ବ୍ଲକ୍‌ର ପ୍ରାୟ ୧୨ଟି ଗ୍ରାମର ଲୋକଙ୍କୁ ନିୟମିତ ଓ ନିର୍ଭରଯୋଗ୍ୟ ଘରୋଇ ଜଳ ଯୋଗାଣ ସୁବିଧା ମିଳିପାରିବ। ଏହାଦ୍ୱାରା ଗ୍ରୀଷ୍ମ ଋତୁରେ ପାଣି ସମସ୍ୟା ହ୍ରାସ ପାଇବା ସହ ଗ୍ରାମାଞ୍ଚଳର ଲୋକଙ୍କୁ ଆଶ୍ୱସ୍ତି ମିଳିବ।

କେବଳ ପାନୀୟ ଜଳ ନୁହେଁ, ପଶୁପାଳନ ଓ ମତ୍ସ୍ୟଚାଷ ସମେତ ଜଳ ଉପରେ ନିର୍ଭରଶୀଳ ବିଭିନ୍ନ ଜୀବିକାମୂଳକ କାର୍ଯ୍ୟକୁ ମଧ୍ୟ ଏହି ପ୍ରକଳ୍ପ ସହାୟତା କରିବ। ଏଥିସହ ଭୂତଳ ଜଳସ୍ତର ବୃଦ୍ଧି ଓ ଅଞ୍ଚଳର ପାରିବେଶିକ ସନ୍ତୁଳନ ରକ୍ଷାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।

ବର୍ଷା ଜଳକୁ ସମୁଦ୍ରକୁ ବହିଯିବା ପୂର୍ବରୁ ସଂରକ୍ଷଣ କରି ତାହାକୁ ଲୋକଙ୍କ ଆବଶ୍ୟକତାରେ ଲଗାଇବା ଦିଗରେ ଏହି ପ୍ରକଳ୍ପ ଏକ ଉଲ୍ଲେଖନୀୟ ପଦକ୍ଷେପ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *