Spread the love

*ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କଲା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ*

*ବ୍ରହ୍ମପୁରରେ ଜଳଯୋଗାଣ ୭୨ ଏମ୍‌ଏଲ୍‌ଡିକୁ ବୃଦ୍ଧି; ଜାନିଭିଲି ଆନିକଟ୍‌ର ପୁନରୁଦ୍ଧାର କାର୍ଯ୍ୟ ୯୯ ପ୍ରତିଶତ ଶେଷ; ପ୍ରଭାବିତ ସହରାଞ୍ଚଳରେ ରିଲିଫ୍ ପଦକ୍ଷେପ ଜୋରଦାର*

ଭୁବନେଶ୍ୱର, ନଭେମ୍ବର ୨, ୨୦୨୬:

ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପରିସ୍ଥିତିରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ବ୍ରହ୍ମପୁର ସମେତ ଗଞ୍ଜାମ, ଗଜପତି ଓ ଅନ୍ୟାନ୍ୟ ପ୍ରଭାବିତ ସହରାଞ୍ଚଳରେ ଜଳଯୋଗାଣ, ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ସେବା ଏବଂ ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ଆସିଛି । ନଭେମ୍ବର ୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସଂକଳିତ ସ୍ଥିତି ରିପୋର୍ଟ ଅନୁଯାୟୀ, ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ବିଭାଗ ଓ କ୍ଷେତ୍ରସ୍ତରୀୟ ସଂସ୍ଥାଗୁଡ଼ିକ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।

ବ୍ରହ୍ମପୁରରେ ଦୈନିକ ୯୦ ଏମ୍‌ଏଲ୍‌ଡି ଜଳର ଆବଶ୍ୟକତା ତୁଳନାରେ ଜଳଯୋଗାଣ ୭୨ ଏମ୍‌ଏଲ୍‌ଡିକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୬୪ ଏମ୍‌ଏଲ୍‌ଡି ଭୂପୃଷ୍ଠ ଜଳ ଉତ୍ସରୁ ଏବଂ ୧୮ଟି କାର୍ଯ୍ୟକ୍ଷମ ଉତ୍ପାଦନ କୂଅ ମାଧ୍ୟମରେ ୮ ଏମ୍‌ଏଲ୍‌ଡି ଜଳ ଯୋଗାଣ କରାଯାଉଛି । ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଆଇଆଇଏସ୍‌ଇଆର୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ଜଳଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଛି । ହିଞ୍ଜିଳିକାଟୁ ଓ ଗୋପାଳପୁରରେ ମଧ୍ୟ ଜଳ ବଣ୍ଟନ ସୁରୁଖୁରୁରେ ଚାଲିଛି। ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଜଳ ଆବଶ୍ୟକତା ପୂରଣ ପାଇଁ ୧୨ଟି ଘରୋଇ ଟ୍ୟାଙ୍କର ସମେତ ମୋଟ ୪୬ଟି ଜଳ ଟ୍ୟାଙ୍କର ନିୟୋଜିତ କରାଯାଇଛି। ଜନସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଜଳ ବିଶୋଧନାଗାରଗୁଡ଼ିକରେ ସୁପର୍ କ୍ଲୋରିନେସନ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ଜରୁରୀକାଳୀନ ଜଳ ବିଶୋଧନ ଆବଶ୍ୟକତା ପୂରଣ ପାଇଁ ଏକ ମୋବାଇଲ୍ ଟ୍ରିଟ୍‌ମେଣ୍ଟ ୟୁନିଟ୍ ବ୍ରହ୍ମପୁର ଡିଭିଜନ୍ କାର୍ଯ୍ୟାଳୟରେ ପହଞ୍ଚିଛି ।

ଅନ୍ୟପକ୍ଷରେ, ବାତ୍ୟାରେ ଧୋଇଯାଇଥିବା ଜାନିଭିଲି ଆନିକଟ୍‌ର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଅସ୍ଥାୟୀ ଜଳଧାରଣ ବ୍ୟବସ୍ଥା ଓ ବାଲିବନ୍ଧ ନିର୍ମାଣ କାର୍ଯ୍ୟ ପ୍ରାୟ ୯୯ ପ୍ରତିଶତ ଶେଷ ହୋଇଛି । ଏହି କାର୍ଯ୍ୟରେ ପ୍ରାୟ ୨୦୦ ଶ୍ରମିକ, ୫ଟି ପୋକଲିନ୍ ମେସିନ୍ ଓ ୨ଟି ଟ୍ରାକ୍ଟର ନିୟୋଜିତ ହୋଇଛନ୍ତି । ଦୁର୍ଗମ ପରିସ୍ଥିତିରେ କାର୍ଯ୍ୟରତ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଓଡ୍ରାଫ୍ ଟିମ୍ ମଧ୍ୟ ମୁତୟନ କରାଯାଇଛି । ଇତିମଧ୍ୟରେ ପ୍ରାୟ ୧୫ ହଜାର ବାଲିବସ୍ତା ପକାଯାଇଥିବାବେଳେ ଆଉ ୫ ହଜାର ବାଲିବସ୍ତା ପକାଇବାକୁ ଯୋଜନା ରହିଛି । ଏହାବ୍ୟତୀତ ଜାନିବିଲି ଜଳଭଣ୍ଡାର ନିକଟରେ ୨୦ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି ।

ରାଜ୍ୟସ୍ତରରେ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୦ଟି ପବ୍ଲିକ୍ ହେଲ୍‌ଥ ଡିଭିଜନ୍ ଅଧୀନରେ ଥିବା ୮୬ଟି ସହରାଞ୍ଚଳ ମଧ୍ୟରୁ ୭୮ଟିରେ ଜଳଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଛି। ମୋଟ ପୁନରୁଦ୍ଧାର ହାର ପ୍ରାୟ ୯୮.୭୩ ପ୍ରତିଶତରେ ପହଞ୍ଚିଥିବାବେଳେ ବର୍ତ୍ତମାନ ଦୈନିକ ୪୪୫.୭୪ ଏମ୍‌ଏଲ୍‌ଡି ଜଳ ଯୋଗାଣ କରାଯାଉଛି। ଭଞ୍ଜନଗର ପବ୍ଲିକ୍ ହେଲ୍‌ଥ ଡିଭିଜନ୍ ଅଧୀନରେ ଥିବା ଆସିକା, ପୁରୁଷୋତ୍ତମପୁର ଓ ଛତ୍ରପୁର ସମେତ ୮ଟି ସହରାଞ୍ଚଳରେ ସାମାନ୍ୟ ବାଧା ରହିଛି। ଅବଶିଷ୍ଟ ସମସ୍ୟାର ତୁରନ୍ତ ସମାଧାନ ଓ ଜଳଯୋଗାଣ ସ୍ୱାଭାବିକ କରିବା ପାଇଁ ସ୍ଥାନୀୟ ଉତ୍ପାଦନ କୂଅ, ଭଡ଼ାରେ ନିଆଯାଇଥିବା ଜଳ ଟ୍ୟାଙ୍କର ଏବଂ ସ୍ୱତନ୍ତ୍ର ମରାମତି ଦଳ ନିୟୋଜିତ କରାଯାଇଛି ।

ରିଲିଫ୍ ଓ ପୌରସେବାକୁ ମଧ୍ୟ ଅଧିକ ସୁଦୃଢ଼ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ସହାୟତା ପାଇଁ ଅତିରିକ୍ତ ଅଧିକାରୀ ଓ ସମ୍ବଳ ନିୟୋଜିତ ହୋଇଛନ୍ତି । ବ୍ରହ୍ମପୁରରେ ବନ୍ୟା ପରିଚାଳନା ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ୫ ଜଣ ସ୍ୱତନ୍ତ୍ର ଇଞ୍ଜିନିୟରଙ୍କୁ ମୁତୟନ କରାଯାଇଛି । ୧,୮୦୦ ପରିବାରକୁ ଶୁଖିଲା ରାସନ୍ କିଟ୍ ବଣ୍ଟନ କରାଯାଇଥିବାବେଳେ ୧୨ଟି ରିଲିଫ୍ କେନ୍ଦ୍ର ମାଧ୍ୟମରେ ପ୍ରତିଦିନ ପ୍ରାୟ ୬୫୦ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସମସ୍ତ ୨୪ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି ଏବଂ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଉଛି ।

ଆସିକାରେ ମଧ୍ୟ ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ପ୍ରଭାବିତ ପରିବାରଙ୍କୁ ୨୦ ହଜାର ମହମବତୀ ଓ ଦିଆସିଲି ବଣ୍ଟନ କରାଯାଇଛି । ଏଥିସହ ପରିବେଶକୁ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟକର ରଖିବା ପାଇଁ ପ୍ରାୟ ୧୫୦ ଜଣ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ବ୍ୟାପକ ସଫେଇ ଓ ବାତ୍ୟା ପରବର୍ତ୍ତୀ ପରିମଳ କାର୍ଯ୍ୟ ଚାଲୁ ରହିଛି ।

ବ୍ରହ୍ମପୁର ମହାନଗର ନିଗମର ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଅକ୍ଟୋବର ୨୫, ୨୦୨୬ରୁ କାର୍ଯ୍ୟ କରୁଛି। ଏହା ମାଧ୍ୟମରେ ଜରୁରୀକାଳୀନ ସହାୟତା ଓ ନାଗରିକଙ୍କ ଅଭିଯୋଗର ସମାଧାନ କରାଯାଉଛି। ଏପର୍ଯ୍ୟନ୍ତ ଏହି ନିୟନ୍ତ୍ରଣ କକ୍ଷରେ ୩୪୧ଟି ଅଭିଯୋଗ ଗ୍ରହଣ କରାଯାଇ ସମାଧାନ ପ୍ରକ୍ରିୟା କରାଯାଇଛି। ସହାୟତା ଆବଶ୍ୟକ କରୁଥିବା କିମ୍ବା ନିଜର ସମସ୍ୟା ଜଣାଇବାକୁ ଚାହୁଁଥିବା ନାଗରିକମାନେ ୭୬୦୮୮୮୦୪୮୦ ଓ ୦୬୮୦-୨୨୫୦୬୧୫ ନମ୍ବରରେ ଯୋଗାଯୋଗ କରିପାରିବେ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମ୍ପୃକ୍ତ ବିଭିନ୍ନ ସଂସ୍ଥା ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛି । ଅତ୍ୟାବଶ୍ୟକ ସେବାର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ସହ ପ୍ରଭାବିତ ଜନସାଧାରଣଙ୍କୁ ସମୟୋଚିତ ସହାୟତା ପ୍ରଦାନ ଉପରେ ବିଭାଗ ଗୁରୁତ୍ୱ ଦେଉଛି। ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରସ୍ତରୀୟ ଟିମ୍ ଦିନରାତି ନିରନ୍ତର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।
……

Leave a Reply

Your email address will not be published. Required fields are marked *