ବାରମ୍ବାର ଗୁହାରୀ ସତ୍ତ୍ୱେ କଂପାନୀ କର୍ତ୍ତୃପକ୍ଷଙ୍କ ମଜଦୁର୍ ସଂଘର ଦାବୀକୁ ଅଣଦେଖା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ
ଢେଙ୍କାନାଳ, ଗୋଟିଏ ସମୟରେ ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ କଂପାନୀ ମାନେ ତାଙ୍କର କାରଖାନା ସ୍ଥାପନା କରି ଉତ୍ପାଦନ ଆରମ୍ଭ କରିଛନ୍ତି । ତେବେ ସ୍ଥାପନା ସମୟରେ ନୀରିହ ଗ୍ରାମବାସୀ, ଜମିହୀନ ପ୍ରଜାମାନଙ୍କୁ ପ୍ରଲୋଭିତ କରି ଓ ମିଥ୍ୟା ଆଶ୍ବସନା ଦେଇ ନିଜର ଫାଇଦା ହାସଲ କରୁଛନ୍ତି । ଏ ସବୁର ବିରୋଧ କରି ଜିଏମ୍ଆର୍ କମଳାଙ୍ଗ ଏନର୍ଜୀ ଲିଂ ମଜଦୁର୍ ସଂଘ ତରଫରୁ ଦାବୀ ବିଷୟରେ ବାରମ୍ବାର ଜଣାଇ ଆସିଥିଲେ । ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଚାଲିଛନ୍ତି । ଏହାକୁ ପ୍ରତିବାଦ କରି ସଂଘ ତରଫରୁ ସମସ୍ତ ଶ୍ରମିକମାନେ ଏକ ବିଶାଳ ଶୋଭାଯାତ୍ରାରେ ବାଜିଚୌକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିବା ସହିତ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦାବୀ ପ୍ରତି କରୁଥିବା ଅଣଦେଖାକୁ ନେଇ ଦୃଢ ପ୍ରତିବାଦ କରିଥିଲେ । ସଂଘ ତରଫରୁ ବାରମ୍ବାର ଚିଠି ଦେଉଥିଲେ ମଧ୍ୟ ଏହାକୁ କମ୍ପାନୀ କର୍ତ୍ତୃପକ୍ଷ ଭୂକ୍ଷେପ କରୁନଥିଲେ । ସଂଘ ତରଫରୁ ବିଭିନ୍ନ ଦାବୀ ଯଥା-କ୍ୟାଟିନ୍ ସୁବ୍ୟବସ୍ଥା କରିବା ସହିତ ସବ୍ସିଡ୍ ମାଧ୍ଯମରେ ଠିକା ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇବା, ପ୍ଲାଟ୍ ଭିତରେ ରେଷ୍ଟ ରୁମ୍ର ବ୍ୟବସ୍ଥା ଓ ମହିଳାମାନଙ୍କ ପାଇଁ ଶୌଚାଳୟ ସୁବିଧା କରିବା, କାରଖାନାରେ ଲାଗୁ ହେଉଥିବା ବିଭିନ୍ନ ପ୍ରକାର ଭତା ଶ୍ରମିକମାନଙ୍କୁ ପ୍ରଦାନ କରିବା, ଠିକା ଶ୍ରମିକ ଦୁର୍ଗାଟଣାର ଶୀକାର ହେଲେ କିମ୍ବା ବିକଳାଙ୍ଗ ହେଲେ ତାଙ୍କ ପରିବାରର ଜଣଙ୍କୁ ଯୋଗ୍ୟତା ଭିତିକ ନିଯୁକ୍ତି ପ୍ରଦାନ କରିବା, ଏଥ୍ ସହିତ ଇଏଆଇ ଏବଂ ଇପିଏଫ୍ଓ ର ସୁଧାର କରିବା, ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଆଧାରରେ ପଦୋନ୍ନତିର ବୟବସ୍ଥା କରିବା ଏବଂ ଠିକା ଶ୍ରମିକ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପ୍ରଭୃତି ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭପ୍ରଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କୁ ଦାବୀପତ୍ର ପ୍ରଦାନ କରିବା ସହିତ ୧୪ ଦିନ ମଧ୍ୟରେ ଏହାର ସମାଧାନ କରିବା ପାଇଁ ନିବେଦନ କରିଥିଲେ । ଯଦି ଏହାର ସମାଧାନ ନ ହୁଏ ତେବେ ମୁଖ୍ୟ ଫାଟକ ଓ କାରଖାନାର ବିଭିନ୍ନ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ତରଫରୁ ସଭାପତି ଶଶଧର ବେହେରା ଓ ସଂପାଦକ ଅନିରୁଧ ନାୟକ ଚେତାବନୀ ଦେଇଥିଲେ ।

