Spread the love

ବିଶ୍ୱନାଥ ପଟ୍ଟନାୟକଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ,

ବାଲିଗୁଡ଼ା, ୧୦/୧୧:, (ସୁଶୀଳ କୁମାର ପାଣିଗ୍ରାହୀ): ବିଶିଷ୍ଟ ସମାଜସେବୀ, ସର୍ବୋଦୟ ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୧୧ତମ ଜୟନ୍ତୀ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମିତି ପରିସରରେ ଆୟୋଜିତ ହୋଇଯାଇଛି। ଏହି ଶିବିରରୁ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଶିବିରକୁ ମୁଖ୍ୟ ଅତିଥି ଭାବେ ବିଏସ୍‌ଏଫ୍ କମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଡେପୁଟି କମାଣ୍ଡାଣ୍ଟ କମଳାକାନ୍ତ ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନେ ରକ୍ତଦାନର ମହତ୍ତ୍ୱ ଓ ମାନବ ସେବାରେ ଏହାର ଭୂମିକା ସମ୍ପର୍କରେ ମତପ୍ରକାଶ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଓ ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ରକ୍ତଦାନ ଶିବିର କମିଟିର ଆବାହକ ସରସ୍ୱତୀ ବେହେରା, ସଦସ୍ୟ ମାଧବ ଗମାଙ୍ଗ, ଦେବରାଜ କୈବର୍ତ୍ତ, ସୁରେଖା ଭୋଇ, ଜଗନ୍ନାଥ ପାତ୍ର, ଆଦିତ୍ୟ ପ୍ରସାଦ ପାତ୍ର, ପ୍ରଦୀପ ମାଝୀ, ରଶ୍ମିରେଖା ବେହେରା ଓ କୃତି ପ୍ରସନ୍ନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଶିବିରର ସୁପରିଚାଳନାରେ ସହଯୋଗ କରିଥିଲେ। ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏସ୍. ରାମ ପାତ୍ରଙ୍କ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟକର୍ମୀ ମାନେ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ରକ୍ତ ସଂଗ୍ରହ କରିଥିଲେ। ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ଜୀବନ ଦର୍ଶନ ଥିଲା ମାନବ ସେବା ଓ ସମାଜ କଲ୍ୟାଣ। ତାଙ୍କ ୧୧୧ତମ ଜୟନ୍ତୀ ଅବସରରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟର ଆୟୋଜନ ତାଙ୍କ ସେବା ଓ ମାନବିକତାର ଆଦର୍ଶକୁ ସ୍ମରଣ କରାଇବା ସହ ରକ୍ତଦାନ ମାଧ୍ୟମରେ ଅନ୍ୟର ଜୀବନ ରକ୍ଷା ପାଇଁ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଛି।

Leave a Reply

Your email address will not be published. Required fields are marked *