ବୁଢ଼ାପଙ୍କ ଦିବ୍ୟଦର୍ଶନ ସଂଘର ଜ୍ଞାନ ମନ୍ଦିର ରୂପାନ୍ତରୀକରଣ ଓ ୧୪ତମ ପ୍ରତିଷ୍ଠା ଉତ୍ସବ ପାଳିତ
ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନୂତନ ବିଶ୍ରାମ ନିବାସ ଉଦ୍ଘାଟିତ ଓ ଦିବ୍ୟଦର୍ଶନ ସଂଘର ଜ୍ଞାନ ମନ୍ଦିର ରୂପାନ୍ତରୀକରଣ ଉଦ୍ଘାଟନ କଲେ ଦିବ୍ୟଦର୍ଶନ ସଙ୍ଘର ସଭାପତି ପୂଜ୍ୟସ୍ପଦ ରବୀନ୍ଦ୍ର ମହାନ୍ତି
ବଅଁରପାଳ/ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଦିବ୍ୟଦର୍ଶନ ସଂଘ ଶାଖା ପକ୍ଷରୁ ଜ୍ଞାନ ମନ୍ଦିରର ରୂପାନ୍ତରୀକରଣ, ୧୪ତମ ପ୍ରତିଷ୍ଠା ଉତ୍ସବ ଏବଂ ନୂତନ ବିଶ୍ରାମ ନିବାସର ଶୁଭାରମ୍ଭ ଅବସରରେ ଏକ ଭବ୍ୟ ଆଧ୍ୟାତ୍ମିକ ସତସଙ୍ଗ ଓ ଜ୍ଞାନ ଯଜ୍ଞ ଆୟୋଜିତ ହୋଇଯାଇଛି। ସଦ୍ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଆଦର୍ଶ, ଆଧ୍ୟାତ୍ମିକ ଚେତନାର ପ୍ରସାର ଏବଂ ଜଗତ କଲ୍ୟାଣର ମହତ୍ ଉଦ୍ଦେଶ୍ୟକୁ ନେଇ ଆୟୋଜିତ ଏହି ଉତ୍ସବରେ ବହୁ ସଂଖ୍ୟାରେ ଗୁରୁଭାଇ, ଗୁରୁଭଉଣୀ ଓ ସତସଙ୍ଗ ପ୍ରେମୀ ଯୋଗଦେଇଥିଲେ।
ଏହି ଉତ୍ସବରେ ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବରୂପରେ ନିର୍ମିତ ଜ୍ଞାନ ମନ୍ଦିର ଓ ନୂତନ ବିଶ୍ରାମ ନିବାସକୁ ଉଦ୍ଘାଟନ କରିଥିଲେ। ଦିବ୍ୟଦର୍ଶନ ସଂଘର ଜ୍ଞାନ ମନ୍ଦିର ରୂପାନ୍ତରୀକରଣ ଉଦ୍ଘାଟନ କଲେ ଦିବ୍ୟଦର୍ଶନ ସଙ୍ଘର ସଭାପତି ପୂଜ୍ୟସ୍ପଦ ରବୀନ୍ଦ୍ର ମହାନ୍ତି । ଏହି ଆଧ୍ୟାତ୍ମିକ କେନ୍ଦ୍ର ଜନସାଧାରଣଙ୍କ ଆଧ୍ୟାତ୍ମିକ ଉନ୍ନତି ଓ ଜଗତ କଲ୍ୟାଣରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ। ସେହିପରି ଦିବ୍ୟଦର୍ଶନ ସଂଘର ରାଜ୍ୟ ସଭାପତି ପୂଜ୍ୟ ରବୀନ୍ଦ୍ର ମହାନ୍ତି ଭାଇ ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଉପସ୍ଥିତ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଦିଗ୍ଦର୍ଶନ ପ୍ରଦାନ କରିଥିଲେ।
ଦିବସବ୍ୟାପୀ ଆୟୋଜିତ ଏହି ଉତ୍ସବରେ ବୁଢ଼ାପଙ୍କ, ଅନୁଗୋଳ, ବଳରାମ ପ୍ରସାଦ ଓ ତଳମୂଳିଝିରି , ଐତାପାଲି ଶାଖାର ଗୁରୁଭାଇ ଓ ଗୁରୁଭଉଣୀମାନେ ଉତ୍ସାହର ସହ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ଶାଖାର ଭକ୍ତମାନଙ୍କ ଦ୍ୱାରା ଭକ୍ତି ସଙ୍ଗୀତ ଓ ଭଜନ ପରିବେଷଣ କରାଯାଇଥିଲା। ଭକ୍ତିମୟ ସଙ୍ଗୀତରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଭାବଧାରାରେ ଭରିଉଠିଥିଲା।
ଅପରାହ୍ଣରେ ନଗର ସଂକୀର୍ତ୍ତନ ଆୟୋଜିତ ହୋଇଥିବାବେଳେ ସନ୍ଧ୍ୟାରେ ଓଁକାର ଧ୍ୱନି, ଗୁରୁ ବନ୍ଦନା, ଭଜନ ଓ ସାମୂହିକ ଧ୍ୟାନ ଅନୁଷ୍ଠିତ ହୋଇଥିଲା। ଗୁରୁଙ୍କ ପ୍ରତି ଭକ୍ତି, ଆତ୍ମଜ୍ଞାନ ଓ ମାନବ କଲ୍ୟାଣର ବାର୍ତ୍ତା ମଧ୍ୟରେ ଭକ୍ତମାନେ ଆଧ୍ୟାତ୍ମିକ ଅନୁଭୂତି ଲାଭ କରିଥିଲେ।
ଏହାପରେ ଆୟୋଜିତ ଜ୍ଞାନ ସଭାରେ ସଂଘର କେନ୍ଦ୍ରୀୟ କମିଟି ସଦସ୍ୟ ହେମନ୍ତ ସାହୁ ‘ସତସଙ୍ଗ ପରିଚାଳନା ଓ ଜ୍ଞାନ ମନ୍ଦିରର ଆବଶ୍ୟକତା’ ବିଷୟରେ ଆଲୋକପାତ କରିଥିଲେ। ଡାକ୍ତର ରଞ୍ଜିତ ସାହୁ ‘ବିଜ୍ଞାନ ଓ ଆଧ୍ୟାତ୍ମିକ ଜ୍ଞାନ’ ଉପରେ ନିଜର ମତ ରଖିଥିଲେ। ସେହିପରି ସଂଘର ରାଜ୍ୟ ଉପସଭାପତି ପୂଜ୍ୟ ବିଶ୍ୱନାଥ ପ୍ରଧାନ ‘ସଦ୍ଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଓ ଦିବ୍ୟଦର୍ଶନ’ ସମ୍ପର୍କରେ ଭକ୍ତମାନଙ୍କୁ ମାର୍ଗଦର୍ଶନ କରିଥିଲେ। ସଭାପତି ପୂଜ୍ୟ ରବୀନ୍ଦ୍ର ମହାନ୍ତି ‘ଭଗବାନଙ୍କ ମହାନତା ଓ ସନାତନ ଧର୍ମ’ ବିଷୟରେ ଦିବ୍ୟ ବାର୍ତ୍ତା ପ୍ରଦାନ କରିଥିଲେ।
ଉତ୍ସବରେ ଯୋଗଦେଇଥିବା ଗୁରୁଭାଇ, ଗୁରୁଭଉଣୀ ଓ ସତସଙ୍ଗ ପ୍ରେମୀଙ୍କ ପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା। ଦିନରେ ଦୁଇଥର ପ୍ରସାଦ ସେବନ ବ୍ୟବସ୍ଥା ରହିଥିବାରୁ ଉପସ୍ଥିତ ସମସ୍ତ ଭକ୍ତ ଏହାର ସୁଯୋଗ ନେଇଥିଲେ। ଏହା ଉତ୍ସବର ସାମୂହିକତା, ସେବା ଓ ଭାଇଚାରାର ଭାବନାକୁ ଆହୁରି ମଜବୁତ କରିଥିଲା।
ପରିଶେଷରେ ପଙ୍କଜ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ। ବୁଢ଼ାପଙ୍କ ଶାଖାର ସମସ୍ତ ଗୁରୁଭାଇ ଓ ଗୁରୁଭଉଣୀଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ସମୂହ ଉଦ୍ୟମରେ ସମଗ୍ର କାର୍ଯ୍ୟକ୍ରମଟି ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ଆଧ୍ୟାତ୍ମିକ ପରିବେଶରେ ସଫଳତାର ସହ ସମାପିତ ହୋଇଥିଲା। ଜ୍ଞାନ ମନ୍ଦିରର ରୂପାନ୍ତରୀକରଣ ଓ ନୂତନ ବିଶ୍ରାମ ନିବାସର ଶୁଭାରମ୍ଭ ଦିବ୍ୟଦର୍ଶନ ସଂଘର ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି।
