ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲା ସ୍ତରୀୟ ୧୨୫ତମ ଜୟନ୍ତୀ ପାଳିତ।
ଅନୁଗୋଳ, ତା.୨୩.୧୧:- ଜିଲ୍ଲା ପ୍ରଶାସନ ଓ ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସମିତିର ମିଳିତ ଆନୁକୂଲ୍ୟରେ ମହାନ ଜନନାୟକ, ସର୍ବୋଦୟ ନେତା, ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କ ଜିଲ୍ଲା ସ୍ତରୀୟ ୧୨୫ତମ ଜୟନ୍ତୀ ବାଜିରାଉତ ଛାତ୍ରାବାସ ଠାରେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅବଦାଲ ମୁହମ୍ମଦ୍ ଅଖତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଛାତ୍ରାବାସ ପରିସରରେ ବୃକ୍ଷରୋପଣ କରିଥିଲେ। ଏଥ୍ ସହ ତାଙ୍କ ଜୀବନୀ ଉପରେ ଆଧାରିତ ଏକ ଫଟୋ ପ୍ରଦର୍ଶନୀର ଉଦଘାଟନ କରି ଆୟୋଜିତ ବୈଠକରେ ଯୋଗ ଦେଇଥିଲେ। ଗାନ୍ଧୀବାଦୀ ନୀତିକୁ ଗ୍ରହଣ କରି ବେଠି-ବେଗାରୀ ପ୍ରଥା ଉଚ୍ଛେଦ ଏବଂ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତିରେ ନବକୃଷ୍ଣ ଚୌଧୁରୀଙ୍କ ଭୂମିକା ଐତିହାସିକ ବୋଲି ଜିଲ୍ଲାପାଳ କହିଥିଲେ। ଗ୍ରାମ ସଭା ମାଧ୍ୟମରେ ଲୋକଙ୍କୁ ସଶକ୍ତ କରି ‘ନିଜକୁ ନିଜର ଭାଗ୍ୟବିଧାତା ହେବାକୁ ପଡିବ’ ବୋଲି ସେ ଦେଇଥିବା ବାର୍ତ୍ତା ସର୍ବଦା ପ୍ରାସଙ୍ଗିକ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।

ବୈଠକରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ଶ୍ରୀ ମନୋରଞ୍ଜନ ମହାନ୍ତି ଓ ପ୍ରଗତିବାଦୀ ସମ୍ବାଦ ପତ୍ରର ସମ୍ପାଦକ ଶ୍ରୀ ବିରୁପାକ୍ଷ ତ୍ରିପାଠୀ ଯୋଗ ଦେଇ ଜମିଦାରୀ ପ୍ରଥାର ଉଚ୍ଛେଦ, ଅଞ୍ଚଳ ଶାସନର ପରିକଳ୍ପନା ଏବଂ ଜଣେ ନିଷ୍ଠାପର ଗାନ୍ଧୀବାଦୀ ନେତା ଭାବେ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅବଦାନକୁ ସ୍ମରଣ କରିବା ସହ ତାଙ୍କ ଆଦର୍ଶ ଓ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଅବସରପ୍ରାପ୍ତ ସଭାପତି ଡ. ଧରଣୀଧର ନାଥଙ୍କ ଦ୍ଵାରା ରଚିତ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ସମିତିର ସଭାପତି ପ୍ରଫେସର ଶାନ୍ତନୁ କୁମାର ସର ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଜିରାଉତ ଛାତ୍ରାବାସର ଉପଦେଷ୍ଟା କୃଷ୍ଣା ମହାନ୍ତିଙ୍କ ସମେତ ଛାତ୍ରାବାସର କର୍ମକର୍ତ୍ତା, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବାହ୍ନରେ ସମିତି ପକ୍ଷରୁ ଚମ୍ପତିମୁଣ୍ଡା ଜୀବନ ବିଦ୍ୟାଳୟରୁ ‘ପ୍ରଣାମ ନବକୃଷ୍ଣ’ ନାମକ ଏକ ବାଇକ୍ ରାଲି ଆୟୋଜନ କରାଯାଇଥିବା ବେଳେ ସ୍ଥାନୀୟ ସଭାଘର ଠାରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

