Spread the love

ମ୍ୟୁଚୁଆଲ୍ ଫଣ୍ଡ ନିବେଶକଙ୍କ ପାଇଁ ସହଜ ହେବ କେୱାଇସି ଯାଞ୍ଚ, ସହଭାଗିତା ବଢ଼ାଇଲେ ଇଣ୍ଡିଆ ପୋଷ୍ଟ ଓ ୟୁଟିଆଇ

ନୂଆଦିଲ୍ଲୀ, ୨୯/୧୦: ଦେଶର ଦୂରଦୂରାନ୍ତ ଅଞ୍ଚଳରେ ମ୍ୟୁଚୁଆଲ୍ ଫଣ୍ଡ ନିବେଶ ସେବାକୁ ଅଧିକ ସହଜ ଓ ସୁଗମ କରିବା ପାଇଁ ଇଣ୍ଡିଆ ପୋଷ୍ଟ ଏବଂ ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ ନିଜର ଦୀର୍ଘକାଳୀନ ସହଭାଗିତାକୁ ଆହୁରି ସୁଦୃଢ଼ କରିଛନ୍ତି। ଏହି ସହଯୋଗ ମାଧ୍ୟମରେ ନିବେଶକଙ୍କ କେୱାଇସି (KYC) ଯାଞ୍ଚ ପ୍ରକ୍ରିୟାକୁ ସରଳ କରିବା ସହ ଆର୍ଥିକ ସେବାର ପରିସର ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି।

ଏହି ଉଦ୍ଦେଶ୍ୟରେ ଗୁରୁବାର ମୁମ୍ବାଇସ୍ଥିତ ୟୁଟିଆଇ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ (ୟୁଟିଆଇ ଏଏମ୍‌ସି)ର କର୍ପୋରେଟ୍ କାର୍ଯ୍ୟାଳୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଡାକ ବିଭାଗର ପାର୍ସଲ ଓ ସିସିଏ ନିର୍ଦ୍ଦେଶାଳୟର ମୁଖ୍ୟ ମହାପ୍ରବନ୍ଧକ ଅଦନାନ ଅହମଦ ଏବଂ ୟୁଟିଆଇ ଏଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ବେତ୍ରି ସୁବ୍ରମଣ୍ୟମ୍ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି।

ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ଇଣ୍ଡିଆ ପୋଷ୍ଟ ନିଜର ବ୍ୟାପକ ଡାକ ନେଟୱର୍କ ଓ ଶେଷ ପର୍ଯ୍ୟାୟ ସଂଯୋଗ ବ୍ୟବସ୍ଥାକୁ ବ୍ୟବହାର କରି ନିବେଶକଙ୍କ ଘର ପାଖରେ କେୱାଇସି ଯାଞ୍ଚ ସୁବିଧା ପହଞ୍ଚାଇବ। ବିଶେଷକରି ଦୂରଦୂରାନ୍ତ ଓ ଆର୍ଥିକ ସେବାରୁ ବଞ୍ଚିତ ଅଞ୍ଚଳର ଲୋକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ।

ପୂର୍ବରୁ ମଧ୍ୟ ଉଭୟ ସଂସ୍ଥା କେୱାଇସି ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ମିଳିତ ଭାବେ କାର୍ଯ୍ୟ କରିଥିଲେ। ଏହି ପଦକ୍ଷେପ ଯୋଗୁଁ ଅନେକ ନିବେଶକଙ୍କ ଅସମ୍ପୂର୍ଣ୍ଣ କେୱାଇସି ପ୍ରକ୍ରିୟା ପୂରଣ, ନିୟାମକ ନିୟମର ଅନୁପାଳନ ଏବଂ ଆବଶ୍ୟକ ଦସ୍ତାବିଜ୍‌ର ଅଭାବ ଦୂର କରିବାରେ ସହାୟତା ମିଳିଥିଲା।

ଏହି ବର୍ଦ୍ଧିତ ସହଯୋଗ ଦ୍ୱାରା ନିବେଶକମାନେ ଅଧିକ ସୁବିଧାଜନକ ସେବା ପାଇବା ସହ ମ୍ୟୁଚୁଆଲ୍ ଫଣ୍ଡ ନିବେଶ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ ବୋଲି ଆଶା କରାଯାଉଛି। ଦେଶର ପ୍ରତ୍ୟେକ ଅଞ୍ଚଳରେ ଆର୍ଥିକ ସେବା ପହଞ୍ଚାଇବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ସୂଚନା ସୌଜନ୍ୟ: ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି), ଭାରତ ସରକାର।

Leave a Reply

Your email address will not be published. Required fields are marked *