ରାଧାକୃଷ୍ଣ ବଜାରରେ ମହାନବମୀ ପୂଜା, ନାରୀ ସଶକ୍ତିକରଣର ବାର୍ତ୍ତା ଦେଲା କୁମାରୀ ପୂଜା
ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାର ଦୋଳମଣ୍ଡପ ସାହିରେ ନବରାତ୍ର ଦୁର୍ଗାପୂଜାର ମହାନବମୀ ଅବସରରେ ଭକ୍ତି ଓ ଶ୍ରଦ୍ଧାର ସହ କୁମାରୀ ପୂଜା ଅନୁଷ୍ଠିତ ହୋଇଯାଇଛି।
ରାଧାକୃଷ୍ଣ ବଜାର ନବରାତ୍ର ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ଏହି ପୂଜାରେ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରାଯାଇଥିଲା। ପୂଜକ ନରୋତ୍ତମ ଦାସ, ରୁଦ୍ରନାରାୟଣ କବିଶତପଥୀ, ଭବାନୀ ଶଙ୍କର ରଥ ଓ ସୁବ୍ରତ ମହାପାତ୍ର ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ଗଣେଶ୍ୱର ଓଝା କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ।
ସାଂସ୍କୃତିକ ସମ୍ପାଦକ ବିଶ୍ଵରଞ୍ଜନ ଓଝାଙ୍କ ତତ୍ତ୍ୱାବଧାନରେ ଦୋଳମଣ୍ଡପ ସାହିର ବାସିନ୍ଦାଙ୍କ ସହଯୋଗରେ ଏହି ପୂଜା ଆୟୋଜିତ ହୋଇଥିଲା।
ଏହି ଅବସରରେ ନାରୀ ସଶକ୍ତିକରଣ, ଶିକ୍ଷା ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ମାତୃଶକ୍ତିର ସ୍ୱରୂପ ଦେଖିବା ସହ ନାରୀଙ୍କୁ ସମ୍ମାନ ଓ ସମାଜରେ ଉପଯୁକ୍ତ ସ୍ୱୀକୃତି ପ୍ରଦାନ କରିବା ହେଉଛି କୁମାରୀ ପୂଜାର ମୁଖ୍ୟ ବାର୍ତ୍ତା ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ।
ଚଳିତ ବର୍ଷ ରାଧାକୃଷ୍ଣ ବଜାରରେ ନବରାତ୍ର ଦୁର୍ଗାପୂଜା ଧୁମଧାମରେ ପାଳନ କରାଯାଉଥିବାବେଳେ ମହାନବମୀର ଏହି କୁମାରୀ ପୂଜା ମାଧ୍ୟମରେ ସମାଜକୁ ନାରୀ ସମ୍ମାନ ଓ ସଶକ୍ତିକରଣର ଏକ ସୁନ୍ଦର ବାର୍ତ୍ତା ଦିଆଯାଇଛି।
