Spread the love

*ଲଗାଣ ବର୍ଷା ମଧ୍ୟରେ ଘାଇ ଓ ନଦୀବନ୍ଧର ସ୍ଥିତି ଯାଞ୍ଚରେ ଜଳ ସମ୍ପଦ ବିଭାଗର ଅଧିକାରୀ*

*ଋଷିକୁଲ୍ୟା ବାମପାର୍ଶ୍ୱ ବନ୍ୟା ନିୟନ୍ତ୍ରଣ ବନ୍ଧ ଓ ପିଲାସାଳିକି ଡ୍ୟାମ୍‌ରେ କ୍ଷେତ୍ରସ୍ତରୀୟ ଯାଞ୍ଚ*

ଭୁବନେଶ୍ୱର, ୨୦ ନଭେମ୍ବର ୨୦୨୬: ଲଗାଣ ବର୍ଷା ଜାରି ରହିଥିବା ପରିପ୍ରେକ୍ଷୀରେ ଜଳ ସମ୍ପଦ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ବିଭିନ୍ନ ପୁନରୁଦ୍ଧାର ଘାଇ, ଦୁର୍ବଳ ନଦୀବନ୍ଧ ଓ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୁନରୁଦ୍ଧାର କାର୍ଯ୍ୟର ସ୍ଥାୟୀତ୍ୱ ଓ ସୁରକ୍ଷା ଯାଞ୍ଚ କରିବା ଏହି ନିରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ।

ଋଷିକୁଲ୍ୟା ନଦୀର ବାମପାର୍ଶ୍ୱ ବନ୍ୟା ନିୟନ୍ତ୍ରଣ ବନ୍ଧର ଭୀମପୁର, କୋଲିଡାସପୁର ଓ ପୁରୁଷୋତ୍ତମପୁର ଅଞ୍ଚଳର କୁମାରୀ ଗ୍ରାମ ନିକଟରେ ପୂର୍ବରୁ ପୁନରୁଦ୍ଧାର ହୋଇଥିବା ଘାଇ ସ୍ଥଳଗୁଡ଼ିକୁ ଅଧିକାରୀମାନେ ଯାଞ୍ଚ କରିଥିଲେ। ନଦୀବନ୍ଧର ସ୍ଥିରତା, ଜଳ ନିର୍ଗମନ ଓ ମାଟି କ୍ଷୟ ଭଳି ସମ୍ଭାବ୍ୟ ବିପଦ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ହୀରାଧରାବତୀ ଆନିକଟ ନିକଟସ୍ଥ ଘାଇ ସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ଓ ସଂଲଗ୍ନ ବନ୍ୟା ସୁରକ୍ଷା ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଅନ୍ୟ ଏକ ନିରୀକ୍ଷଣରେ ଉପଖଣ୍ଡ ଅଧିକାରୀ, ସହକାରୀ ଯନ୍ତ୍ରୀ ଓ କ୍ଷେତ୍ର କର୍ମଚାରୀମାନେ ପିଲାସାଳିକି ଡ୍ୟାମ୍‌ ଏବଂ ଏହାର ଅଗେଟ୍‌ବିହୀନ ଜଳ ନିଷ୍କାସନ ପଥର ସ୍ଥିତି ଯାଞ୍ଚ କରିଥିଲେ।

ବିଭାଗ ପକ୍ଷରୁ ଦୁର୍ବଳ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କ୍ଷେତ୍ରସ୍ତରୀୟ ନିରୀକ୍ଷଣ ଜାରି ରହିଛି। ପୁନରୁଦ୍ଧାର ହୋଇଥିବା ନଦୀବନ୍ଧ ଓ ଜଳ ଭିତ୍ତିଭୂମିର ନିୟମିତ ଯାଞ୍ଚ ସହ ଆବଶ୍ୟକ ସ୍ଥଳେ ତୁରନ୍ତ ପଦକ୍ଷେପ ନିଆଯାଉଛି। ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବିଭାଗର ଏହି ସତର୍କତାମୂଳକ ପଦକ୍ଷେପ ଜାରି ରହିବ।

Leave a Reply

Your email address will not be published. Required fields are marked *