Spread the love

ଲଦାଖରେ ୩,୩୫୦ କୋଟିର ୫ ବିକାଶ ପ୍ରକଳ୍ପ ଲୋକାର୍ପିତ

ଲେହ ବିମାନବନ୍ଦର ଟର୍ମିନାଲ୍, ନିମୁ-ପଦୁମ-ଦାର୍ଚା ସଡ଼କ ସମେତ ଯୋଜନାର ଶୁଭାରମ୍ଭ; ଯାତାୟାତ, ବିଦ୍ୟୁତ୍ ଓ ଜଳସେଚନକୁ ମିଳିବ ନୂଆ ଗତି

ନୂଆଦିଲ୍ଲୀ: ଲଦାଖର ଭିତ୍ତିଭୂମି ବିକାଶକୁ ଆହୁରି ଗତି ଦେବା ଲକ୍ଷ୍ୟରେ ପ୍ରାୟ ୩,୩୫୦ କୋଟି ଟଙ୍୍କା ବ୍ୟୟରେ ନିର୍ମିତ ପାଞ୍ଚଟି ପ୍ରମୁଖ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏହି ପ୍ରକଳ୍ପଗୁଡ଼ିକୁ ଲଦାଖବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।

ଏହି ପ୍ରକଳ୍ପଗୁଡ଼ିକ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ବିଦ୍ୟୁତ୍ ଓ ଜଳ ଯୋଗାଣର ସୁଦୃଢ଼ୀକରଣ ସହ ପ୍ରାଚୀନ ଐତିହ୍ୟର ସଂରକ୍ଷଣରେ ସହାୟକ ହେବ। ପ୍ରକଳ୍ପଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିଥିବା ଯନ୍ତ୍ରୀ, ଶ୍ରମିକ, ସ୍ଥାନୀୟ କର୍ମଚାରୀ ଓ ସୀମା ସଡ଼କ ସଂଗଠନ (ବିଆର୍‌ଓ)ର କର୍ମଚାରୀଙ୍୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

ଲେହ ବିମାନବନ୍ଦରରେ ଯାତ୍ରୀ କ୍ଷମତା ବଢ଼ିବ

ପ୍ରାୟ ୬୫୦ କୋଟି ଟଙ୍୍କା ବ୍ୟୟରେ ନିର୍ମିତ କୁଶୋକ ବକୁଲା ରିନ୍ପୋଚେ ବିମାନବନ୍ଦରର ନୂତନ ଟର୍ମିନାଲ୍ ଉଦ୍ଘାଟନ ହୋଇଛି। ଏହାଦ୍ୱାରା ବିମାନବନ୍ଦରର ବାର୍ଷିକ ଯାତ୍ରୀ ପରିଚାଳନା କ୍ଷମତା ୧୦ ଲକ୍ଷରୁ ବୃଦ୍ଧି ପାଇ ୩୫ ଲକ୍ଷ ହେବ ବୋଲି ଦର୍ଶାଯାଇଛି।

ଲଦାଖର ପ୍ରତିକୂଳ ଜଳବାୟୁକୁ ଧ୍ୟାନରେ ରଖି ଟର୍ମିନାଲ୍‌ରେ ସୌରଶକ୍ତି ଓ ଭୂତାପୀୟ ଶକ୍ତିର ବ୍ୟବହାର କରାଯାଇଛି। ଏହା ପର୍ଯ୍ୟଟନକୁ ଉତ୍ସାହିତ କରିବା ସହ ପରିବେଶ ସୁରକ୍ଷା ଓ ଆଧୁନିକ ଭିତ୍ତିଭୂମି ବିକାଶରେ ସମନ୍ୱୟ ରଖିବ ବୋଲି ଆଶା କରାଯାଉଛି।

୧୨ ଘଣ୍ଟାର ଯାତ୍ରା ହେବ ୩ ଘଣ୍ଟା

ପ୍ରାୟ ୨,୫୦୦ କୋଟି ଟଙ୍୍କା ବ୍ୟୟରେ ନିର୍ମିତ ନିମୁ-ପଦୁମ-ଦାର୍ଚା ସଡ଼କକୁ ମଧ୍ୟ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଛି। ଏହି ସଡ଼କ ଯୋଗୁଁ ଯାତ୍ରା ସମୟ ୧୨ ଘଣ୍ଟାରୁ ହ୍ରାସ ପାଇ ପ୍ରାୟ ୩ ଘଣ୍ଟା ହେବ ବୋଲି କୁହାଯାଇଛି।

ସଡ଼କ ସଂଯୋଗ ଉନ୍ନତ ହେବା ଦ୍ୱାରା ସ୍ଥାନୀୟ ବାଣିଜ୍ୟ, ପର୍ଯ୍ୟଟନ ଓ ବ୍ୟବସାୟକୁ ନୂଆ ସୁଯୋଗ ମିଳିବ। ଦୁର୍ଗମ ଅଞ୍ଚଳରେ ଯାତାୟାତ ସୁଗମ ହେବା ସହ ଲୋକଙ୍୍କ ଦୈନନ୍ଦିନ ଜୀବନ ମଧ୍ୟ ସହଜ ହେବ ବୋଲି ଆଶା କରାଯାଉଛି।

ବିଦ୍ୟୁତ୍ ଓ ଜଳସେଚନକୁ ମିଳିବ ସହାୟତା

ଶ୍ରୀନଗର-ଲେହ ବିଦ୍ୟୁତ୍ ପରିବହନ ଲାଇନ୍ ପରେ ହାନୁ ଜଳବିଦ୍ୟୁତ୍ ପ୍ରକଳ୍ପ ଓ ଏହା ସହ ସଂଯୁକ୍ତ ବିଦ୍ୟୁତ୍ ପରିବହନ ବ୍ୟବସ୍ଥାକୁ ଲୋକାର୍ପଣ କରାଯାଇଛି। ଏହା ଲଦାଖରେ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣକୁ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟସେବା ଓ କ୍ଷୁଦ୍ର ଉଦ୍ୟୋଗର ବିକାଶରେ ସହାୟକ ହେବ।

ସେହିପରି ‘ଅମୃତ ହିମ ସରୋବର’ ଯୋଜନା ଅଧୀନରେ ନିର୍ମିତ ୪୦ଟି ଜଳାଶୟକୁ ମଧ୍ୟ ଲୋକାର୍ପଣ କରାଯାଇଛି। ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ କୃଷି ଓ ଜଳ ସଂରକ୍ଷଣକୁ ସୁଦୃଢ଼ କରିବା ସହ ଆବଶ୍ୟକ ସମୟରେ କୃଷକଙ୍୍କୁ ଜଳସେଚନ ସୁବିଧା ଯୋଗାଇବା ଏହାର ଲକ୍ଷ୍ୟ।

ଲଦାଖରେ ବିକାଶର ନୂଆ ଦିଗ

୨୦୧୯ରେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହେବା ପରଠାରୁ ସେଠାରେ ସଡ଼କ, ସେତୁ, ହେଲିପ୍ୟାଡ୍, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିସ୍ତାର ହୋଇଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ନିର୍ମାଣାଧୀନ ଜୋଜିଲା ସୁଡ଼ଙ୍ଗ ଭବିଷ୍ୟତରେ ସବୁ ଋତୁରେ ସଡ଼କ ସଂଯୋଗ ସୁନିଶ୍ଚିତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଶୀତକାଳୀନ ଓ ଦୁଃସାହସିକ ପର୍ଯ୍ୟଟନ, ‘ଭାଇବ୍ରାଣ୍ଟ ଭିଲେଜେସ୍’ ଯୋଜନା ଅଧୀନରେ ସୀମାନ୍ତ ଗ୍ରାମର ବିକାଶ, ହୋମ୍‌ଷ୍ଟେ ଓ ଗ୍ରିନ୍‌ହାଉସ୍‌ର ବୃଦ୍ଧି ଲଦାଖର ସ୍ଥାନୀୟ ଅର୍ଥନୀତିକୁ ଆଗକୁ ନେଉଥିବା ବୋଲି ସେ କହିଥିଲେ।

ଐତିହ୍ୟ ସଂରକ୍ଷଣ ଓ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ

ଲେହଠାରେ ଭାରତର ପ୍ରଥମ ଶିଳାଚିତ୍ର ସଂରକ୍ଷଣ ପାର୍କ ଉଦ୍ଘାଟନ ମଧ୍ୟ ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ଥିଲା। ପ୍ରାଚୀନ ଶିଳାଚିତ୍ର ଓ ଲଦାଖର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଦେଶ-ବିଦେଶର ପର୍ଯ୍ୟଟକଙ୍୍କୁ ଏହା ସହ ପରିଚିତ କରାଇବା ଏହାର ଉଦ୍ଦେଶ୍ୟ।

ଲଦାଖର ଖୁରମା, ପଶ୍ମିନା, ହସ୍ତଶିଳ୍ପ ଓ ଅନ୍ୟ ସ୍ଥାନୀୟ ଉତ୍ପାଦର ବଜାର ପରିଚୟ ବଢ଼ାଇବା ଏବଂ ଉତ୍ପାଦକଙ୍୍କ ଆୟ ବୃଦ୍ଧି ପାଇଁ ବ୍ରାଣ୍ଡିଂ ଓ ବାଣିଜ୍ୟିକ ସୁଯୋଗ ସମ୍ପ୍ରସାରଣ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ପ୍ରକଳ୍ପଗୁଡ଼ିକ ଲଦାଖର ଯୋଗାଯୋଗ, ଶକ୍ତି, ଜଳସେଚନ ଓ ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *