Spread the love

*ଶ୍ରୀଅନ୍ନ ଓ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ-୨୦୨୬’ ଶୀର୍ଷକ ସମ୍ମିଳନୀକୁ ଉଦ୍‌ଘାଟନ କଲେ ରାଜ୍ୟପାଳ*

*ଦୈନନ୍ଦିନ ଖାଦ୍ୟରେ ମିଲେଟ‌ ସାମିଲ କରିବା ସହ ପାରମ୍ପରିକ ବିହନ ସଂରକ୍ଷଣ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ*

ଭୁବନେଶ୍ୱର, ୧୦ ନଭେମ୍ବର: ଦୈନନ୍ଦିନ ଖାଦ୍ୟରେ ଶ୍ରୀଅନ୍ନ (ମିଲେଟ୍‌) ସାମିଲ କରିବା ସହ ଭୂ-ପ୍ରଜାତି ବିହନର ସଂରକ୍ଷଣ ଓ ସୁଦୃଢ଼ୀକରଣ ଦିଗରେ ସାମୂହିକ ପ୍ରୟାସ କରିବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଆହ୍ୱାନ ଜଣାଇଛନ୍ତି। ବିଶେଷକରି ଯୁବପିଢ଼ି, ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀମାନେ ନିଜ ଖାଦ୍ୟାଭ୍ୟାସରେ ମାଣ୍ଡିଆ, ବାଜରା, ଜୋଅର ଆଦି ମିଲେଟ କୁ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ମଙ୍ଗଳବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ‘ଶ୍ରୀଅନ୍ନ ଏବଂ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ-୨୦୨୬’ ଶୀର୍ଷକ ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଥିଲେ ଯେ, ପ୍ରତ୍ୟେକ ପରିବାରର ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆ, ବାଜରା, ଜୋଅର ଆଦି ମିଲେଟ୍‌ ସ୍ଥାନ ପାଇବା ଆବଶ୍ୟକ। ସୁସ୍ଥ ଖାଦ୍ୟାଭ୍ୟାସ କେବଳ ବ୍ୟକ୍ତିଗତ ସ୍ୱାସ୍ଥ୍ୟର ସୁରକ୍ଷା ନୁହେଁ, ବରଂ ଚାଷୀ ଓ ଆମର କୃଷି ପରମ୍ପରା ପ୍ରତି ସମ୍ମାନର ପ୍ରତୀକ।

ଭାରତର କୃଷି ଐତିହ୍ୟରେ ମିଲେଟ୍‌ର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଶତାବ୍ଦୀ ଶତାବ୍ଦୀ ଧରି ଏହି ଶସ୍ୟ ଆମ ପାରମ୍ପରିକ ଖାଦ୍ୟ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି। ଓଡ଼ିଶାର ଆଦିବାସୀ ଓ ଅନାବୃଷ୍ଟି ପ୍ରବଣ ଅଞ୍ଚଳରେ ମିଲେଟ୍‌ ଚାଷ ସ୍ଥାନୀୟ ଜୀବିକା ଓ ସାଂସ୍କୃତିକ ପରମ୍ପରା ସହ ନିବିଡ଼ ଭାବେ ଜଡ଼ିତ। ମାଣ୍ଡିଆ ଚାଷର ପ୍ରସାର ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ସହ ଏହି ପାରମ୍ପରିକ ଐତିହ୍ୟର ସୁରକ୍ଷା ସମ୍ଭବ ହୋଇପାରିବ।
ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା, ତାପମାତ୍ରା ବୃଦ୍ଧି ଓ ଜଳାଭାବ ଭଳି ଆହ୍ୱାନର ମୁକାବିଲାରେ ମିଲେଟ୍‌ ଏକ ସ୍ଥାୟୀ କୃଷି ବିକଳ୍ପ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ। କମ ଜଳ ଆବଶ୍ୟକ କରିବା, କମ ଖର୍ଚ୍ଚରେ ଚାଷ ହୋଇପାରିବା ଏବଂ ପ୍ରତିକୂଳ ଜଳବାୟୁ ପରିସ୍ଥିତିକୁ ସହ୍ୟ କରିବାର କ୍ଷମତା ଯୋଗୁଁ ମିଲେଟ ଚାଷ ଚାଷୀଙ୍କ ପାଇଁ ଅଧିକ ଲାଭଦାୟକ ହୋଇପାରିବ।

ମିଲେଟର ପୁଷ୍ଟିଗତ ଗୁଣ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ଏଥିରେ ପ୍ରଚୁର ପରିମାଣରେ ଖାଦ୍ୟ ତନ୍ତୁ ଓ ଅତ୍ୟାବଶ୍ୟକ ପୋଷକତତ୍ତ୍ୱ ରହିଛି। ମଧୁମେହ, ମେଦବହୁଳତା ଓ ଉଚ୍ଚ ରକ୍ତଚାପ ଭଳି ଜୀବନଶୈଳୀଜନିତ ରୋଗ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମିଲେଟ୍‌ର ନିୟମିତ ସେବନ ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବ।

ଓଡ଼ିଶାର ମିଲେଟ ଉତ୍ପାଦକୁ ବ୍ୟାପକ ଘରୋଇ ଓ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ପ୍ରକ୍ରିୟାକରଣ, ପ୍ୟାକେଜିଂ, ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଓ ବିପଣନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ।

ଭୂ-ପ୍ରଜାତି ବିହନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟପାଳ ଗୋଷ୍ଠୀଭିତ୍ତିକ ବିହନ ବ୍ୟାଙ୍କ ପ୍ରତିଷ୍ଠା, ଦେଶୀ କିସମର ବିହନର ଦସ୍ତାବିଜୀକରଣ ଏବଂ ବିହନ ବିନିମୟକୁ ପ୍ରୋତ୍ସାହନ ଦେବାକୁ ଆହ୍ୱାନ ଜଣାଇଥିଲେ। ସ୍ଥାନୀୟ ବିହନ କିସମଗୁଡ଼ିକ ପିଢ଼ି ପରେ ପିଢ଼ି ଚାଷୀଙ୍କ ଅଭିଜ୍ଞତା ଓ ଜ୍ଞାନର ପ୍ରତିଫଳନ ଏବଂ କୃଷି ଜୈବ ବିବିଧତାର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ।

ଆଦିବାସୀ ସମ୍ପ୍ରଦାୟ ଓ ମହିଳା ଚାଷୀମାନେ ପାରମ୍ପରିକ ବିହନର ମୁଖ୍ୟ ସଂରକ୍ଷକ ବୋଲି ଉଲ୍ଲେଖ କରି ସେମାନଙ୍କ ପାରମ୍ପରିକ ଜ୍ଞାନକୁ ଆଧୁନିକ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଉନ୍ନତ ବଜାର ସଂଯୋଗ ସହ ସମନ୍ୱିତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ରାଜ୍ୟ ସରକାରଙ୍କ ଶ୍ରୀଅନ୍ନ ଅଭିଯାନ ଏବଂ ମିଲେଟ ର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ, ପାରମ୍ପରିକ ବିହନର ସଂରକ୍ଷଣ, କୃଷି ବିବିଧତାର ସୁରକ୍ଷା ଓ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ସମସ୍ତଙ୍କ ମିଳିତ ପ୍ରୟାସ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ପୂରଣରେ ସହାୟକ ହେବ।

ଏହି ସମ୍ମିଳନୀରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇସିଏଆର୍‌ର ମହାନିର୍ଦ୍ଦେଶକ ଡ. ମାଙ୍ଗି ଲାଲ ଜାଟ୍‌, ଏମ୍‌.ଏସ୍‌.ଏସ୍‌.ଆର୍‌.ଏଫ୍‌.ର ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ୱାମୀନାଥନ‌ ଏବଂ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

ପ୍ରାରମ୍ଭରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧୱ୍ୱ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ପୋମା ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *