ଶ୍ରୀମନ୍ଦିରରେ ଦର୍ଶନ ନାଁରେ ଲୁଟ୍; ୫ ନକଲି ଗୁମାସ୍ତାଙ୍କୁ ବାନ୍ଧିଲା ସିଂହଦ୍ୱାର ପୋଲିସ
ପୁରୀ: ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରରେ ସହଜ ଓ ଶୀଘ୍ର ଦର୍ଶନ କରାଇବା ବାହାନାରେ ଟଙ୍କା ଠକୁଥିବା ଅଭିଯୋଗରେ ପୁରୀ ସିଂହଦ୍ୱାର ଥାନା ପୋଲିସ ସୋମବାର ଆଉ ୫ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିଛି । ଏନେଇ ସିଂହଦ୍ୱାର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି ।
ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ୩୦ ବର୍ଷୀୟ ବିଶ୍ୱରଞ୍ଜନ ନାୟକ ନାମକ ଜଣେ ଯୁବକ ରହିଛନ୍ତି । ପୁରୀ ଏସ୍ପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି ଯେ, ଗତକାଲି ଆମେରିକାରୁ ଆସିଥିବା ପ୍ରବାସୀ ଭାରତୀୟ (NRI) ମହିଳା ଭକ୍ତମାନଙ୍କୁ ଦର୍ଶନ କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ କରିଥିବା ଅଭିଯୁକ୍ତ ମଧ୍ୟ ଏହି ୫ ଜଣଙ୍କ ମଧ୍ୟରେ ସାମିଲ ଅଛି । ସୂଚନାଯୋଗ୍ୟ ଯେ, ସମ୍ପୃକ୍ତ ବିଦେଶୀ ମହିଳା ଭକ୍ତମାନଙ୍କୁ ଶ୍ରୀମନ୍ଦିର ବାହାରେ ଠକାଯାଇଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ତତ୍ପରତା ଦେଖାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଏସ୍ପି ପ୍ରତୀକ ସିଂ ସ୍ପଷ୍ଟ କରିଛନ୍ତି ଯେ, ଏହି ବ୍ୟକ୍ତିମାନଙ୍କର ଶ୍ରୀମନ୍ଦିର ଭିତରେ କୌଣସି ଅଧିକୃତ ଭୂମିକା ନାହିଁ । ସେମାନେ ମନ୍ଦିରର ବାହାର ପ୍ରବେଶ ପଥ ଏବଂ ଧାଡ଼ି ନିକଟରେ ବୁଲି ବାହାରୁ ଆସୁଥିବା ଭକ୍ତମାନଙ୍କୁ ଟାର୍ଗେଟ କରି ଟଙ୍କା ଆଦାୟ କରୁଥିଲେ । ନକଲି ଗୁମାସ୍ତା ଏବଂ ଦଲାଲମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି ।
ଏହା ସହିତ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ସତର୍କ କରାଇ ଏସ୍ପି କହିଛନ୍ତି ଯେ, ମହାପ୍ରଭୁଙ୍କ ଦର୍ଶନ ପାଇଁ କାହାରିକୁ ଟଙ୍କା ଦିଅନ୍ତୁ ନାହିଁ କିମ୍ବା ମନ୍ଦିର ପ୍ରତିନିଧି ବୋଲି ପରିଚୟ ଦେଉଥିବା ଅଜଣା ବ୍ୟକ୍ତିଙ୍କ ପ୍ରଲୋଭନରେ ପଡ଼ନ୍ତୁ ନାହିଁ । ଯଦି କେହି ଦର୍ଶନ ନାଁରେ ଟଙ୍କା ଦାବି କରନ୍ତି, ତେବେ ତୁରନ୍ତ ପୋଲିସକୁ ଜଣାଇବାକୁ ସେ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରିଛନ୍ତି ।
