Spread the love

ସାମ୍ବାଦିକଙ୍କ ହୁଙ୍କାର ! ପ୍ରଶାସନକୁ ଚେତାବନୀ

୪୦୦ରୁ ଊର୍ଦ୍ଧ୍ୱ ସାମ୍ବାଦିକଙ୍କ ମହାଗଣଧାରଣା, ଅଧିକାର ପାଇଁ ଏକାଠି ହେଲେ ୨୬ ବ୍ଲକର ସାମ୍ବାଦିକ ଓ ସାତ ସାମ୍ବାଦିକ ସଂଘ

ବାରିପଦା: ସାମ୍ବାଦିକଙ୍କ ସ୍ୱାଭିମାନ, ମର୍ଯ୍ୟାଦା, ସୁରକ୍ଷା ଓ ନ୍ୟାଯ୍ୟ ଅଧିକାରର ପ୍ରଶ୍ନରେ ଗର୍ଜି ଉଠିଛି ବାରିପଦା। ସାମ୍ବାଦିକଙ୍କ ପ୍ରତି ଅବହେଳା ଓ ବିଭିନ୍ନ ସମସ୍ୟାର ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଗଣଧାରଣା ଆରମ୍ଭ ହୋଇଛି। ଏହି ଆନ୍ଦୋଳନରେ ଜିଲ୍ଲାର ୪ଟି ଉପଖଣ୍ଡ ଓ ୨୬ଟି ବ୍ଲକରୁ ୪୦୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ସାମିଲ ହୋଇ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଗଣଧାରଣାରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ), ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ), କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ଏବଂ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ସମେତ ବିଭିନ୍ନ ସାମ୍ବାଦିକ ସଂଗଠନର ନେତୃବୃନ୍ଦ ଯୋଗଦେଇଛନ୍ତି। ଏଥିସହ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ସାମ୍ବାଦିକଙ୍କ ଦାବିକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

“ସାମ୍ବାଦିକଙ୍କ ଅଧିକାର ସହ ଆଉ ଆପୋସ ବୁଝାମଣା ନୁହେଁ”, ଏଭଳି ଦୃଢ଼ ମନୋଭାବ ସହ ଆନ୍ଦୋଳନକାରୀ ମାନେ ସାମ୍ବାଦିକଙ୍କ ପ୍ରତି ଅବହେଳାର ଅବସାନ ଏବଂ ସେମାନଙ୍କ ମର୍ଯ୍ୟାଦା ଓ ସୁରକ୍ଷା ସୁନିଶ୍ଚିତ କରିବା ଦାବି ଉଠାଇଛନ୍ତି। ଆଗାମୀ ଦିନରେ ମଧ୍ୟ ସାମ୍ବାଦିକମାନେ ନିଜ ଅଧିକାର ପାଇଁ ଦୃଢ଼ ଜବାବ ଦେବେ ବୋଲି ବିଭିନ୍ନ ସଂଗଠନର ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।

ଏହି ଆନ୍ଦୋଳନର ସବୁଠାରୁ ବଡ଼ ବାର୍ତ୍ତା ହେଉଛି ସାମ୍ବାଦିକଙ୍କ ଏକତା। ଦଳମତ ଓ ସଂଗଠନଗତ ମତଭେଦକୁ ପଛରେ ପକାଇ ଜିଲ୍ଲାର ସାମ୍ବାଦିକମାନେ ନିଜ ସାମୂହିକ ସ୍ୱାର୍ଥ, ସ୍ୱାଭିମାନ ଓ ସୁରକ୍ଷା ପାଇଁ ଏକ ମଞ୍ଚରେ ଏକତ୍ରିତ ହୋଇଛନ୍ତି। ସାମ୍ବାଦିକଙ୍କ ଅଧିକାର ହାସଲ ଦିଗରେ ଏହି ଗଣଧାରଣା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

ଗଣଧାରଣାରେ ସାମିଲ ହୋଇ ଏକତାର ପରିଚୟ ଦେଇଥିବା ସମସ୍ତ ସାମ୍ବାଦିକ, ସଂଗଠନ ଓ ସମର୍ଥକଙ୍କୁ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ କୃତଜ୍ଞତା ଜଣାଯାଇଛି।

ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ। ସାମ୍ବାଦିକଙ୍କ ଦାବି ପୂରଣ ହେବ ନା ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *