### ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଶୋକସନ୍ତପ୍ତ ପରିବାରକୁ ଭେଟିଲେ ବିଧାୟକ ଅଗସ୍ତି ବେହେରା
ଛେଣ୍ଡିପଦା, ୨୯ ନଭେମ୍ବର: ୫୫ ନମ୍ବର ଜାତୀୟ ରାଜପଥର ଜରପଡ଼ାସ୍ଥିତ ପତିତପାବନ ମହାବିଦ୍ୟାଳୟ ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତୁକୁଡ଼ା ଗ୍ରାମର ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ହେମନ୍ତ ସାହୁଙ୍କ ପୁଅ ହିତେଶ ସାହୁ ବୋଲି ଜଣାପଡ଼ିଛି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଗଭୀର ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ହିତେଶ ସାହୁଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜଣେ ଯୁବକଙ୍କ ଏଭଳି ଅକାଳ ବିୟୋଗରେ ସେ ମର୍ମାହତ ବୋଲି ପ୍ରକାଶ କରିଥିଲେ।
ଏଥିସହ ଦୁଃଖରେ ଭାଙ୍ଗିପଡ଼ିଥିବା ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ଯୋଗାଇଦେବା ନିମନ୍ତେ ବିଧାୟକ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ଉଚିତ ସହାୟତା ମିଳିବା ପାଇଁ ତାଙ୍କର ପ୍ରୟାସ ଜାରି ରହିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ହିତେଶଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକାକୁଳ ପରିବାରକୁ ଏହି ଅସହ୍ୟ ଦୁଃଖ ସହିବା ପାଇଁ ଧୈର୍ଯ୍ୟ ଓ ମାନସିକ ଶକ୍ତି ପ୍ରଦାନ କରିବାକୁ ବିଧାୟକ ପ୍ରାର୍ଥନା କରିଛନ୍ତି।
ଏହି ଅପୂରଣୀୟ କ୍ଷତି ପାଇଁ ସମଗ୍ର ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।
