ଅକ୍ଟୋବର ୭ରେ ଦେଶବ୍ୟାପୀ ‘ସେବା ଜ୍ୟୋତି ଯାତ୍ରା’: ୨୦୪୭ରେ ବିକଶିତ ଭାରତ ଗଠନ ପାଇଁ ସାମୂହିକ ସଂକଳ୍ପ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ଓ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଅକ୍ଟୋବର ୭ ତାରିଖରେ ଦେଶବ୍ୟାପୀ ‘ସେବା ଜ୍ୟୋତି ଯାତ୍ରା’ ଏବଂ ‘ବିକଶିତ ଭାରତ ସଂକଳ୍ପ ସଭା’ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ ସଶକ୍ତୀକରଣ ସହ ସୁଶାସନ, ସେବା ଓ ବିକାଶର ବାର୍ତ୍ତା ତୃଣମୂଳସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଗତ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ର ଅଂଶ ଭାବେ ଅକ୍ଟୋବର ୭ରେ ଏହି ବିଶେଷ କାର୍ଯ୍ୟକ୍ରମ ହେବ।
ସକାଳ ୧୦ଟାରୁ କାର୍ଯ୍ୟକ୍ରମ: ନିର୍ଦ୍ଧାରିତ ସମୟରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଦେଶର ୭୫୦ଟି ଜିଲ୍ଲା ଓ ରାଜ୍ୟ ମୁଖ୍ୟାଳୟରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ଓଡ଼ିଶାର ଭୁବନେଶ୍ୱର ସମେତ ସମସ୍ତ ୩୦ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ହେବ। ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ, ସ୍ଥାନୀୟ ଜନପ୍ରତିନିଧି ଓ ବିଭିନ୍ନ ଅତିଥି ଏଥିରେ ଯୋଗଦେବେ।
ଜିଲ୍ଲା ସଦରରେ ‘ସେବା ଜ୍ୟୋତି ଛକ’: ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ଏକ ‘ସେବା ଜ୍ୟୋତି ଛକ’ ଚିହ୍ନଟ କରାଯାଇ ସେଠାରେ ‘ବିକଶିତ ଭାରତ ସଂକଳ୍ପ ପ୍ରତୀକ’ ସ୍ଥାପନ କରାଯିବ। ବ୍ଲକ୍, ଗ୍ରାମ, ୱାର୍ଡ ଓ ମଣ୍ଡଳସ୍ତରରୁ ‘ସେବା ଜ୍ୟୋତି ଯାତ୍ରା’ ବାହାରି ଏହି ସ୍ଥାନରେ ଏକତ୍ରିତ ହେବ।
ଏହି ଅବସରରେ ‘ବିକଶିତ ଭାରତ–୨୦୪୭’ ଗଠନ ପାଇଁ ସାମୂହିକ ସଂକଳ୍ପ ନିଆଯିବା ସହ ‘ବନ୍ଦେ ମାତରମ୍’ ଗାନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହଭାଗିତା ଆବଶ୍ୟକ ବୋଲି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆହ୍ୱାନ ଜଣାଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଏବଂ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।
