Spread the love

ନୁଆଦିଲ୍ଲୀ : ନିଟ ପରୀକ୍ଷାର ଅନିୟମିତତା ବିରୋଧରେ ଗତ ୧୭ ଦିନ ଧରି ଆମରଣ ଅନଶନରେ ବସିଥିବା ପ୍ରଖ୍ୟାତ ପରିବେଶବିତ୍ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଅତ୍ୟନ୍ତ ସଂକଟଜନକ ହୋଇପଡ଼ିଛି। ତାଙ୍କ ଜୀବନ ରକ୍ଷା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରି ଲିକ୍ୱିଡ୍ ଡାଏଟ୍‌ ମାଧ୍ୟମରେ ଚିକିତ୍ସା ଯୋଗାଇବାକୁ ଦାବି କରି ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାଖଲ କରାଯାଇଛି।

ଆଇନଜୀବୀ ରାକେଶ କୁମାର ସୈନୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଯଦି ଅନଶନ ଜାରି ରହେ, ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ସୋନମ ୱାଙ୍ଗଚୁକଙ୍କ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇପାରେ। ସଦ୍ୟ ପ୍ରକାଶିତ ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ ତାଙ୍କ ଓଜନ ୮.୫ କିଲୋଗ୍ରାମ କମିଯାଇଥିବା ବେଳେ ରକ୍ତଚାପ ମଧ୍ୟ ୧୦୯/୭୦କୁ ଖସିଆସିଛି। ତାଙ୍କୁ ଶୀଘ୍ର ଚିକିତ୍ସା ସୁବିଧା ନ ମିଳିଲେ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ ବୋଲି ଆବେଦନରେ ଉଲ୍ଲେଖ ରହିଛି।

ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜନ୍ତରମନ୍ତରରେ ଚାଲିଥିବା ଏହି ଆନ୍ଦୋଳନକୁ ଶିକ୍ଷାବିତ୍ ଓ ବିଭିନ୍ନ ରାଜନୈତିକ ନେତାଙ୍କ ସମର୍ଥନ ମିଳୁଛି। ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ କହିଛନ୍ତି ଯେ, ୱାଙ୍ଗଚୁକ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛନ୍ତି ଏବଂ ଠିଆ ହେଲେ ତାଙ୍କ ମୁଣ୍ଡ ବୁଲାଉଛି। ଆସନ୍ତା ଜୁଲାଇ ୨୦ରେ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ସଂସଦ ଅଭିମୁଖେ ଏକ ବୃହତ୍‌ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *