Spread the love

ଅନୁଗୋଳରୁ ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ, ଯୋଗାଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ

ଅନୁଗୋଳ: ଓଡ଼ିଶାର ରେଳ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପୁରୀ–କୋରାପୁଟ ଏକ୍ସପ୍ରେସ ରେଳସେବାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଅନୁଗୋଳ ରେଳ ଷ୍ଟେସନଠାରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ସବୁଜ ପତାକା ଦେଖାଇ ଟ୍ରେନ୍‌ର ଶୁଭାରମ୍ଭ କରିଥିଲେ।
ପୁରୀସ୍ଥିତ ଶ୍ରୀଜଗନ୍ନାଥ ଧାମରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗରିମାମୟ ଉପସ୍ଥିତିରେ ଏହି ରେଳସେବାର ଔପଚାରିକ ଉଦ୍‌ଘାଟନ ସମ୍ପନ୍ନ ହୋଇଥିଲା।
ଏହି ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିରନ୍ତର ପ୍ରୟାସ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନର ଫଳ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ପୁରୀ, ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ଦେଇ କୋରାପୁଟ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ଏହି ନୂତନ ରେଳସେବା ଉପକୂଳ ଓ ପାହାଡ଼ିଆ ଅଞ୍ଚଳ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ କରିବ। ଏହା ଫଳରେ ପର୍ଯ୍ୟଟନ, ବାଣିଜ୍ୟ, ବ୍ୟବସାୟ ଓ ଯାତାୟାତ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବା ସହ ରାଜ୍ୟର ସାମଗ୍ରିକ ବିକାଶକୁ ନୂତନ ଗତି ମିଳିବ ବୋଲି ଆଶା କରାଯାଉଛି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ, ରେଳ ବିଭାଗର ଅଧିକାରୀ ଦୀପ ରଞ୍ଜନ ସରକାର, ଏସ୍. ଏନ୍. ତରାଇ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *