### ଆଇଆଇଟିଏଫ୍-୨୦୨୬ରେ ୨୧ ତାରିଖରେ ପାଳିତ ହେବ ଓଡ଼ିଶା ଦିବସ, ମଞ୍ଚରେ ଝଲସିବ ଓଡ଼ିଶାର କଳା, ସଂସ୍କୃତି ଓ ବୀରତ୍ୱ
* ଓଡ଼ିଶୀ, ଢାପ୍ ଓ ପାଇକ ନୃତ୍ୟରେ ଦିଲ୍ଲୀର ଭାରତ ମଣ୍ଡପମ୍ରେ ଗୁଞ୍ଜିବ ଓଡ଼ିଶାର ସାଂସ୍କୃତିକ ପରିଚୟ
* ଓଡ଼ିଶା ପାଭିଲିୟନକୁ ଦର୍ଶକ, ବିଭିନ୍ନ ରାଜ୍ୟର ପ୍ରତିନିଧି ଓ ବିଦେଶୀ ଅତିଥିଙ୍କ ପ୍ରଶଂସା
* ୭୦ ହଜାରରୁ ଅଧିକ ଦର୍ଶକଙ୍କ ଆଗମନ, ବିକ୍ରି ୨୫ ଲକ୍ଷ ଟଙ୍କା ଅତିକ୍ରମ
ନୂଆଦିଲ୍ଲୀ, ନଭେମ୍ବର ୨୦: ଦେଶର ପ୍ରମୁଖ ବାଣିଜ୍ୟିକ ଓ ସାଂସ୍କୃତିକ ମଞ୍ଚ ୪୫ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର (IITF)-୨୦୨୬ରେ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଝଲକ ଦେଖିବାକୁ ମିଳିବ। ଆସନ୍ତା ନଭେମ୍ବର ୨୧ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ପରିସରସ୍ଥ ଆମ୍ଫିଥିଏଟର-୧ରେ ଅପରାହ୍ନ ୩ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଓଡ଼ିଶା ଦିବସ ପାଳନ କରାଯିବ। ଏହି ଅବସରରେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ ସ୍ୱତନ୍ତ୍ର ପରିଚୟକୁ ବିଭିନ୍ନ ନୃତ୍ୟ ପରିବେଷଣ ମାଧ୍ୟମରେ ଜାତୀୟ ସ୍ତରରେ ପ୍ରଦର୍ଶିତ କରାଯିବ।
ଓଡ଼ିଶାର ତିନିଟି ସ୍ୱତନ୍ତ୍ର କଳାଧାରାକୁ ନେଇ ଏହି ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହେବ। ଭୁବନେଶ୍ୱରର କଳିଙ୍ଗୟନ ଟୌର୍ୟାତ୍ରିକମ୍ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ, ବଲାଙ୍ଗୀରର ଦୁଲଦୁଲି କଳା ପରିଷଦ ପକ୍ଷରୁ ପାରମ୍ପରିକ ଢାପ୍ ନୃତ୍ୟ ଏବଂ ଖୋର୍ଦ୍ଧା ପାଇକ ଆଖଡ଼ା କବିରାଜ ଓ ଦଳ ପକ୍ଷରୁ ପାଇକ ନୃତ୍ୟ ପରିବେଷଣ କରାଯିବ। ଏହି ନୃତ୍ୟଗୁଡ଼ିକ ମାଧ୍ୟମରେ ଓଡ଼ିଶାର ଶାସ୍ତ୍ରୀୟ କଳାର ସୌନ୍ଦର୍ଯ୍ୟ, ଲୋକସଂସ୍କୃତିର ଉତ୍ସାହ ଓ ପାଇକ ପରମ୍ପରାର ବୀରତ୍ୱକୁ ଦର୍ଶକ ଅନୁଭବ କରିବେ।
ଆଇଆଇଟିଏଫ୍-୨୦୨୬ରେ ଥିବା ଓଡ଼ିଶା ପାଭିଲିୟନ୍ ମେଳାର ମୁଖ୍ୟ ବିଷୟବସ୍ତୁ ‘ବିକାଶ ଔର୍ ବିରାସତ’ ସହ ସମନ୍ୱୟ ରଖି ରାଜ୍ୟର ଐତିହ୍ୟ ଓ ଆଧୁନିକ ବିକାଶର ଏକ ସୁନ୍ଦର ଚିତ୍ର ପ୍ରଦର୍ଶନ କରୁଛି। ଶତାବ୍ଦୀ ପୁରୁଣା ପରମ୍ପରା, ଆଦିବାସୀ ଜ୍ଞାନ, ପାରମ୍ପରିକ ହସ୍ତଶିଳ୍ପ ଓ ସାଂସ୍କୃତିକ ମୂଲ୍ୟବୋଧ କିପରି ଆଧୁନିକ ଉଦ୍ୟୋଗ, ନୂତନ ବ୍ୟବସାୟ ଓ ବିକାଶର ମାର୍ଗକୁ ପ୍ରେରଣା ଦେଉଛି, ତାହା ପାଭିଲିୟନ୍ରେ ଉପସ୍ଥାପିତ ହୋଇଛି।
ପାଭିଲିୟନ୍ରେ ରାଜ୍ୟର ବିଭିନ୍ନ ହସ୍ତତନ୍ତ, ହସ୍ତଶିଳ୍ପ, କୃଷି, ଆଦିବାସୀ ଓ ମୂଲ୍ୟବର୍ଦ୍ଧିତ ସାମଗ୍ରୀ ଦର୍ଶକଙ୍କ ଆକର୍ଷଣ ସାଜିଛି। ସମ୍ବଲପୁରୀ ବସ୍ତ୍ର, ପଟ୍ଟଚିତ୍ର, କଟକର ତାରକସୀ, ଢୋକ୍ରା କଳା, ତାଳପତ୍ର ଖୋଦେଇ, ପଥର ଓ କାଠ ଖୋଦେଇ, ଚାନ୍ଦୁଆ ଏବଂ ସୁନା ଘାସର କଳାକୃତି ଓଡ଼ିଶାର କାରିଗରଙ୍କ ଅସାଧାରଣ ଦକ୍ଷତାକୁ ପ୍ରତିଫଳିତ କରୁଛି। ଏହା ସହିତ ପାଭିଲିୟନ୍ରେ ଆୟୋଜିତ ହେଉଥିବା ଜୀବନ୍ତ କଳା ପ୍ରଦର୍ଶନ ଦର୍ଶକଙ୍କୁ ପାରମ୍ପରିକ କାରିଗରୀର ସୂକ୍ଷ୍ମତା, ଧୈର୍ଯ୍ୟ ଓ କଳାନୈପୁଣ୍ୟକୁ ନିକଟରୁ ଦେଖିବାର ସୁଯୋଗ ଦେଉଛି।
ଓଡ଼ିଶାର କୃଷି ବିବିଧତା ଓ ସ୍ୱଦେଶୀ ଉତ୍ପାଦ ମଧ୍ୟ ପାଭିଲିୟନ୍ରେ ବିଶେଷ ସ୍ଥାନ ପାଇଛି। ବିଭିନ୍ନ ପ୍ରକାର ଧାନ, ମାଣ୍ଡିଆ, ମସଲା, ଡାଲି, କନ୍ଧମାଳ ହଳଦୀ, କୋରାପୁଟ କଫି, ପାରମ୍ପରିକ ଖାଦ୍ୟ ଓ ପ୍ରକ୍ରିୟାକୃତ ସାମଗ୍ରୀ ଏଠାରେ ପ୍ରଦର୍ଶିତ ହେଉଛି। ସ୍ୱୟଂ ସହାୟକ ଗୋଷ୍ଠୀ, ସମବାୟ ସଂସ୍ଥା, ଆଦିବାସୀ ସମୁଦାୟ, କୃଷକ ଓ ଗ୍ରାମୀଣ ଉଦ୍ୟୋଗୀଙ୍କ ଉତ୍ପାଦ ମାଧ୍ୟମରେ ସ୍ଥାନୀୟ ସମ୍ବଳ ଓ ପାରମ୍ପରିକ ଜ୍ଞାନକୁ ରୋଜଗାର, ଉଦ୍ୟୋଗ ଏବଂ ବଜାର ସୁଯୋଗ ସହ ଯୋଡ଼ିବାର ଉଦ୍ୟମ ପ୍ରତିଫଳିତ ହୋଇଛି।
ଓଡ଼ିଶା ପାଭିଲିୟନ୍କୁ ବିଭିନ୍ନ ରାଜ୍ୟର ପ୍ରତିନିଧି, ମାନ୍ୟଗଣ୍ୟ ଅତିଥି, ଦର୍ଶକ ଓ ବିଦେଶୀ ପ୍ରତିନିଧିମଣ୍ଡଳୀଙ୍କ ପକ୍ଷରୁ ପ୍ରଶଂସା ମିଳିଛି। ଆଫଗାନିସ୍ତାନ, ଫ୍ରାନ୍ସ, ଶ୍ରୀଲଙ୍କା ସମେତ ବିଭିନ୍ନ ଦେଶର ପ୍ରତିନିଧିମାନେ ପାଭିଲିୟନ୍ର ପ୍ରଦର୍ଶନ ଓ ରାଜ୍ୟର ସାଂସ୍କୃତିକ ପରିଚୟ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଏପର୍ଯ୍ୟନ୍ତ ପାଭିଲିୟନ୍କୁ ୭୦ ହଜାରରୁ ଅଧିକ ଲୋକ ଆସିଥିବା ବେଳେ ସାମଗ୍ରୀ ବିକ୍ରି ୨୫ ଲକ୍ଷ ଟଙ୍କା ଅତିକ୍ରମ କରିଛି। ଏହା ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ଉତ୍ପାଦ, ସଂସ୍କୃତି ଓ ପରମ୍ପରା ପ୍ରତି ବଢ଼ୁଥିବା ଆଗ୍ରହକୁ ପ୍ରମାଣିତ କରୁଛି।
ଓଡ଼ିଶା ଦିବସର ଏହି ସାଂସ୍କୃତିକ ଆୟୋଜନରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି, ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ରହୁଥିବା ଓଡ଼ିଆ ସମୁଦାୟର ସଦସ୍ୟ, ଆମନ୍ତ୍ରିତ ଅତିଥି ଓ ସଂସ୍କୃତିପ୍ରେମୀମାନେ ଯୋଗଦେବେ।
ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି, ଦିଲ୍ଲୀ ଓ ପଡ଼ୋଶୀ ରାଜ୍ୟରେ ରହୁଥିବା ଓଡ଼ିଆ ସମୁଦାୟ ଏବଂ ଓଡ଼ିଶାର କଳା ଓ ସଂସ୍କୃତିକୁ ଅନୁଭବ କରିବାକୁ ଇଚ୍ଛୁକ ସମସ୍ତଙ୍କୁ ନଭେମ୍ବର ୨୧ ତାରିଖରେ ଭାରତ ମଣ୍ଡପମ୍ରେ ଆୟୋଜିତ ଏହି ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। ଓଡ଼ିଶାର ପରମ୍ପରା, ଐତିହ୍ୟ, କଳା ଓ ବିକାଶର ଏକ ସୁନ୍ଦର ସମନ୍ୱୟ ଏହି ଉତ୍ସବକୁ ସ୍ମରଣୀୟ କରିବ ବୋଲି ଆଶା କରାଯାଉଛି।
