ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ୯.୨୪ କୋଟି ଟଙ୍କା ହେରଫେର ମାମଲା
ଭିଜିଲାନ୍ସ ଜାଲରେ ଆଉ ୪ କର୍ମଚାରୀ, ମୋଟ ୬ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର: ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ତଦନ୍ତକୁ ଆହୁରି ବ୍ୟାପକ କରିଛି। ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରେ ପ୍ରାୟ ୯ କୋଟି ୨୪ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି।
ଭିଜିଲାନ୍ସ ସୂଚନା ଅନୁସାରେ, କାର୍ଯ୍ୟାଳୟର ପିଅନ୍ ଦୀପକ କୁମାର ରାଉତରାୟ ଓ ଲକ୍ଷ୍ମଣ ବିଶ୍ୱାଳଙ୍କ ସହ ଦୁଇଜଣ ବେସରକାରୀ ଡାଟା ଏଣ୍ଟ୍ରି ଅପରେଟର ରାଜୀବ ଲୋଚନ ସେନାପତି ଓ ସୌମ୍ୟ ରଞ୍ଜନ ମହାପାତ୍ରଙ୍କୁ ଗିରଫ କରାଯାଇଛି। ଅଭିଯୋଗ ଅନୁସାରେ, ସେମାନେ ସେକ୍ସନ୍ ଅଫିସର ବନଲତା ମହାନ୍ତି ଓ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କ ସହ ମିଶି ଏହି ଅର୍ଥ ହେରଫେରରେ ସାମିଲ ଥିଲେ।
ତଦନ୍ତ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଥିବା ଦାବି କରିଛି ଯେ, ହେରଫେର ହୋଇଥିବା ସରକାରୀ ଅର୍ଥରୁ ବିଭିନ୍ନ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ବିପୁଳ ପରିମାଣର ଟଙ୍କା ଟ୍ରାନ୍ସଫର ହୋଇଥିଲା।
ଭିଜିଲାନ୍ସ ଅନୁସାରେ ଟଙ୍କା ଟ୍ରାନ୍ସଫରର ବିବରଣୀ:
- ଦୀପକ କୁମାର ରାଉତରାୟ, ପିଅନ୍ — ୩୨,୪୭,୮୦୦ ଟଙ୍କା
- ଲକ୍ଷ୍ମଣ ବିଶ୍ୱାଳ, ପିଅନ୍ — ୧୬,୨୧,୪୮୪ ଟଙ୍କା
- ରାଜୀବ ଲୋଚନ ସେନାପତି, ବେସରକାରୀ ଡାଟା ଏଣ୍ଟ୍ରି ଅପରେଟର — ୨୮,୨୮,୮୧୭ ଟଙ୍କା
- ସୌମ୍ୟ ରଞ୍ଜନ ମହାପାତ୍ର, ବେସରକାରୀ ଡାଟା ଏଣ୍ଟ୍ରି ଅପରେଟର — ୩୫,୬୯,୦୯୮ ଟଙ୍କା
ଏହି ମାମଲାରେ ସେକ୍ସନ୍ ଅଫିସର ବନଲତା ମହାନ୍ତି ଓ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକଙ୍କୁ ଭିଜିଲାନ୍ସ ପୂର୍ବରୁ ଗିରଫ କରିସାରିଛି। ଏବେ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ମାମଲାରେ ଆହୁରି କିଛି ଦିଗ ନେଇ ତଦନ୍ତ ଜାରି ରହିଛି।
