Spread the love

ବିହାରରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅଧୀନରେ ଭୋଟର ତାଲିକାରୁ ଲକ୍ଷ ଲକ୍ଷ ନାମ ବାଦ ଦିଆଯିବାର ସମ୍ଭାବନାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ସୋମବାର ବରିଷ୍ଠ ଓକିଲ କପିଲ ସିବ୍ବଲ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ଅନୁରୋଧ କରିଥିଲେ । ଆସନ୍ତା ଗୁରୁବାର ମାନ୍ୟବର ସର୍ବ୍ବୋଚ ଅଦଲତ ଶୁଣାଣି କରିବାକୁ ରାଜି ହୋଇଛନ୍ତି ।

ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ କମିଶନକୁ କୌଣସି ଆନୁଷ୍ଠାନିକ ନୋଟିସ୍ ଜାରି କରିନାହାଁନ୍ତି । ତଥାପି, କୋର୍ଟ ଗୁରୁବାର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଆବେଦନକାରୀମାନଙ୍କୁ ସେମାନଙ୍କର ଆବେଦନର ଆଗୁଆ କପି ନିର୍ବାଚନ କମିଶନ ଏବଂ କେନ୍ଦ୍ର ସରକାରଙ୍କୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଯାହା ଦ୍ୱାରା ସମ୍ପୃକ୍ତ ପକ୍ଷମାନେ ପୂର୍ଣ୍ଣ ପ୍ରସ୍ତୁତି ସହିତ ଶୁଣାଣି ପାଇଁ ଉପସ୍ଥିତ ହୋଇପାରିବେ ।କପିଲ ସିବ୍ବଲଙ୍କ ସହିତ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି, ଶାଦାବ ଫରାସତ ଏବଂ ଗୋପାଳ ଶଙ୍କରନାରାୟଣନ ସୁପ୍ରିମକୋର୍ଟରେ ପକ୍ଷ ରଖିଛନ୍ତି । ଏହି ପ୍ରକ୍ରିୟା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ନାମ, ବିଶେଷକରି ମହିଳା ଏବଂ ଗରିବ ବର୍ଗର ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯିବାର ସମ୍ଭାବନା ରହିଛି ।ତେଣୁ ଏହି ସଂଶୋଧନ ପ୍ରକ୍ରିୟା ଉପରେ ତ୍ୱରିତ କଟକଣା ଲଗାଇବାକୁ ଆବେଦନକାରୀ ପକ୍ଷରୁ ଦାବି କରାଯାଇଛି । ସେ କହିଛନ୍ତି ଯେ ନିର୍ବାଚନ କମିଶନ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମୟ ସୀମା ବହୁତ କମ୍ ହୋଇଥିବାରୁ ଆଜି କିମ୍ବା କାଲି ଏହି ମାମଲାର ଶୁଣାଣି କରାଯିବା ଉଚିତ । ବିହାରରେ ବର୍ତ୍ତମାମ ନାମ ହଟାଇବା ପ୍ରକ୍ରିୟା ଜାରି ରହିଛି । ଏହା ଆସନ୍ତା ୨୫ ଜୁଲାଇ ପର୍ଯ୍ୟନ୍ତ ଜାରି ରହିବ ।ଆବେଦନକାରୀଙ୍କ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (RJD), କଂଗ୍ରେସ, ମହୁଆ ମୋଇତ୍ରା, ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR), ପିପୁଲ୍ସ ୟୁନିଅନ୍ ଫର୍ ସିଭିଲ୍ ଲିବର୍ଟିଜ୍ (PUCL) ଅନ୍ତର୍ଭୁକ୍ତ । ଏହି ପ୍ରକ୍ରିୟାକୁ ଅସାମ୍ବିଧାନିକ ଏବଂ ଜନବିରୋଧୀ ବୋଲି କହି ସମସ୍ତେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *