ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗ: ସହକାରୀ ନିର୍ଦ୍ଦେଶକଙ୍କ ୭ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ
ସମ୍ବଲପୁର/ଭୁବନେଶ୍ୱର, ୨୯/୦୯/୨୦୨୬: ଆୟ ଅନୁପାତରେ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସମ୍ବଲପୁରର ସହକାରୀ କାରଖାନା ଓ ବଏଲର ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପତ୍ତି ଉପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଆରମ୍ଭ ହୋଇଛି।
ଆଜି ୨୯ ସେପ୍ଟେମ୍ବରରେ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ମୋଟ ୭ଟି ସ୍ଥାନରେ ଏହି ତଲାସି ଚାଲିଛି। ମାନ୍ୟବର ସ୍ପେଶାଲ୍ ଜଜ୍, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଅଭିଯାନ କରାଯାଉଛି।
ଭିଜିଲାନ୍ସର ୮ ଜଣ ଡିଏସ୍ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ତଲାସି ଅଭିଯାନ ଚଳାଇଛି।
ଯେଉଁ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି:
୧. ସମ୍ବଲପୁର ଧନକଉଡ଼ାସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ତାଙ୍କ ୩-ବିଏଚ୍କେ ଫ୍ଲାଟ୍।
୨. ଭୁବନେଶ୍ୱର ନନ୍ଦନକାନନ ରୋଡ୍ସ୍ଥିତ ନନ୍ଦନ ବିହାରରେ ଥିବା ତାଙ୍କ ଡୁପ୍ଲେକ୍ସ।
୩. ଭୁବନେଶ୍ୱର ଜଟଣୀ ନିକଟ ବରକୁଦାସ୍ଥିତ ଇଣ୍ଡସ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ ନିକଟରେ ଥିବା ତାଙ୍କ ଏକ କୋଠା।
୪. ପୁରୀ ବାଲିଗୁଆଳି ଟୋଟା ବେହେରା ସାହିରେ ଥିବା ତାଙ୍କ ତିନି ମହଲା କୋଠା।
୫. ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସୁବାସ ମାର୍ଗରେ ଥିବା ତାଙ୍କ ଦୁଇ ମହଲା କୋଠା।
୬. ବାଲୁଗାଁ ଅଶୋକ ନଗରସ୍ଥିତ ତାଙ୍କ ପୈତୃକ ଘରର ଦୁଇ ମହଲା କୋଠା।
୭. ସମ୍ବଲପୁର ଡେପୁଟି ଡାଇରେକ୍ଟର, ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ୍ ଚାମ୍ବର।
ଭିଜିଲାନ୍ସ ପକ୍ଷରୁ ସମସ୍ତ ସ୍ଥାନରେ ତଲାସି ଜାରି ରହିଛି। ତଲାସି ଶେଷ ହେବା ପରେ ସମ୍ପତ୍ତି ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମିଳିବ ବୋଲି ଜଣାପଡ଼ିଛି।
