Spread the love

ଲକ୍ଷ୍ନୌ: ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଖରା ମଧ୍ୟରେ ଉତ୍ତର ପ୍ରଦେଶର ବିଭିନ୍ନ ପ୍ରାନ୍ତରେ ହଠାତ୍ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ରାଜ୍ୟର ପଶ୍ଚିମ, ପୂର୍ବ, ତେରାଇ ଓ ରାଜଧାନୀ ଲକ୍ଷ୍ନୌ ସମେତ ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଗତ ଦୁଇଦିନ ମଧ୍ୟରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି।

ଏହି କାଳବୈଶାଖୀ ଝଡ଼ ଯୋଗୁଁ ସାରା ରାଜ୍ୟରେ ଶତାଧିକ ଗଛ, ଟିଣ ଛପର ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ବଜ୍ରପାତ ଓ ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ପ୍ରବଳ ପବନ ଯୋଗୁଁ ରେଳଧାରଣା ଉପରେ ଗଛ ପଡ଼ିଯିବା ଏବଂ ଓଭରହେଡ୍ ବିଦ୍ୟୁତ୍ ତାର ଛିଣ୍ଡିଯିବା ହେତୁ କାନପୁର-ଓରାଇ ସେକ୍ସନ ଏବଂ ଗୋରଖପୁର ଅଞ୍ଚଳରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ସ୍ଥଗିତ ହୋଇପଡ଼ିଛି। ଚଳିତ ବିପର୍ଯ୍ୟୟରେ ବୁନ୍ଦେଲଖଣ୍ଡ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, ଯେଉଁଠାରେ ସର୍ବାଧିକ ୧୦ ଜଣଙ୍କର ପ୍ରାଣହାନି ଘଟିଛି। ରାଜ୍ୟର ଏହି ସଙ୍କଟଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କ୍ଷୟକ୍ଷତିର ଏକ ବ୍ୟାପକ ଆକଳନ କରିବା ସହ ପ୍ରଭାବିତ ଏବଂ ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ, ପାଣିପାଗ ବିଭାଗ ପକ୍ଷରୁ ଶନିବାର ପାଇଁ ଏକ ନୂଆ ସତର୍କ ସୂଚନା ଜାରି କରାଯାଇ ରାଜ୍ୟର ୪୬ଟି ଜିଲ୍ଲାରେ ପ୍ରବଳ ଝଡ଼ତୋଫାନ ସହ ପବନ ବହିବା ଏବଂ ୧୪ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଲର୍ଟ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *