ଏସୀୟ କ୍ରୀଡ଼ାରେ ଭାରତକୁ ସ୍କ୍ବାସ୍ କାଂସ୍ୟ, ଜ୍ୟୋତ୍ସ୍ନା ଚିନାପ୍ପାଙ୍କ ଐତିହାସିକ ରେକର୍ଡ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ସ୍କ୍ବାସ୍ ଦଳର ଅଭିଯାନ କାଂସ୍ୟ ପଦକରେ ଶେଷ ହୋଇଛି। ଗୁରୁବାର ରୋମାଞ୍ଚକର ସେମିଫାଇନାଲ୍ରେ ହଂକଂ ନିକଟରୁ ୧-୨ରେ ପରାସ୍ତ ହୋଇ ଭାରତ ଫାଇନାଲ୍ ଟିକେଟ୍ରୁ ବଞ୍ଚିତ ହୋଇଛି।
ଭାରତୀୟ ଦଳରେ ଅନାହାତ ସିଂହ, ତନ୍ବୀ ଖାନା ଓ ଅଭିଜ୍ଞ ଜ୍ୟୋତ୍ସ୍ନା ଚିନାପ୍ପା ରହିଥିଲେ। ମୁକାବିଲାର ପ୍ରଥମ ମ୍ୟାଚ୍ରେ ଅନାହାତ ସିଂହ ହଂକଂର ସିନ୍ ୟୁକ୍ ଚାନ୍ଙ୍କ ବିପକ୍ଷରେ ଜୋରଦାର ଲଢ଼େଇ କରିଥିଲେ। ହେଲେ ଶେଷରେ ପରାଜୟ ସହ ଭାରତ ୦-୧ରେ ପଛୁଆ ହୋଇଥିଲା।
ଦ୍ୱିତୀୟ ମ୍ୟାଚ୍ରେ ତନ୍ବୀ ଖାନା ଚମତ୍କାର ପ୍ରଦର୍ଶନ କରି କା ୟି ଲିଙ୍କୁ ପରାସ୍ତ କରିଥିଲେ। ଫଳରେ ସ୍ଥିତି ୧-୧କୁ ଫେରିବା ସହ ଭାରତର ଫାଇନାଲ୍ ଆଶା ଉଜ୍ଜୀବିତ ହୋଇଥିଲା।
ତେବେ ନିର୍ଣ୍ଣାୟକ ତୃତୀୟ ମ୍ୟାଚ୍ରେ ଅଭିଜ୍ଞ ଜ୍ୟୋତ୍ସ୍ନା ଚିନାପ୍ପା ହଂକଂର ହୋ ତିଜି ଲୋକ୍ଙ୍କଠାରୁ ୪-୧୧, ୭-୧୧ ଓ ୯-୧୧ରେ ହାରିଯାଇଥିଲେ। ଏହା ସହ ଭାରତର ସ୍ୱର୍ଣ୍ଣ ଓ ରୌପ୍ୟ ଆଶା ଶେଷ ହୋଇ କାଂସ୍ୟ ପଦକ ନିଶ୍ଚିତ ହୋଇଥିଲା।
ଜ୍ୟୋତ୍ସ୍ନାଙ୍କ ନାଁରେ ଐତିହାସିକ ରେକର୍ଡ
ଦଳ କାଂସ୍ୟରେ ଅଟକିଥିଲେ ମଧ୍ୟ ଜ୍ୟୋତ୍ସ୍ନା ଚିନାପ୍ପା ବ୍ୟକ୍ତିଗତ ଭାବେ ଏକ ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଲଗାତାର ୭ଟି ଏସୀୟ କ୍ରୀଡ଼ାରେ ପଦକ ଜିତିବାରେ ସେ ସଫଳ ହୋଇଛନ୍ତି।
୨୦୦୨ରେ ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଥିବା ଜ୍ୟୋତ୍ସ୍ନା ଏପର୍ଯ୍ୟନ୍ତ ୨ଟି ରୌପ୍ୟ ଓ ୫ଟି କାଂସ୍ୟ—ମୋଟ ୭ଟି ପଦକ ହାସଲ କରିଛନ୍ତି। ଏହି ସଫଳତା ତାଙ୍କୁ ଏସୀୟ କ୍ରୀଡ଼ାରେ ଦୀର୍ଘ ସମୟ ଧରି ନିରନ୍ତର ଅଂଶଗ୍ରହଣ ଓ ପଦକ ସଫଳତା ହାସଲ କରିଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି।
