Spread the love

ନୂଆଦିଲ୍ଲୀ : ପଡ଼ୋଶୀ ରାଷ୍ଟ୍ରମାନଙ୍କୁ କଡ଼ା ବାର୍ତ୍ତା ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ବୈଠକରେ ଏକ ମିଳିତ ବିବୃତିରେ ସ୍ୱାକ୍ଷର କରିବାକୁ ମନା କରିଦେଇଛନ୍ତି। ଏହି ବିବୃତିରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ସଂକ୍ରାନ୍ତରେ କିଛି ଉଲ୍ଲେଖ ନଥିଲା ଏବଂ ଏହା ଆତଙ୍କବାଦ ଉପରେ ଭାରତର ଦୃଢ଼ ସ୍ଥିତିକୁ ପ୍ରତିଫଳିତ କରୁନଥିବାରୁ ଭାରତ ଏହାକୁ ଗ୍ରହଣ କରିନାହିଁ।

ଏଥିସହ ଏହି ବିବୃତିରେ ବଲୁଚିସ୍ତାନ ପ୍ରସଙ୍ଗ ଉଲ୍ଲେଖ କରାଯାଇଥିବା ବେଳେ ଭାରତ ହଁ ସେଠାରେ ଅଶାନ୍ତି ସୃଷ୍ଟି କରୁଥିବା ଭଳି ଦର୍ଶାଇବାକୁ ଉଦ୍ୟମ କରାଯାଇଥିବାରୁ ଏହାର ବିରୋଧ କରାଯାଇଛି। ଏସ୍ସିଓର ଏହି ମିଳିତ ବିବୃତିରୁ ପହଲଗାମକୁ ବାଦ ଦିଆଯିବା ଘଟଣା ପାକିସ୍ତାନର ଇଙ୍ଗିତରେ ହୋଇଥିବା ବେଳେ ଏହାର ସର୍ବକାଳୀନ ମିତ୍ର ଚୀନ୍ ଏବେ ଅଧ୍ୟକ୍ଷ ପଦରେ ଥିବାରୁ ଏଭଳି ବିବାଦୀୟ ବିବୃତି ପ୍ରସ୍ତୁତ କରାଯାଇଛି। ବଲୁଚିସ୍ତାନରେ ଭାରତର ସମ୍ପୃକ୍ତି ବିଷୟରେ ପାକିସ୍ତାନର ଅଭିଯୋଗକୁ ଭାରତ ଲଗାତାର ପ୍ରତ୍ୟାଖ୍ୟାନ କରିଆସିଛି ଏବଂ କହିଛି ଯେ ପାକିସ୍ତାନ ଅଯଥା ଅଭିଯୋଗ କରିବା ପରିବର୍ତ୍ତେ ନିଜକୁ ପରଖିବା ଉଚିତ ଏବଂ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ କରିବା ଉଚିତ।ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ର ଅନୁଯାୟୀ ଭାରତ ମିଳିତ ବିବୃତିର ଭାଷାରେ ସନ୍ତୁଷ୍ଟ ନୁହେଁ। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଏଥିରେ କୌଣସି ଉଲ୍ଲେଖ ନଥିଲା। ପାକିସ୍ତାନରେ ଘଟିଥିବା ଘଟଣା ବିଷୟରେ ଉଲ୍ଲେଖ ନଥିଲା, ତେଣୁ ଭାରତ ମିଳିତ ଘୋଷଣାପତ୍ରରେ ସ୍ୱାକ୍ଷର କରିବାକୁ ମନା କରିଦେଇଥିଲା, ଏବଂ ଏଥିଯୋଗୁଁ କୌଣସି ମିଳିତ ବିବ୍ୟତି ମଧ୍ୟ ଜାରି ହୋଇନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ରାଜନାଥ ବର୍ତ୍ତମାନ ଏସ୍ସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଚୀନର କ୍ୱିଙ୍ଗଦାଓରେ ଅଛନ୍ତି। ଏହି ଶିଖର ସମ୍ମିଳନୀରେ ରୁଷ, ପାକିସ୍ତାନ ଓ ଚୀନ୍ ସମେତ ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ଯୋଗ ଦେଇଛନ୍ତି ଏବଂ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି।ଏସ୍ସିଓ ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନର ନାଁ ନନେଇ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି। ରାଜନାଥ ସାମୁହିକ ସୁରକ୍ଷା ପାଇଁ ଆତଙ୍କବାଦକୁ ଦୂର କରିବାକୁ ଏସ୍ସିଓ ସଦସ୍ୟମାନଙ୍କୁ ଏକତ୍ର ହେବାକୁ ଆହ୍ୱାନ କରିଥିଲେ। ସେ କହିଛନ୍ତି ଯେ ଏହି କ୍ଷେତ୍ର ସାମ୍ନା କରୁଥିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଶାନ୍ତି, ସୁରକ୍ଷା ଏବଂ ବିଶ୍ୱାସର ଅଭାବ । ଆତଙ୍କବାଦ ଏହି ସମସ୍ୟାର ମୂଳ କାରଣ। ରାଜନାଥ କହିଛନ୍ତି, ଆତଙ୍କବାଦୀ ଗୋଷ୍ଠୀମାନଙ୍କ ହାତରେ ଆତଙ୍କବାଦ ଏବଂ ଗଣବିନାଶକାରୀ ଅସ୍ତ୍ରର ପ୍ରସାର ସହିତ ଶାନ୍ତି ଓ ସମୃଦ୍ଧି ସହାବସ୍ଥାନ କରିପାରିବ ନାହିଁ। ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେବା ଆବଶ୍ୟକ। ଯେଉଁମାନେ ଆତଙ୍କବାଦକୁ ସେମାନଙ୍କ ସ୍ୱାର୍ଥ ପାଇଁ ବ୍ୟବହାର କରନ୍ତି ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ। କିଛି ଦେଶ ସୀମାପାର ଆତଙ୍କବାଦକୁ ନୀତିର ଏକ ଉପକରଣ ଭାବରେ ବ୍ୟବହାର କରନ୍ତି ଏବଂ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦିଅନ୍ତି ବୋଲି ରାଜନାଥ କହିଛନ୍ତି।

Leave a Reply

Your email address will not be published. Required fields are marked *