Spread the love

### ଓଡ଼ିଶାର ବିକାଶ ପାଇଁ ୨୪,୧୫୦ କୋଟିର ଅତିରିକ୍ତ ବଜେଟ୍, କେଉଁ କ୍ଷେତ୍ରକୁ ମିଳିଲା କେତେ ଟଙ୍କା?

ଭୁବନେଶ୍ୱର, ୧୮/୧୧: ରାଜ୍ୟର ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶା ସରକାର ଆଣିଛନ୍ତି ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍। ବୁଧବାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇଛି। ବିଭିନ୍ନ କ୍ଷେତ୍ରର ଆବଶ୍ୟକତା ଓ ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ଦୃଷ୍ଟିରେ ରଖି ଏଥିରେ ବ୍ୟୟବରାଦ କରାଯାଇଛି।

ଅତିରିକ୍ତ ବଜେଟ୍‌ର ମୋଟ ଅର୍ଥରୁ ୧୭,୯୯୦ କୋଟି ଟଙ୍କା କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ରଖାଯାଇଥିବା ବେଳେ ବିପର୍ଯ୍ୟୟ ମୁକାବିଲା ପାଣ୍ଠିକୁ ୫,୧୦୦ କୋଟି ଏବଂ ପ୍ରଶାସନିକ ଖର୍ଚ୍ଚ ବାବଦରେ ୧,୦୬୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଖାଦ୍ୟ ଯୋଗାଣ କ୍ଷେତ୍ରକୁ ସର୍ବାଧିକ ଅନୁଦାନ

ବିଭିନ୍ନ ବିଭାଗ ପାଇଁ ହୋଇଥିବା ଅର୍ଥ ବ୍ୟବସ୍ଥା ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସର୍ବାଧିକ ୮,୩୯୦ କୋଟି ଟଙ୍କା ପାଇଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୬,୪୪୮ କୋଟି ଏବଂ ରାଜ୍ୟର ଭିତ୍ତିଭୂମି ବିକାଶ ନିମନ୍ତେ ୨,୩୫୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସେହିପରି ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ୧,୭୧୫ କୋଟି, କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ୧,୬୦୬ କୋଟି, ମହିଳା ସଶକ୍ତିକରଣ ପାଇଁ ୧,୨୪୭ କୋଟି ଏବଂ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ୧,୨୪୬ କୋଟି ଟଙ୍କା ରଖାଯାଇଛି।

ରେଳ ଓ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଗୁରୁତ୍ୱ

ନୂତନ ଯୋଜନା ଓ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରେଳ ଭିତ୍ତିଭୂମି ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ନୂତନ ରେଳ ଲାଇନ ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ବାବଦରେ ୫୫୦ କୋଟି ଟଙ୍କା ଏବଂ ଜନସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସହାୟତା ପାଇଁ ୩୧୬ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସରକାରଙ୍କ ଏହି ଅତିରିକ୍ତ ବଜେଟ୍‌ରେ ଖାଦ୍ୟ ସୁରକ୍ଷା, ସାମାଜିକ ବିକାଶ, ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରକୁ ଅର୍ଥ ଯୋଗାଇ ଦିଆଯାଇଛି। ଏହା ଦ୍ୱାରା ଚାଲୁଥିବା ବିକାଶ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଓ ନୂତନ ଜନକଲ୍ୟାଣକାରୀ ପଦକ୍ଷେପକୁ ଗତି ମିଳିବ ବୋଲି ଆଶା କରାଯାଉଛି।

— ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *

You missed