Spread the love

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ୫୦ ବର୍ଷର ଅବଦାନ ପାଇଁ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୫ ଅକ୍ଟୋବର : ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓଠାରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି। ଓଡ଼ିଆ ସିନେମାର ସମୃଦ୍ଧ ଐତିହ୍ୟକୁ ମନେ ପକାଇବା, ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାରମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ନୂତନ ପିଢ଼ିକୁ ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗ ସହ ପରିଚିତ କରାଇବା ଲକ୍ଷ୍ୟରେ ତିନି ଦିନ ଧରି ଉତ୍ସବର ଆୟୋଜନ କରାଯାଇଥିଲା।

ଉଦଯାପନୀ ସଂଧ୍ୟାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ୫୦ ବର୍ଷର ସଫଳ ଯାତ୍ରା ଓ ଅବଦାନ ପାଇଁ ବରିଷ୍ଠ ଅଭିନେତ୍ରୀ ଶ୍ରୀମତୀ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ନିଜର ଅଭିନୟ ଯାତ୍ରା ସଂପର୍କରେ କହିବା ସହ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅଭିନୟ କରିବେ ବୋଲି ମହାଶ୍ୱେତା କହିଛନ୍ତି। ମହାଶ୍ୱେତା ରାୟ ଓଡ଼ିଆ ସିନେମାର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଭାବେ ନିଜର ଅଭିନୟ ପ୍ରତିଭା ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କର ୫୦ ବର୍ଷର ଚଳଚ୍ଚିତ୍ର ଯାତ୍ରା ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଗୌରବମୟ ଅଧ୍ୟାୟ। ତାଙ୍କୁ ଏହି ସମ୍ମାନ ପ୍ରଦାନ ଓଡ଼ିଆ ସିନେମା ପ୍ରତି ତାଙ୍କର ଅବଦାନକୁ ସ୍ୱୀକୃତି ଦେବା ସହ ଆଗାମୀ ପିଢ଼ିର କଳାକାରମାନଙ୍କୁ ପ୍ରେରଣା ଯୋଗାଇବ। ସମ୍ବର୍ଦ୍ଧନା ସମାରୋହରେ ଦିଗପହଣ୍ଡିର ମାନ୍ୟବର ବିଧାୟକ ତଥା ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ଡ. ସିଦ୍ଧାନ୍ତ ମହାପାତ୍ର, ବରିଷ୍ଠ ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ର ଏବଂ ଓଏଫଡିସିର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିଲେ।

ଆଜି ଅପରାହ୍ନରେ ୨୦୨୪ ମସିହାରେ ନିର୍ମିତ ଚଳଚ୍ଚିତ୍ର ‘ଲହରୀ’ ଏବଂ ଅଭିନେତ୍ରୀ ଶ୍ରୀମତୀ ମହାଶ୍ୱେତା ରାୟଙ୍କ ଅଭିନୀତ ୧୯୮୦ ମସିହାର ସୁପରହିଟ୍ ଚଳଚ୍ଚିତ୍ର ‘ମାଆ ଓ ମମତା’ ପ୍ରଦର୍ଶିତ କରାଯାଇଥିଲା। ଉଦଯାପନୀ ସନ୍ଧ୍ୟାରେ ସୂର୍ଯ୍ୟମୟୀ ମହାପାତ୍ର, ନିକିତା ମିଶ୍ର, ପୁନମ ମିଶ୍ର, ଭୂମିକା ଦାଶ, ଶୁଭାଶିଷ ଶର୍ମା, ଆକାଶ ହୋତା, ସନୋଜ କୁମାର ଓ ଶୁଭମ ନାୟକ ପ୍ରମୁଖ ମଞ୍ଚରେ ସଙ୍ଗୀତ ଓ ନୃତ୍ୟଭିତ୍ତିକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସେହିପରି ଗତକାଲି ଦ୍ୱିତୀୟ ଦିବସରେ ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଓ ‘ବିଦେହ’ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ କଟକ CBFCର ପୂର୍ବତନ ଆଞ୍ଚଳିକ ଅଧିକାରୀ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର ଏବଂ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସିନେ ସମୀକ୍ଷକ ଶ୍ରୀ ସୂର୍ଯ୍ୟ ଦେଓ ଉଭୟ ଚଳଚ୍ଚିତ୍ରର କଳାକାର ଓ ଟେକ୍ନିକାଲ୍ ଟିମଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସନ୍ଧ୍ୟାରେ ପୁରାତନ ଓଡ଼ିଆ ସଙ୍ଗୀତର ମନୋମୁଗ୍ଧକର ପରିବେଷଣ ଦର୍ଶକମାନଙ୍କୁ ଓଡ଼ିଆ ସଙ୍ଗୀତର ସୁବର୍ଣ୍ଣ ଅତୀତକୁ ମନେ ପକାଇ ଦେଇଥିଲା। ଏଥିରେ ଦେବାଶିଷ ମହାପାତ୍ର, ଗୀତା ଦାଶ, ସୋହିନୀ ମିଶ୍ର, ଶୁଭାଶିଷ ମହାକୁଡ଼, ଶଶାଙ୍କ ଶେଖର ଓ ଆଦ୍ୟାଶା ଦାସ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *

You missed