# ଓଡ଼ିଶା ପୋଲିସ ବିଭାଗରେ ଖାଲି ପଡ଼ିଛି ୨୬,୧୦୧ ପଦବୀ, ନିଯୁକ୍ତି ପ୍ରକ୍ରିୟା ଆରମ୍ଭ
**୮୪,୨୩୭ ମଞ୍ଜୁରୀପ୍ରାପ୍ତ ପଦବୀରୁ ୨୬ ହଜାରରୁ ଅଧିକ ଖାଲି; ୬,୮୮୫ ପଦବୀ ପୂରଣ ପାଇଁ ବିଜ୍ଞାପନ**
**ଭୁବନେଶ୍ୱର:** ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଓଡ଼ିଶା ପୋଲିସ ବିଭାଗରେ ରହିଛି ବିପୁଳ ସଂଖ୍ୟକ ଖାଲି ପଦବୀ। ବିଭାଗର ମୋଟ ୮୪ ହଜାର ୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୨୬ ହଜାର ୧୦୧ଟି ପଦବୀ ଖାଲି ପଡ଼ିଥିବା ତଥ୍ୟ ବିଧାନସଭାରେ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଲିଖିତ ଉତ୍ତରରେ ଏହି ତଥ୍ୟ ରଖିଛନ୍ତି।
ଖାଲି ପଦବୀ ସଂଖ୍ୟା ବଢ଼ିବା ପୋଲିସ ବିଭାଗର କାର୍ଯ୍ୟକ୍ଷମତା ଓ ଆଇନଶୃଙ୍ଖଳା ପରିଚାଳନା ଦୃଷ୍ଟିରୁ ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଏହାର ଭରଣା ପାଇଁ ସରକାର ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସରକାରଙ୍କ ସୂଚନା ଅନୁଯାୟୀ, ପୋଲିସ ବିଭାଗର ବିଭିନ୍ନ ବର୍ଗରେ ୬ ହଜାର ୮୮୫ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇଛି।
ସେହିପରି ୨୯୮ଟି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ପଦବୀ ପୂରଣ ନିମନ୍ତେ OUSSSCକୁ ଅନୁରୋଧ କରାଯାଇଛି। ଅନ୍ୟପଟେ ପୂର୍ବରୁ ବାତିଲ ହୋଇଥିବା ୬୦୯ଟି ସବ୍-ଇନ୍ସପେକ୍ଟର (SI) ଏବଂ ୨୫୩ଟି ଆର୍ମଡ୍ ସବ୍-ଇନ୍ସପେକ୍ଟର (ASI) ପଦବୀ ପାଇଁ ପରୀକ୍ଷା ପ୍ରକ୍ରିୟା ସମାପନ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି।
ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ପରିଚାଳନା, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ଓ ଜନସାଧାରଣଙ୍କ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପୋଲିସ ବିଭାଗ ଉପରେ ରହିଛି। ଏଭଳି ସ୍ଥିତିରେ ୨୬ ହଜାରରୁ ଅଧିକ ପଦବୀ ଖାଲି ରହିବା ବିଭାଗ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଦେଖାଦେଇଛି।
